ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ନଗର ଭ୍ରମଣ ବେଳେ ଶତାଧିକ ଭକ୍ତ ଙ୍କ ସମାଗମ

ବାଲିଗୁଡା,୩୧/୦୫/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ୨୬ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୯ ଦିନରେ ପହଞ୍ଚିଛି । ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଯାତ୍ରା ସରିବାକୁ ଆଉ ମାତ୍ର ୫ଦିନ ବାକି ଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ସମେତ ସମଗ୍ର ଅଞ୍ଚଳରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି ।  ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି ।  ପଞ୍ଚ ଦେବୀ ସହ ମା’ଦକ୍ଷିଣ କାଳୀ ଙ୍କୁ ଶେଷ ପର୍ଯ୍ୟାୟ ରେ ଦର୍ଶନ କରିବାକୁ ଅଞ୍ଚଳର ପ୍ରତ୍ୟେକ ପରିବାର ର ଦୂର ଦୁରାନ୍ତରେ ଥିବା ବନ୍ଧୁ ବାନ୍ଧବ ଙ୍କ ସୁଅ ଛୁଟିବାରେ ଲାଗିଲାଣି, ଏଣୁ ସପରିବାରେ ଆସି ମା ‘ଙ୍କ ଯାତ୍ରା ସହ ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।

ଶନିବାର ୨୬ ଦିନରେ ପାତ୍ରସାହି, ଜକିସାହି, କଣ୍ଟ୍ରୋଲ ସାହି, କାମନା ସାହି, ଓ ପୂଜାରୀ ସାହିର ଏକତ୍ର ଭାବେ ବୃନ୍ଦାବତୀ ପୂଜା କମିଟି ଅଞ୍ଚଳ କୁ ପରିଭ୍ରମଣ କରି ଆସିଥିଲେ ।  ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆରରେ ଦୁଲଦୁଲି ନୃତ୍ୟ ସହ ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ରେଭିନ୍ୟୁ ବଙ୍ଗଳା, ଜଗନ୍ନାଥ ମନ୍ଦିର, ତ୍ରିବେଦୀ ପାର୍କ ଛକ, ନେହେରୁ ଛକ ଗଳି, ଲଷ୍ମୀ ମାର୍କେଟ, ଦେଇ ଉକ୍ତ ସାହିରେ ପ୍ରବେଶ କରି ଅସ୍ଥାୟୀ ପୂଜା ମଣ୍ଡପକୁ ମା’ ମାନଙ୍କୁ ପାଛୋଟି ନେଇଥିଲେ । ଉକ୍ତ ପୂଜା ମଣ୍ଡପରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ସାହି ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ ।

ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା ।  ରବିବାର ଦିନ ଗୁଣ୍ଡିଚା ମାର୍ଗ ଅଞ୍ଚଳ କୁ ମା’ ଙ୍କ ଆଗମନ ଥିବା ବେଳେ ସୋମବାର ଦିନ ସୁନାପାଙ୍ଗା ସାହିକୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି  ।  ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।  ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି ।  ଏଥିରେ ଯାତ୍ରା କମିଟି ସହ ପାତ୍ରସାହି, ଜକିସାହି,କଣ୍ଟ୍ରୋଲ ସାହି,  କାମନା ସାହି, ଓ ପୂଜାରୀ ସାହିର ଏକତ୍ର ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *