କୃଷି ଶିକ୍ଷା ସଦନ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ୍ ସିଧାସଳଖ କଥା ହେଲେ ଚାଷୀଙ୍କ ସହିତ

ବିକଶିତ କୃଷି ସଂକଳ୍ପ ଅଭିଯାନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଏହି ଅଭିଯାନ ଭାରତୀୟ କୃଷିକୁ ଦେଶର ମୁଖ୍ୟ ଆଧାର କରିବାକୁ ସଂକଳ୍ପ ନେଇଛି  – ପ୍ରଧାନମନ୍ତ୍ରୀ

କୃଷି କ୍ଷେତ୍ରରେ ଆଧୁନିକୀକରଣକୁ ଆଗେଇ ନେଉଥିବା କୃଷକମାନଙ୍କ ପ୍ରଗତି ପାଇଁ ଏହି ଅଭିଯାନ ମାର୍ଗ ପ୍ରଶସ୍ତ କରିବ  – ପ୍ରଧାନମନ୍ତ୍ରୀ

ଆତ୍ମନିର୍ଭରଶୀଳ ଗ୍ରାମୀଣ ଅର୍ଥନୀତିର ବିକାଶର ଚାବିକାଠି ହେବ ବିକଶିତ କୃଷି ସଂକଳ୍ପ ଅଭିଯାନ – ମୁଖ୍ୟମନ୍ତ୍ରୀ

OUAT ଓ ICAR ଭଳି ଅନୁଷ୍ଠାନଗୁଡ଼ିକୁ ଏହି ପରିବର୍ତ୍ତନର ନେତୃତ୍ବ ନେବାକୁ ହେବ  – ମୁଖ୍ୟମନ୍ତ୍ରୀ

କୃଷି ସଂକଳ୍ପ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରନ୍ତୁ  – ମୁଖ୍ୟମନ୍ତ୍ରୀ

‘ଲ୍ୟାବ ଟୁ ଲ୍ୟାଣ୍ଡ’କୁ ସଂଯୋଗ କରିବା ପାଇଁ ବିକଶିତ କୃଷି ସଂକଳ୍ପ ଅଭିଯାନ ଏକ ପ୍ରମୁଖ ମାଧ୍ୟମ – କେନ୍ଦ୍ର କୃଷିମନ୍ତ୍ରୀ

ଭୁବନେଶ୍ୱର, ୨୯/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ପୂର୍ବାହ୍ନରେ ପୁରୀର ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରୁ ଦେଶବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନରେ ଓୟୁଏଟି, ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ୍ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୃଷକ ମାନଙ୍କ ସହିତ ଭେଟି ଆଗାମୀ ୧୫ ଦିନ ଧରି ଚାଲୁ ରହିବାକୁ ଥିବା ଏହି ଅଭିଯାନ ବିଷୟରେ ଆଲୋକପାତ କରିଥିଲେ ।

ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକାଶ କୃଷି ସଂକଳ୍ପ ଅଭିଯାନକୁ ସମ୍ବୋଧିତ କରିଥିଲେ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କୃଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ କୃଷି ବିକାଶକୁ ସମର୍ଥନ କରିବା ପାଇଁ ଏକ ଅନନ୍ୟ ପ୍ରୟାସ। କୃଷି କ୍ଷେତ୍ରରେ ଆଧୁନିକୀକରଣକୁ ଆଗେଇ ନେଉଥିବା କୃଷକମାନଙ୍କ ପ୍ରଗତି ପାଇଁ ଏହି ଅଭିଯାନ ନୂତନ ପଥ ଖୋଲିବ। ମୌସୁମୀ ଆସିବା ଏବଂ ଖରିଫ ଋତୁ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ସହିତ, ଆଗାମୀ ୧୨ ରୁ ୧୫ ଦିନ ମଧ୍ୟରେ ବୈଜ୍ଞାନିକ, ବିଶେଷଜ୍ଞ, ଅଧିକାରୀ ଏବଂ ପ୍ରଗତିଶୀଳ କୃଷକଙ୍କ ଦ୍ୱାରା ଗଠିତ ୨୦୦୦ ଦଳ ୭୦୦ ରୁ ଅଧିକ ଜିଲ୍ଲା ଭ୍ରମଣ କରିବେ ଏବଂ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଚାଷୀଙ୍କ ନିକଟରେ ପହଞ୍ଚିବେ।

ସେ ସମସ୍ତ ଚାଷୀ ଏବଂ ଏହି ଦଳରେ ଅଂଶଗ୍ରହଣକାରୀଙ୍କୁ ତାଙ୍କର ଶୁଭକାମନା ଜଣାଇ ଭାରତର କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମାନଙ୍କ ପ୍ରତିବଦ୍ଧତା ବିଷୟରେ କହିଥିଲେ।

ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ, ସମସ୍ତ ଚାଷୀମାନଙ୍କୁ ପ୍ରଶଂସା କରି କହିଥିଲେ ଯେ, ବୈଜ୍ଞାନିକ ଗବେଷଣା ଏବଂ ସଫଳ କୃଷି ପଦ୍ଧତିଗୁଡ଼ିକ ବ୍ୟାପକ ଚାଷୀ ସମାଜ ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ ଏବଂ ବର୍ତ୍ତମାନ ନୂତନ ଶକ୍ତି ଓ ଜ୍ଞାନକୌଶଳ ସହିତ ଏହି ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆଜିର ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ, ଜାତୀୟ ସ୍ତରର ଏକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ । ଏହା ମାଧ୍ୟମରେ ଭାରତୀୟ କୃଷିର ଦୃଶ୍ୟପଟ ପରିବର୍ତ୍ତନ ହେବ । ବୈଜ୍ଞାନିକ ମାନଙ୍କ ଦ୍ୱାରା ସଠିକ୍ ବୈଷୟିକ ଜ୍ଞାନ କୌଶଳ କିପରି ଚାଷୀ ଭାଇମାନଙ୍କ ପାଖରେ ସିଧା ସଳଖ ପହଞ୍ଚିପାରିବ, ଏହି ଅଭିଯାନ ତାହାକୁ ସୁନିଶ୍ଚିତ କରିବା ସହ ଆମ କୃଷକମାନଙ୍କୁ ସମୃଦ୍ଧ, ସ୍ବାବଲମ୍ବୀ କରାଇବା ସାଙ୍ଗକୁ ସେମାନଙ୍କର ସ୍ୱୟଂସମ୍ପୂର୍ଣ୍ଣ ଭବିଷ୍ୟତ ଗଢିବାରେ ସହାୟକ ହେବ ।

ବୀରଗୋବିନ୍ଦପୁର ଠାରେ କୃଷକ ପଦଯାତ୍ରା, CIFA ରେ କୃଷିଜୀବୀ ମହିଳା ସମ୍ମିଳନୀ, CHES ରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ ଏବଂ OUAT ରେ ଏହି ପ୍ରମୁଖ କାର୍ଯ୍ୟକ୍ରମ, କୃଷି କ୍ଷେତ୍ରରେ ଏକ ନୂତନ ସୂର୍ଯ୍ୟୋଦୟର ଦୃଢ ସମ୍ଭାବନା ସୃଷ୍ଟି କରୁଛି । ଆଜି ଓଡିଶାର କୃଷକମାନେ, କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି। ଆମର ଚାଷୀ ଭାଇମାନେ ପ୍ରତିକୂଳ ପରିସ୍ଥିତିରୁ ଆଗକୁ ଯାଇ ନିଜର ନୂଆ ପଦକ୍ଷେପ, ନିଷ୍ଠା ଏବଂ ଉତ୍ସର୍ଗୀକୃତ ମନୋଭାବ ମାଧ୍ୟମରେ ଖାଦ୍ୟ ନିରାପତ୍ତା ଏବଂ ଗ୍ରାମୀଣ ବିକାଶରେ ନିଜର ବଳିଷ୍ଠ ଅବଦାନ ରଖିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ, ଆମର ଏହି ପଦକ୍ଷେପ ସହିତ OUAT ଓ ICAR ଭଳି ଅନୁଷ୍ଠାନଗୁଡ଼ିକୁ ଏହି ପରିବର୍ତ୍ତନର ନେତୃତ୍ବ ନେବାକୁ ହେବ । ଅତ୍ୟାଧୁନିକ ଗବେଷଣା, ନୂତନ ଜ୍ଞାନ କୌଶଳ ସୃଷ୍ଟି, ସଂପ୍ରସାରଣ ତଥା କୃଷକର ଦକ୍ଷତା ବୃଦ୍ଧି କ୍ଷେତ୍ରରେ କାମ କଲେ, ବିକଶିତ କୃଷି ସଂକଳ୍ପ ଅଭିଯାନ ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବା ସହ, ଜଳବାୟୁ-ପ୍ରତିରୋଧୀ ଏବଂ ବିବିଧ କୃଷିକୁ ପ୍ରୋତ୍ସାହିତ କରିବ। କୃଷି କ୍ଷେତ୍ରରେ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ଏହା ପ୍ରମୂଖ ଭୂମିକା ଗ୍ରହଣ କରିବ ।

ସେ ପୁଣି କହିଥିଲେ ଯେ, ସର୍ବୋପରି ଏହି ଯୋଜନା ଆତ୍ମନିର୍ଭରଶୀଳ ଗ୍ରାମୀଣ ଅର୍ଥନୀତିର ବିକାଶର ଚାବିକାଠି ହୋଇପାରିବ । ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି ଯେ, କୃଷି ସଂକଳ୍ପ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାନ୍ତୁ । ଏହି ଅଭିଯାନ କେବଳ ସରକାରଙ୍କ ନୁହେଁ, ଏହା ହେଉଛି ପ୍ରତ୍ୟେକ ଚାଷୀ, ପ୍ରତ୍ୟେକ ବୈଜ୍ଞାନିକ ଏବଂ ସମସ୍ତ ନାଗରିକମାନଙ୍କ ଅଭିଯାନ।

କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ୍ କହିଥିଲେ, ‘ଏହି ଅଭିଯାନ ଦ୍ୱିପାକ୍ଷିକ ଯୋଗାଯୋଗ ପଦ୍ଧତିରେ କାର୍ଯ୍ୟ କରିବ, ଗୋଟିଏ ପଟେ ବୈଜ୍ଞାନିକମାନେ କୃଷକମାନଙ୍କ ସହିତ ଗବେଷଣା ଏବଂ ବୈଷୟିକ ସୂଚନା ପ୍ରଦାନ କରିବେ, ଅନ୍ୟପଟେ ସେମାନେ କୃଷକମାନଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ବିଷୟରେ ସୂଚନା ସଂଗ୍ରହ କରିବେ। ‘ଲ୍ୟାବ ଟୁ ଲ୍ୟାଣ୍ଡ’କୁ ସଂଯୋଗ କରିବା ପାଇଁ, ଆମର ଭାରତୀୟ କୃଷି ଗବେଷଣା ପରିଷଦ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଏହି ଅଭିଯାନରେ ଆମ କୃଷକ ଭାଇ ଭଉଣୀଙ୍କ ସହ ସହିତ ଜଡିତ ହେବେ।’

ଶ୍ରୀ ଚୌହାନ କହିଥିଲେ ଯେ ଏହି ଅଭିଯାନର କାର୍ଯ୍ୟକାରିତା ପାଇଁ ୧୬ ହଜାର ବୈଜ୍ଞାନିକଙ୍କ ଦଳ ଗଠନ କରାଯାଇଛି, ଯେଉଁମାନେ ଗାଁରୁ ଗାଁ ଯାଇ ଚାଷୀଙ୍କ ସହିତ ଯୋଗାଯୋଗ କରିବେ। ଗୋଟିଏ ଦଳ ଗୋଟିଏ ଦିନରେ ୨ଟି ଗାଁକୁ ଯିବେ। ଏହି ଅଭିଯାନ ୧୫ଦିନ ଧରି ଚାଲିବ ଏବଂ ଚାଷୀଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ହେବ। ଅଞ୍ଚଳର ଜଳବାୟୁ, ପାଣି, ମାଟିର ପୁଷ୍ଟିସାର ଏବଂ ଅନ୍ୟାନ୍ୟ ଜିନିଷକୁ ଦୃଷ୍ଟିରେ ରଖି, ଚାଷୀମାନଙ୍କୁ କେଉଁ ଫସଲ ଚାଷ କରିବା ଉଚିତ, କେଉଁ ପ୍ରକାରର ବ୍ୟବହାର କରିବା ଉଚିତ, ସାର କିପରି ବ୍ୟବହାର କରିବେ ଇତ୍ୟାଦି ବିଷୟରେ ଶିକ୍ଷା ଦିଆଯିବ। ଏହି ଅଭିଯାନ ଓଡ଼ିଶା ଏବଂ ସାରା ଦେଶରେ କୃଷି ପ୍ରଗତିରେ ଏକ ନୂତନ ଯୁଗ ସୃଷ୍ଟି କରିବ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଏକ ବିକଶିତ ଭାରତ ପାଇଁ, ଭାରତୀୟ କୃଷିକୁ ମଧ୍ୟ ବିକାଶ କରିବାକୁ ପଡିବ ଏବଂ ଭାରତୀୟ କୃଷି, ଭାରତର ପ୍ରତ୍ୟେକ ଗାଁର ଆତ୍ମାରେ ଅଛି। ଏହି ଅଭିଯାନ ଦ୍ୱାରା ନିକଟ ଭବିଷ୍ୟତରେ କୃଷି କ୍ଷେତ୍ରରେ, ଆମ ରାଜ୍ୟରେ ନିଶ୍ଚିତ ରୂପେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିବ।

ଏହି ଅବସରରରେ ସମସ୍ତ ଅତିଥିଗଣଙ୍କ କର କମଳରେ “କୃଷି ପରାମର୍ଶ” ପୁସ୍ତିକା ଉନ୍ମୋଚନ ହୋଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ, କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଧନ୍ୟବାଦ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ସଚିବ ଶ୍ରୀ ଦେବେଶ ଚତୁର୍ବେଦୀ, ଓୟୁଏଟିର କୁଳପତି ପ୍ରଫେସର୍ ପ୍ରଭାତ କୁମାର ରାଉଳ,  ଡେପୁଟି ଡାଇରେକ୍ଟର ଜେନେରାଲ୍ ରାଜବୀର ସିଂ, ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଏବଂ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ମଙ୍ଗୀ ଲାଲ୍ ଜାଟ୍ ପ୍ରମୁଖ ମଂଚାସୀନ ଥିଲେ।

Leave a Reply

Your email address will not be published. Required fields are marked *