ରାଜ୍ୟପାଳ ଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ – –

ଭିନ୍ନ ଭିନ୍ନ ଗୋଷ୍ଠିଙ୍କ ସହିତ ଦେଶର ବିକାଶ ନେଇ ଆଲୋଚନା – –
କେନ୍ଦ୍ରାପଡ଼ା, ୦୬/୦୧/୨୦୨୪ (ଓଡ଼ିଶା ସମାଚାର)- ଓଡିଶାର ରାଜ୍ୟପାଳ ରଘୁବର ଦାସ କଟକ-ଚାନ୍ଦବାଲି ରାସ୍ତାରେ କାର୍ ଯୋଗେ ଆସି କେନ୍ଦ୍ରାପଡା ସହରର ଇଚ୍ଛାପୁର ରଥଦାଣ୍ଡରେ ପୂର୍ବାହ୍ନ ୧୦.୩୦ ମିନିଟ୍ ରେ ପହଂଚିବା ପରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ରାଜ୍ୟର ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ । ପରେ ସେଠାରୁ ବାହାରି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଜଜାଙ୍ଗ ଅଙ୍ଗନୱାଡି କେନ୍ଦ୍ରରେ ପହଂଚି କୁନିକୁନି ପିଲା, ସେମାନଙ୍କ ଅଭିଭାବକ ଓ ଅଙ୍ଗନୱାଡି କର୍ମୀଙ୍କ ସହିତ ପୋଷଣ ସ୍କିମ୍ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ । ଅଙ୍ଗନୱାଡି କେନ୍ଦ୍ର ସଂସ୍କାରର ମନ୍ଦିର । ଶିଶୁମାନଙ୍କ ସାମଗ୍ରୀକ ବିକାଶକୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ । ପରେ ଜଜାଙ୍ଗ ସ୍ଥିତ କାଇଁଚ ଶିଳ୍ପର ସଂକଳ୍ପ ପ୍ରକଳ୍ପରେ ପହଂଚି ସେଠାରେ ଗ୍ରାମୀଣ ଶିଳ୍ପୀମାନଙ୍କ ସହ ମତ ବିନିମୟ କରିବା ଅବସରରେ ଗ୍ରାମୀଣ କଳା ଓ କାରିଗରୀର ସମୃଦ୍ଧ ପରମ୍ପରାର ପରିପୃଷ୍ଟି ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ସମୟର ଆବଶ୍ୟକତା ଓ ବଜାରର ଚାହିଦା ମୁତାବକ ଉତ୍ପାଦ ସହ ବିଜ୍ଞାପନ ଓ ବିକ୍ରିବଟା କୌଶଳ ପ୍ରୟୋଗ କରିବା ଦରକାର । ଏହା ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବା ସହ ବିକଶିତ ଭାରତ ସଂକଳ୍ପକୁ ସାକାର କରିବ ବୋଲି ରାଜ୍ୟପାଳ ଶ୍ରୀ ଦାସ କେନ୍ଦ୍ର ସରକରଙ୍କ ପ୍ରକଳ୍ପ ପରିଦର୍ଶନ ସମୟରେ ମହିଳା କାଇଁଚ ଶିଳ୍ପ କାରିଗରଙ୍କ ସହ ବାର୍ତାଳାପ ବେଳେ କହିଛନ୍ତି । ପରେ ସେଠାରୁ ସିଧା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଷଣଅନ୍ଟା ହାଇସ୍କୁଲରେ ପହଂଚି ଶିକ୍ଷା ହେଉଛି ସକଳ ପ୍ରଗତିର ମୂଳସୂତ୍ର । ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଆଧାର । କଠିନ ପରିଶ୍ରମ କରି ସ୍ୱପ୍ନକୁ ସାକାର କରିବା ସହିତ ସମାଜକୁ ସକରାତ୍ମକ ଭାବରେ ପ୍ରଭାବିତ କରିବା ଦରକାର । କଦାପି ଲକ୍ଷ୍ୟପଥରୁ ବିଚୁ୍ୟତ ନହେବାକୁ ରାଜ୍ୟପାଳ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଏହା ପ୍ରକାଶ କରିଥିଲେ । ଭାରତ ଏକ ଯୁବଦେଶ । ଯୁବଶକ୍ତି ଓ ସାମର୍ଥ୍ୟର ସଫଳ ଉପଯୋଗରେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପର ବିକଶିତ ଭାରତ ଗଠନ ହୋଇପାରିବ । ବର୍ତମାନ ସମୟ ହେଉଛି ଦକ୍ଷତା ଓ ନବସୃଜନର ସମୟ । ନୂତନ ଶିକ୍ଷାନୀତିରେ ଧନ୍ଦାମୂଳକ ନୀତିରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱାରୋପ କରାଯାଇଛି । ସମୟପଯୋଗୀ ହେବାକୁ ରାଜ୍ୟପାଳ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ରାଜ୍ୟ ପ୍ଲମ୍ବିଂ ପ୍ରତିଷ୍ଠାନ) ପରିଦର୍ଶନ କରି ଶିକ୍ଷାର୍ଥୀମାନଙ୍କ ସହ ବାର୍ତାଳାପ ଛଳରେ କହିଛନ୍ତି । କୃଷି, କୃଷକ ଓ ଗ୍ରାମର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏହା ହେବ ବିକଶିତ ଓ ଆତ୍ମନିର୍ଭର ଭାରତର ଆଧାର । ଯୋଜନାର ସୁଯୋଗ ନେବା ସହିତ ସ୍ଥାନୀୟ ସ୍ତରରେ ପ୍ରୟାଶ ହେବା ଦରକାର । ଜୈବିକ କୃଷିକୁ ଆପଣାଇବାକୁ ରାଜ୍ୟପାଳ ଜିଲାର ପଟ୍ଟାମୁଣ୍ଡାଇସ୍ଥିତ ଅଡିଟୋରିଅମ୍ ରେ କୃଷକମାନଙ୍କ ସହ ବାର୍ତାଳାପରେ କହିଛନ୍ତି । ଲୋକମାନଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହିତ ବିହିତ ପଦକ୍ଷେପ ପାଇଁ ବ୍ୟବସ୍ଥା କରିବେ ବୋଲି ରାଜ୍ୟପାଳ କହିଛନ୍ତି । ପରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ କେତେକ ଗୃହ ପରିଦର୍ଶନ କରିବା ସହିତ ହିତାଧିକାରୀମାନଙ୍କ ସହିତ ମତ ବିନିମୟ କରିଥିଲେ । ସେଠାରୁ ଫେରି ଜଜାଙ୍ଗସ୍ଥିତ ପ୍ରଦକ୍ଷଣ ଭବନରେ ମଧ୍ୟାହ୍ନ ଭୋଜନ କରିଥିଲେ । ସେଠାରେ ରାଜ୍ୟପାଳଙ୍କୁ ଜିଲା ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ଉତମ ସ୍ୱାସ୍ଥ୍ୟ ବିକଶିତ ଦେଶର ମାନଙ୍କ । ଗ୍ରାମାଂଚଳରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପହଂଚିବା ଦରକାର । ପୌଷ୍ଟିକ ବିକାଶ ସହ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ । ସେବା ଧର୍ମକୁ ନିଷ୍ଠା ଓ ଆନ୍ତରିକତା ସହିତ ପାଳନ କରିବାକୁ ରାଜ୍ୟପାଳ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଡାକ୍ତର, ସେବିକା ଓ ଆଶାକର୍ମୀଙ୍କ ସହ ଆଲୋଚନା କରି କହିଛନ୍ତି । ମହିଳା ସଶକ୍ତିକରଣ ବିନା ଆତ୍ମନିର୍ଭର ଭାରତ ସମ୍ଭବ ନୁହେଁ । ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ମହିଳା ସଶକ୍ତିକରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ବଜାର ଚାହିଦା ମୁତାବକ ଉତ୍ପାଦ ସହ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେବା ଦରକାର । ଏବେ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳୁଛି । ଉପଲବ୍ଧ ସୁବିଧାର ଉପଯୋଗ କରିବାକୁ କେନ୍ଦ୍ରାପଡାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତା ଓ ସଦସ୍ୟାମାନଙ୍କ ସହିତ ଜିଲା ସଂସ୍କୃତି ଭବନରେ ବାର୍ତାଳାପ ବେଳେ ପ୍ରକାଶ କରିଛନ୍ତି । ରାଜ୍ୟପାଳ କେନ୍ଦ୍ରାପଡା କୁଷ୍ଠ କଲୋନୀ ପରିଦର୍ଶନ କରିବା ସହିତ ଲୋକମାନଙ୍କ ସହ ବାର୍ତାଳାପରେ ନିଜର ସ୍ୱାସ୍ଥ୍ୟ ଓ ପିଲାମାନଙ୍କ ଶିକ୍ଷାକୁ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଛନ୍ତି ଓ ସେମାନଙ୍କ ସୁଖଦୁଃଖ ପଚାରି ବୁଝିଛନ୍ତି । ଶେଷରେ ଡେରାବିଶ ବ୍ଲକ ଅନ୍ତର୍ଗତ ଗୋଲରାହାଟ ସ୍ଥିତ ଉତ୍କଳ ଉତ୍ପାଦିକା ସଂସ୍ଥାରେ ପହଂଚି ସେଠାରେ ସଂସ୍ଥାକୁ ପରିଚାଳନା କରୁଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ସହ ମତ ବିନିମୟ କରିବା ଅବସରରେ ଲୋକାଲ ମାର୍କେଟ୍ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇ ସେଠାରୁ ୫ନଂ(କ) ଜାତୀୟ ରାଜପଥରେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଥିଲେ । ଏହି ପରିଦର୍ଶନ ସମୟରେ ରାଜ୍ୟପାଳଙ୍କ ସହିତ ଜିଲାପାଳ ଅମ୍ରିତ୍ ଋତୁରାଜ, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର,ଆରକ୍ଷୀ ଅଧିକ୍ଷକ ସମ୍ବିଦ ସମ୍ପଦ ମଡକର, ଉପ ଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ, କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତିଙ୍କ ସମେତ ବିଭିନ୍ନ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *