ସାଧାରଣ ପର୍ଯ୍ୟବେକ୍ଷକଙ୍କ ଏମସିଏମସି କେନ୍ଦ୍ର ପରିଦର୍ଶନ

ଖୋରଧା ୨୦/୦୫/୨୦୨୪ (ଓଡ଼ିଶା ସମାଚାର)- ପୁରୀ ଲୋକସଭା ନିର୍ବାଚନ ଅନ୍ତର୍ଗତ ଚିଲିକା ବିଧାନସଭା କ୍ଷେତ୍ର ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଟି ଭି ସୁଭାଷ ଆଜି ଖୋରଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ସେ ସେଠାରେ ଚାଲୁଥିବା ଏମସିଏମସି ତଥା ମିଡିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ କମିଟି କେନ୍ଦ୍ରକୁ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ପରିଚାଳନା ସମ୍ପର୍କରେ ପଚାରି ବୁଝି ଥିଲେ । ବିଭିନ୍ନ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ ମିଡିଆ, ସୋସିଆଲ ମିଡିଆରେ ପ୍ରକାଶିତ ଖବର ଉପରେ ଦୃଷ୍ଟି ରଖିବା ସହ ତାହାର ତଥ୍ୟ ପର୍ଯ୍ୟବେକ୍ଷକ ମାନଙ୍କୁ ନିୟମିତ ପ୍ରଦାନ କରାଯାଉଥିବା ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ । ସେହିଭଳି ପ୍ରିଣ୍ଟ, ଇଲେକ୍ଟ୍ରୋନିକସ ଚାନେଲ ଓ ସୋସିଆଲ ମିଡିଆକୁ ନିୟମିତ ଅନୁଧ୍ୟାନ କରି ପେଡ ନିଉଜ ଗୁଡିକ ଉପରେ ଇସିଆଇର ନିର୍ଦ୍ଦେଶନାମା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରିଟନିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଡେପୁଟି କଲେକ୍ଟର ତୁଲି ଆମା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ କରିବା ସହ ଏମସିଏମସିର ପରିଚାଳନା ସମ୍ପର୍କରେ ଅବଗତ କରାଇଥିଲେ । ଏହି ପରିଦର୍ଶନ ସମୟରେ ପର୍ଯ୍ୟବେକ୍ଷକଙ୍କ ଲିଆସନିଙ୍ଗ ଅଫିସର  ଶିଵଲାଲ ସାହୁ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀ ସୁଭାଷ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା, ନୟାଗଡ଼ ଓ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ କାର୍ଯ୍ୟର ପର୍ଯ୍ଯବେକ୍ଷଣ ଓ ଅନୁଧ୍ୟାନ କରୁଛନ୍ତି।

Leave a Reply

Your email address will not be published. Required fields are marked *