ଅନୁଗୋଳ, ଯାଜପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ର କାର୍ଯ୍ୟ ଏବଂ  ପ୍ରକଳ୍ପ କାର୍ଯ୍ୟକାରିତା ରେ ସମବର୍ତ୍ତୀ ମୂଲ୍ୟାୟନ ସଂପର୍କିତ ପ୍ରାରମ୍ଭିକ କର୍ମଶାଳା  ଅନୁଷ୍ଠିତ

ଖଣି ପ୍ରଭାବିତ ଅଂଚଳର ସାମାଜିକ ଓ ଅର୍ଥନୈତିକ ବିକାଶରେ ଏହା ଉପଯୋଗୀ ସାବ୍ୟସ୍ତ ହେବ

ଭୁବନେଶ୍ୱର, ୦୨/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅନୁଗୋଳ, ଯାଜପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପାଣ୍ଠିର ଉପଯୋଗରେ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କରେ ସମବର୍ତ୍ତୀ ସମୀକ୍ଷା ତଥା ମୂଲ୍ୟାୟନ (କନକରେଣ୍ଟ ଇଭାଲୁଏସନ) ସଂପର୍କିତ ଏକ ପ୍ରାରମ୍ଭିକ କର୍ମଶାଳା ( ଇନସେପ୍ସନ ଓ୍ୱାର୍କସପ୍) ଆଜି ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି।

ବୈଠକରେ ଆଭାସୀ ମାଧ୍ୟମରେ ଅନୁଗୋଳ, ଯାଜପୁର ଓ ଝାରସୁଗୁଡ଼ା ର ଜିଲ୍ଲାପାଳ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ଲୋକସେବା ଭବନରେ ଯୋଜନା ଓ ସଂଯୋଜନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଓ ସଂପୃକ୍ତ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ତଥା ବରିଷ୍ଠ ପଦାଧିକାରୀଙ୍କ ସମେତ ଆନ୍ତର୍ଜାତୀୟ ସ୍ତରର ମୂଲ୍ୟାୟନ ଦକ୍ଷତା ରଖୁଥିବା “ଗାଣ୍ଟ ଥର୍ଣ୍ଣଟନ”ସଂସ୍ଥାର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ।

ଏହି ମୂଲ୍ୟାୟନ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଏବଂ ‘ଜିଲ୍ଲା ଖଣିଜ ପାଣ୍ଠି’ ଓଡ଼ିଶା ନିୟମରେ ରହିଥିବା ପ୍ରତି ବିଧାନକୁ ସମ୍ବନ୍ଧିତ କରି ଖଣିଜ ଉତ୍ତୋଳନ ଦ୍ୱାରା ପ୍ରଭାବିତ ହୋଇଥିବା ଅଂଚଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଆଭିମୁଖ୍ୟ କୁ ମୂଲ୍ୟାୟନ କରିବ।

କର୍ମଶାଳାରେ ଜିଲ୍ଲା ଖଣିଜ ପାଣ୍ଠିର ଉପଯୋଗ ଓ ପରିଚାଳନା ବ୍ୟବସ୍ଥା, ପ୍ରକଳ୍ପ ଲକ୍ଷ୍ୟ ସାଧନରେ ସଫଳତା, ପ୍ରକଳ୍ପ କିପରି ହିତାଧିକାରୀ ମାନଙ୍କ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେଉଛି, ତାହାକୁ କିପରି ମୂଲ୍ୟାୟନ କରାଯିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ମୂଲ୍ୟାୟନ  ପ୍ରକଳ୍ପ କାର୍ଯ୍ୟକାରିତାରେ ସମସ୍ତ ଅଂଶୀଦାରୀ ବିଭାଗ ତଥା ସଂସ୍ଥା ମାନଙ୍କୁ ଭବିଷ୍ୟତରେ ଯୋଜନା ପ୍ରସ୍ତୁତିରେ ସହାୟକ ହେବ। ପ୍ରକଳ୍ପ କାର୍ଯ୍ୟକାରିତାରେ କି କି ସମସ୍ୟା ରହୁଛି, ସେହିସବୁ ଆହ୍ୱାନକୁ ଚିହ୍ନଟ କରିବାରେ ସହାୟତା କରିବ । ଚୟନ କରାଯାଇଥିବା ପ୍ରକଳ୍ପରେ କାର୍ଯ୍ୟକ୍ରମ ପରିଚାଳନା ବିଶ୍ଲେଷଣ କରାଯିବ। ଖଣିଜ ଉତ୍ତୋଳନ ଦ୍ୱାରା ପ୍ରଭାବିତ ହେଉଥିବା ଗ୍ରାମର ଲୋକମାନଙ୍କର ନିରନ୍ତରତା ଭିତ୍ତିରେ କିପରି ସାମାଜିକ ଅର୍ଥନୈତିକ ବିକାଶ ଘଟିବ,ଏ ସଂପର୍କରେ ସଂପୃକ୍ତ ସଂସ୍ଥା ପ୍ରକଳ୍ପ କାର୍ଯ୍ୟକାରିତା ରେ ସରକାରଙ୍କୁ ପରାମର୍ଶ ଓ ମୂଲ୍ୟାୟନରେ ସହାୟତା କରିବ। ବୈଠକରେ ଏହି ମୂଲ୍ୟାୟନ ଅଧ୍ୟୟନର ସାମଗ୍ରିକ ଢ଼ାଞ୍ଚା ବା ପଦ୍ଧତି,ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ପ୍ରଶ୍ନୋତ୍ତର କୌଶଳ ଜରିଆରେ ସୂଚନା ପ୍ରାପ୍ତି,  ସମୟ ସୀମା ମଧ୍ୟରେ ପ୍ରକଳ୍ପ ଶେଷ କରାଯିବା ଏବଂ ଜିଲ୍ଲାପାଳ ମାନଙ୍କଠାରୁ ଏଥିପାଇଁ କି କି ସହଯୋଗର ଆବଶ୍ୟକତା ରହିଛି, ସେ ସଂପର୍କରେ ବିଶଦ୍ ଭାବେ ଉପସ୍ଥାପନା କରାଯାଇଥିଲା ଓ ଜିଲ୍ଲାପାଳମାନେ ଏ ସଂପର୍କରେ ମତ ରଖିଥିଲେ ।

ଏହି ମୂଲ୍ୟାୟନ ରେ ଅଂଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ର ଉପଲବ୍ଧତା, ଗୁଣାତ୍ମକ ଶିକ୍ଷା, ପିଇବା ପାଣି ର ଉପଲବ୍ଧତା, ରାସ୍ତା ଓ ଗମନାଗମନ, ଜଳ ଓ ପରିମଳ ବ୍ୟବସ୍ଥା, ଗୃହ ନିର୍ମାଣ ଓ ଭିତ୍ତିଭୂମି ବ୍ୟବସ୍ଥା, ଜୀବିକା ନିର୍ବାହ, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ, ପରିବେଶ ପ୍ରଭାବ ଜନିତ କାର୍ଯ୍ୟକ୍ରମରେ ଏହି ସଂସ୍ଥା ଅନୁସନ୍ଧାନ ଓ ସର୍ବେକ୍ଷଣ କରିବ ବୋଲି ବୈଠକରୁ ଜଣାଯାଇଛି ।ଆଗାମୀ ସେପ୍ଟେମ୍ବର ମାସ  ସୁଦ୍ଧା ଏହି ମୂଲ୍ୟାୟନ କାର୍ଯ୍ୟ ସାରିବାକୁ ପରାମର୍ଶ ଦିଆଯାଇଛି ।

ପୂର୍ତ୍ତ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,  ମିଶନଶକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲାସ୍ତର ରେ ଜିଲ୍ଲାପାଳମାନଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

-0-

 ପଠାଣି ରାଉତ,ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *