ବହୁଚର୍ଚ୍ଚିତ ଫରେଷ୍ଟରଙ୍କ ହତ୍ୟାଘଟଣାରେ ୪ଅଭିଯୁକ୍ତ କୋର୍ଟଚାଲାଣ

ଖଜୁରିକଟା,୨୭/୦୫/୨୦୨୫ (ଓଡ଼ିଶା ସମାଚାର)- ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳର ନିଜିଗଡ ସେକ୍ସସନ ଅନ୍ତର୍ଗତ ରାଜମହନପୁରୁ ତଣ୍ଟି ଚିରା ଗ୍ରାମ ମଧ୍ୟ ବର୍ତ୍ତି କଇ ସଂରକ୍ଷିତ ଜଙ୍ଗଲ ପାର୍ଶ୍ଵରେ ଥିବା ଏକ ଫାର୍ମ ହାଉସ ମଧ୍ୟରେ ଗତ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ବନ୍ୟଜନ୍ତୁ ଶିକାରୀଙ୍କୁ ଧରିବାକୁ ଯାଇ ରହସ୍ୟମୟ ଭାବରେ ଶିକାରୀ ଗୁଳିରେ ପ୍ରାଣ ହରାଇଥିବା ଫରେଷ୍ଟର ପ୍ରହ୍ଲାଦ ପ୍ରଧାନ (ମାନସ)ଙ୍କ ହତ୍ୟାକାରୀ ଅଭିଯୁକ୍ତ ୪ ଶିକାରୀଙ୍କୁ  ହିନ୍ଦୋଳ ଥାନା ପୋଲିସ କୋର୍ଟଚାଲାଣ କରିଥିଲା। ତେବେ ଜାମିନ ଅଗ୍ରାହ୍ୟ ହୋଇଯିବାରୁ ସେମାନଙ୍କୁ ଜେଲକୁ ପଠାଇ ଦେଇଥିବା ଜଣା ପଡ଼ିଛି।

ପୋଲିସ ଏହି ଘଟଣାରେ ଗତ ତା ୨୪-୦୫-୨୦୨୫ ରିଖରେ ଥାନାରେ ଏକ ମାମଲା ନଂ ୧୫୧ ରୁଜୁ କରି ଅଟକ ଅଭିଯୁକ୍ତ ମାନଙ୍କୁ ପଚରା ଉଚରା ଜାରି ରଖିଥିଲା। ତଦନ୍ତପରେ ଦଫା ୧୦୩(୧) , ୧୦୯ (୧) , ୩ (୫) ବି ଏନ୍ ଏସ ସେକ୍ସସନ ୨୫ /୨୭ ଆର୍ମସ ଆଇନ ବଳରେ ଗିରଫ ଅଭିଯୁକ୍ତମାନଙ୍କୁ ଗତକାଲି କୋର୍ଟଚାଲାଣ କରିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ହିନ୍ଦୋଳ ଥାନା ଇଲିରୀସୀଙ୍ଗା ଗ୍ରାମର ହତ୍ୟାକାଣ୍ଡ ଘଟିଥିବା ଫାର୍ମହାଉସ ମାଲିକ ଶିବରାମ ପ୍ରଧାନ, ତଣ୍ଟିଚିରା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଦେହୁରୀ, କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କଣ୍ଢାଳ ଗ୍ରାମର ସୁନିଲ କୁମାର ଜେନା ଓ ସେହି ଥାନା ଦେବଭୂଇଁ  ଗ୍ରାମର ଲକ୍ଷ୍ମୀଧର ଆରୁକ ।

ଏହି ଘଟଣାରେ ଆଉ କିଏକିଏ ସଂଶ୍ଲିଷ୍ଟ, ଅପରାଧୀଙ୍କ ଚେର କେଉଁଯାଏ ଲମ୍ବୀଛି ଏବଂ ମାଷ୍ଟରମାଇଣ୍ଡ କିଏ, କେଉଁମାନଙ୍କ ପାଖରେ ଶିକାରୀ ବନ୍ଧୁକ ରହିଛି, କେଉଁମାନେ ଜନ୍ତୁମାଂସ ବେପାରରେ ସଂଶ୍ଲିଷ୍ଟ ଇତ୍ୟାଦି ସମ୍ବନ୍ଧରେ ଅଧିକ ତଥ୍ୟ ହାସଲ ପାଇଁ ହିନ୍ଦୋଳ ଥାନା ପୋଲିସ୍ ଓ ସ୍ଥାନୀୟ ବନବିଭାଗ ଅଧିକ ତଦନ୍ତ ଜାରି ରଖିବା ସହ ଛାନଭିନ ଚଳାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *