ଜଳ ସମ୍ପଦ ବିଭାଗରେ ୨୦୨୫ ବର୍ଷ ପାଇଁ ବନ୍ୟାପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୨୯/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୨୦୨୫ବର୍ଷ ପାଇଁ ବନ୍ୟାପ୍ରସ୍ତୁତି ବୈଠକ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯ।ଇଛି । ବୈଠକରୁ ଜଣାଯାଇଛି ଯେ, ବନ୍ୟା ପରିଚାଳନା ପାଇଁ ସମସ୍ତ ଡିଭିଜନ, ସର୍କଲ ଏବଂ ମୁଖ୍ୟଯନ୍ତ୍ରୀଙ୍କ କାର୍ୟ୍ୟାଳୟରେ ବନ୍ୟା ନିୟନ୍ତ୍ରଣ କକ୍ଷଗୁଡ଼ିକ ୧ଜୁନ୍୨୦୨୫ରୁ ୩୧ଅକ୍ଟୋବର୨୦୨୫ ପର୍ୟ୍ୟନ୍ତ ଚବିଶ ଘଣ୍ଟିଆ(୨୪ଙ୍ଘ୭) କାର୍ୟ୍ୟକ୍ଷମ ହେବ ଏବଂ ତତ୍ ସହିତ ସର୍ବୋଚ୍ଚ ଯନ୍ତ୍ରୀ, ଜଳସମ୍ପଦ ବିଭାଗ,ସେଚ ସଦନ କାର୍ୟ୍ୟାଳୟ ଏବଂ ରାଜ୍ୟ ଜଳତତ୍ତ୍ଵ ତଥ୍ୟ କେନ୍ଦ୍ର ),୮ମ ମହଲା,ରାଜୀବ ଭବନରେ ମଧ୍ୟ ଏହି ବନ୍ୟା ନିୟନ୍ତ୍ରଣ କକ୍ଷଗୁଡିକ ସକ୍ରିୟ ରହିବ।

ଜିଲ୍ଲା ପ୍ରଶାସନ ଏବଂ ଜଳସମ୍ପଦ ବିଭାଗର କ୍ଷେତ୍ର ଅଧିକାରୀମାନେ ମିଳିତ ଭାବରେ ସମସ୍ତ ନଦୀବନ୍ଧ ଗୁଡିକୁ ସମ୍ପୃକ୍ତ ଜିଲ୍ଲାପାଳ ଓ ଲୋକପ୍ରତିନିଧି ମାନଙ୍କ ସହ ମିଶି ଯାଞ୍ଚ କରିଛନ୍ତି ।କ୍ଷେତ୍ର ଅଧିକାରୀ ମାନେ ରିପୋର୍ଟ କରିଛନ୍ତି ଯେ ବନ୍ଧ ଗୁଡ଼ିକ ଭଲ ଅବସ୍ଥାରେ ଅଛି। ଯଦିଓ ୨୦୨୪ ବନ୍ୟା ସମୟରେ କୌଣସିପ୍ରକାର ର ଘାଇ ହୋଇନଥିଲା, କିନ୍ତୁ ପୂର୍ବ ବର୍ଷମାନଙ୍କର ଘାଇସ୍ଥାନ ଗୁଡ଼ିକୁ ସ୍ଥାୟୀ ଭାବରେ ପୁନରୁଦ୍ଧାର କରାଯାଇଛି ଏବଂ ଏହି ସ୍ଥାନଗୁଡିକୁ ବନ୍ୟା ସମୟରେ ପ୍ରତ୍ୟକ୍ଷତତ୍ୱାବଧାନରେ ରଖାଯିବ। ନଦୀଏବଂ ଜଳନିଷ୍କାସନ ପ୍ରଣାଳୀ (ଡ୍ରେନେଜ ଚ୍ୟାନେଲ)ରେ ଥିବା ସମସ୍ତ ଅବରୋଧ ତଥା କଫର ଡ୍ୟାମ ଗୁଡିକ ୧୫ଜୁନ ସୁଦ୍ଧା ହଟାଯିବ।

ସମସ୍ତ ବୃହତ ଏବଂ ମଧ୍ୟମ ଜଳଭଣ୍ଡାର ର ଗେଟ ଗୁଡ଼ିକର ମକ ଡ଼୍ରିଲ କରାଯାଇ ବନ୍ୟା ନିୟନ୍ତ୍ରଣ ପାଇଁ ଜଳଭଣ୍ଡାରର ଗେଟ ଗୁଡିକର ଯାଞ୍ଚ ଭଲଭାବରେ ନିରୀକ୍ଷଣ କରି କାର୍ୟ୍ୟକ୍ଷମ କରାଯାଇଅଛି।ଯେକୌଣସି ଘାଇ ଏବଂ ଘଳିଆ ଗୁଡ଼ିକର ପ୍ରତିରୋଧ କରିବା ପାଇଁ କ୍ଷେତ୍ର ବିଭାଗ ଦ୍ୱାରା ଆବଶ୍ୟକୀୟ ସାମଗ୍ରୀ ଯଥା:-ବାଲି,ଖାଲି ସିମେଣ୍ଟ ବସ୍ତା,ବଲ୍ଲା,ବାଉଁଶ ଇତ୍ୟାଦି ଆବଶ୍ୟକ ପରିମାଣରେ ମହଜୁଦ ରଖାଯାଇଅଛି। ତତସହିତ ଜେନେରେଟର,ଜେସିବି,ଏକ୍ସକାଭେଟର, ଟ୍ରକ, ଟିପର, ଟ୍ରାକ୍ଟର, କଟର, ପାଣି ଟ୍ୟାଙ୍କର ଇତ୍ୟାଦି ନିକଟସ୍ଥ ଗ୍ରାମମାନଙ୍କରେ ବ୍ୟବହାର ନିମନ୍ତେ ରଖାଯାଇଛି। ପ୍ରତିଦିନ ଜଳସଂପଦ ବିଭାଗ,କେନ୍ଦ୍ରୀୟ ଜଳ ଆୟୋଗ,ଭାରତୀୟ ପାଣିପାଗ ବିଭାଗ,ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ସହ ସମନ୍ଵୟ ରକ୍ଷାକରାଯାଇ ବର୍ଷା ତଥା ବନ୍ୟାର ପୂର୍ବାନୁମାନ ବିବରଣୀ ନିୟମିତଭାବରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଉପଲବ୍ଧ କରାଯିବା ପାଇଁ ବ୍ୟବସ୍ଥା କରାଯାଇଅଛି। ବନ୍ୟା ନିୟନ୍ତ୍ରଣଏବଂ ଜଳ ନିଷ୍କାସନ ସହିତ ଜଡିତ ପ୍ରତ୍ୟେକ ଡିଭିଜନର ଦୁଇଜଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ମୋବାଇଲ ନମ୍ବର ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଯିବ।

ସୁଚାରୁରୂପେ ବନ୍ୟା ପରିଚାଳନା ପାଇଁ ମାନକ ପରିଚାଳନା ପଦ୍ଧତି (ଏସଓପି) ପାଳନ କରାଯିବ ବୋଲି ଅନୁଷ୍ଠିତ ବୈଠକରୁ ଜଣାଯାଇଛି । ୨୦୨୫ ବର୍ଷରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରି ସତର୍କତାର ସହିତ କାର୍ୟ୍ୟ କରିବାକୁ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଯୋଗଦେଇଥିଲେ।-୦-
ପଠାଣି ରାଉତ ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *