ଯାଜପୁର, ୧୭/୦୬/୨୦୨୫ (ଓଡ଼ିଶା ସମାଚାର)- ଆଜି କେନ୍ଦ୍ରୀୟ ଟିମ୍ ଯାଜପୁର ଜିଲ୍ଲାର ଡାଇରିଆ ପ୍ରବଣ ଅଞ୍ଚଳରେ ଅନୁଧ୍ୟାନ କରିବା ସହ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଏବଂ ମେଡିକାଲ କଲେଜର ଡିନ୍ ତଥା ପ୍ରିନ୍ସପାଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଆଲୋଚନା ପୂର୍ବକ କହିଛନ୍ତି ଡାଇରିଆ ନିରାକରଣ ଏବଂ ଏହା ରୋକିବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି କେନ୍ଦ୍ରୀୟ ଟିମ୍ ସନ୍ତୋଷ ପ୍ରକାଶ ସହ ଏହା ସଠିକ୍ ପ୍ରକ୍ରିୟା ବୋଲି ମତ ରଖିଛନ୍ତି।
ପ୍ରତ୍ୟେକ ଦିନ କେତେ ନୂଆ ସଂକ୍ରମିତ ରୋଗୀ ଆସୁଛନ୍ତି ଏହାର ଅନୁଧ୍ୟାନ କରାଯାଉଛି। ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଟିମ୍ ଦ୍ଵାରା ବିଶୋଧନ (ଡିସଇନ୍ଫେକ୍ସନ୍) କରାଯାଉଛି ଏବଂ ଏହା ମଧ୍ୟ ଆଗକୁ ଚାଲୁ ରହିବ। ଆଶା, ଅଙ୍ଗନୱାଡି କର୍ମୀ, ଏସ.ଏଚ.ଜି, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଘର ଘର ବୁଲି ଫୁଟା ପାଣି ପିଇବା, ନିୟମିତ ଭାବରେ ସାବୁନ୍ ରେ ହାତ ଧୋଇବା, ପୋଖରୀ ପାଣିରେ ନ ଗାଧୋଇବା କିମ୍ବା ପୋଖରୀ ପାଣିକୁ କୌଣସି କାର୍ଯ୍ୟରେ ବ୍ୟବହାର ନକରିବାକୁ ପରାମର୍ଶ ଦେବା ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଜନିତ ପରାମର୍ଶ ଦେଉଛନ୍ତି। ଆସନ୍ତା କାଲି ଠାରୁ ପ୍ରତି ଘର ପାଇଁ ଦୁଇଟି ଲାଇଫ ବୟ ସାବୁନ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗୋଟିଏ ଖାଇବା ପୂର୍ବରୁ ଅନ୍ୟଟି ଟୟଲେଟ ରେ ବ୍ୟବହାର କରିବେ ।
ଏହା ସହିତ ଓ ଆର ଏସ, ହାଲୋଜେନ ବଟିକା, ବ୍ଲିଚିଙ୍ଗ ଇତ୍ୟାଦି ଘର ଘର ବଣ୍ଟନ କରାଯାଉଛି। ଯେଉଁଠି ବିଶୋଧନ କାମ କରୁନାହିଁ ସେଠାରେ ଟାଙ୍କି ମାଧ୍ୟମରେ ଶୁଦ୍ଧ ପାନୀୟ ଜଳ ଯୋଗାଇଦିଆଯାଉଛି । ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ପାନୀୟ ଜଳକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପରାମର୍ଶ ଦିଆଯିବା ସହିତ ଅସ୍ୱାସ୍ଥ୍ୟକର ପରିବେଶରେ ବିକ୍ରୟ ହେଉଥିବା ଖାଦ୍ୟ ଦୋକାନରେ ଚଢ଼ାଉ କରାଯାଉଛି। କେନ୍ଦ୍ରୀୟ ଟିମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଅନ୍ୟାନ୍ୟ ଡାଇରିଆ ପ୍ରବଣ ଅଞ୍ଚଳ ପରିଦର୍ଶନ କରିବେ ଏବଂ ସ୍ଥିତି ଅନୁଧ୍ୟାନ କରି ତଥ୍ୟ ପ୍ରକାଶ କରିବେ ବୋଲି କହିଥିଲେ।ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ 185 ନୂଆ ଆଡମିଟ ହୋଇଥିବାବେଳେ 15 ଜଣଙ୍କୁ ରେଫେର କରାଯାଇଛି ଏବଂ 172 ଜଣଙ୍କୁ ଡ଼ିସଚାର୍ଜ କରାଯାଇଛି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟାନ୍ୟ ଚିକିତ୍ସାଳୟ ରେ ମୋଟ 193 ଜଣ ରୋଗୀ ଚିକିତ୍ସତ ହେଉଛନ୍ତି।
