ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉଚ୍ଚ କ୍ଷମତା ସଂପନ୍ନ କମିଟିର ବୈଠକ ଅନୁଷ୍ଠିତ

ଆରଆଇଡିଏଫ୍ ଋଣ ବିତରଣରେ ଓଡ଼ିଶା ଦେଶରେ ପ୍ରଥମ

  • ସଂପୂର୍ଣ୍ଣ ହୋଇଥିବା ବିଭିନ୍ନ ଉଲ୍ଲେଖନୀୟ ପ୍ରକଳ୍ପ ସଂପର୍କରେ ଉପସ୍ଥାପନ
  • ଅନ୍ୟ ସମସ୍ତ ପ୍ରକଳ୍ପ ର ସ୍ଥିତି ଅନୁଧ୍ୟାନ ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଉନ୍ନୟନ କମିଶନରଙ୍କ ପରାମର୍ଶ

ଭୁବନେଶ୍ୱର,୩୦/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-୨୦୨୫-୨୬ ଆର୍ଥିକ ବର୍ଷରେ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ) ର ଉଚ୍ଚ କ୍ଷମତା ସଂପନ୍ନ କମିଟି ର ପ୍ରଥମ ବୈଠକ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଆରଆଇଡିଏଫ ପାଣ୍ଠି ସହାୟତାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା, ସଫଳତା ଓ କାର୍ଯ୍ୟ ଅଗ୍ରଗତି  ଆଦି ସଂପର୍କରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମୀକ୍ଷା କରି  ନିର୍ମାଣାଧିନ ପ୍ରକଳ୍ପଗୁଡ଼ିକର  ତ୍ୱରାନ୍ୱିତ କରିବାକୁ  ସେ ସଂପୃକ୍ତ ସମସ୍ତ ବିଭାଗମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ରଙ୍କ ସମେତ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉପଯୋଗ କରୁଥିବା ଜଳସଂପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ, କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଆଦି ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ନାବାର୍ଡ,ଓଡ଼ିଶାର ମୁଖ୍ୟ ସାଧାରଣ ପରିଚାଳକ (ସିଜିଏମ) ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଯୋଜନା ଓ ସଂଯୋଜନ ବିଭାଗ ତରଫରୁ ଆହୂତ ଏହି ବେଠକରେ ଆରଆଇଡିଏଫ  ପାଣ୍ଠି  ଅଧିନରେ୨୦୨୪-୨୫ ବର୍ଷରେ ଏହି ପାଣ୍ଠି ଉପଯୋଗ କରୁଥିବା ବିଭିନ୍ନ ବିଭାଗର କାର୍ଯ୍ୟ ସଫଳତା ଅନୁଧ୍ୟାନ କରାଯାଇଥିଲା ।

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ନାବାର୍ଡ ଠାରୁ ୩୮୩୬.୩୪କୋଟି ଟଙ୍କାର ଆରଆଇଡିଏଫ୍ ଋଣ ହାସଲ କରି ଦେଶରେ ଏକନମ୍ବର ସ୍ଥାନ ଅଧିକାର କରିଛି । କାର୍ଯ୍ୟକାରୀ ହୋଇଥିବା ଉଲ୍ଲେଖନୀୟ ପ୍ରକଳ୍ପ ମଧ୍ୟରୁ ଜଣାଯାଇଛି ଯେ, ଜଳସଂପଦବିଭାଗ ଜରିଆରେ ଗଞ୍ଜାମ ଜିଲ୍ଲାର ରାମନଦୀରେ ଜକମେରୀପଲ୍ଲୀ ଠାରେ ନିର୍ମିତ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ୩୪.୯୦ କୋଟି ଟଙ୍କା ବ୍ୟୟରେ ଶେଷ ହୋଇଛି । ଏହି ପ୍ରକଳ୍ପ ଦିଗପହଣ୍ଡି ବ୍ଲକର ୧୧ଟି ଗ୍ରାମର ୧୬,୫୦୦ ଲୋକଙ୍କୁ ପାନୀୟ ଜଳସୁବିଧା ଯୋଗାଇଦେବ । ସେହିପରି ଜଳ ସଂପଦ ବିଭାଗ ଅନ୍ତର୍ଗତ ଉଠା ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ସେଚାଂଚଳ ଉନ୍ନୟନ୍ନ ମାଧ୍ୟମରେ ନିର୍ମିତ ଅନ୍ୟ ବହୁ ଉଲ୍କେଖନୀୟ ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇଥିବା ସଂପର୍କରେ  ଉପସ୍ଥାପନ କରାଯାଇଥିଲା ।

ଅନ୍ୟ ବିଭିନ୍ନ ବିଭାଗ ଜରିଆରେ ଶେଷ ହୋଇଥିବା ଉଲ୍କେଖନୀୟ  ପ୍ରକଳ୍ପ ମଧ୍ୟରେ ପୂର୍ତ୍ତ ବିଭାଗ ତରଫରୁ ଅନୁଗୋଳ ଜିଲ୍ଲାର ହରିପୁର, ଉଦୟପୁର ରାସ୍ତାରେ ୩୯.୮୯ କୋଟି ଟଙ୍କା ବ୍ୟୟରେ  ୫୧୧ ମିଟର ବିଶିଷ୍ଟ ହରିପୁର ନାଳା ଉଚ୍ଚସେତୁ ନିର୍ମାଣ,ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ୫ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟରେ ମାଲକାନଗିରି ଜିଲ୍ଲାରେ ଜାତୀୟ ରାଜପଥ-୩୨୬-ରୁ କୋକିନାଡ଼ା ଠାରୁ ପେଟାରୋଡ୍ ପର୍ଯ୍ୟନ୍ତ ୬.୮୦ କିମି. ରାସ୍ତା ନିର୍ମାଣ, ପଞ୍ଚାୟତରାଜ ଓ ପାନୀୟଜଳ ଯୋଗାଣ ବିଭାଗ ଜରିଆରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଗ୍ରାମରେ୧୧୩.୯୮କୋଟି ଟଙ୍କା ବ୍ୟୟରେ ଏକ ବୃହତ ପାଇପ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ କରାଯାଇଛି, ଯାହାଦ୍ୱାରା ୯ଟି ଗ୍ରାମପଞ୍ଚାୟତର ପ୍ରାୟ୮୫୦୦ରୁ ଊର୍ଦ୍ଧ୍ଵ ଜନସାଧାରଣ ଉପକୃତ ହେବେ। କୃଷି ବିଭାଗ ଜରିଆରେ ଏକାଧିକ ହିତାଧିକାରୀଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଆଖିଦୃଷ୍ଟିଆ ମାଇକ୍ରୋ ରିଭର ଲିଫ୍ଟ (ଜଳନିଧି-୨) ସଂପର୍କରେ ଆଲୋଚନା କରାଯାଇଥିଲା ।

ନୂଆ ପ୍ରସ୍ତାବ ଓ ବିଭିନ୍ନ କାରଣରୁ ବାଦ୍ ଦିଆଯାଇଥିବା ପ୍ରକଳ୍ପ ସଂପର୍କରେ ଆଲୋଚନା କରାଯାଇଥିଲା। ନାବାର୍ଡ କର୍ତ୍ତୃପକ୍ଷ ଆର.ଆଇ.ଡି.ଏଫ୍ ପାଣ୍ଠି ଉପଯୋଗ ସଂପର୍କରେ ସେମାନଙ୍କର ପର୍ଯ୍ୟବେକ୍ଷଣ ଉପସ୍ଥାପନ କରି ପ୍ରକଳ୍ପ କାର୍ଯ୍ୟକାରିତାରେ ବିଭିନ୍ନ ବିଭାଗର କାର୍ଯ୍ୟ ସନ୍ତୋଷଜନକ ଥିବା ପ୍ରକାଶ କରିଥିଲେ। ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ତୃତୀୟ ପକ୍ଷ ମୂଲ୍ୟାୟନ କରାଯାଉଥିବାରୁ ପ୍ରକଳ୍ପ ଗୁଡିକର ଗୁଣାତ୍ମକ ମାନ ବଜାୟ ରହୁଥିବା ପ୍ରକାଶ କରିଥିଲେ।

ବୈଠକରେ ଅଣୁ ଜଳସେଚନ ପାଣ୍ଠି (ମାଇକ୍ରୋ ଇରିଗେସନ ଫଣ୍ଡ) ଅଧିନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ୩୪୨୫ଟି ପ୍ରକଳ୍ପ ପାଇଁ ୧୫୦.୮୯କୋଟି ଟଙ୍କାର ଋଣ ଭାରତ ସରକାରଙ୍କ ଠାରୁ ଅନୁମୋଦନ ମିଳିଥିବା ଜଣାଯାଇଛି ଏବଂ ନାବାର୍ଡକୁ ଏଥିପାଇଁ ଶୀଘ୍ର ଋଣ ମଂଜୁର କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ମତ୍ସ୍ୟ ଓ ଜଳଚାଷ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଏଫଆଇଡିଏଫ୍) ଅଧିନରେ ୯ଟି ପ୍ରକଳ୍ପ ପ୍ରସ୍ତାବ ଉପରେ ଆଲୋଚନା କରଯାଇଥିଲା ।

ଆର.ଆଇ.ଡି.ଏଫ  ପାଣ୍ଠି ଅଧିନରେ ୨୦୨୫-୨୬ ବର୍ଷ ପାଇଁ ରାଜ୍ୟ ବଜେଟରେ ପ୍ରାବଧାନ, କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପରେ ଅଦ୍ୟାବଧି ଖର୍ଚ୍ଚ ଆଧାରରେ  ନାବାର୍ଡକୁ ଅଧିକ ଅର୍ଥ ମଞ୍ଜୁରି ପାଇଁ ପରାମର୍ଶ ଦିଆଯାଇଛି ।

-0-

ପଠାଣି ରାଉତ ,ଲୋକ ସଂପର୍କ  ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *