କଟକ ବୀରଵାଟିରେ ବାବା ବୈକୁଣ୍ଠନାଥଙ୍କ ଚନ୍ଦନ ଉତ୍ସବ ମହାନନ୍ଦର ସହ ସମାହିତ

କଟକ,୧୮/୦୫/୨୦୨୫ (ଓଡ଼ିଶା ସମାଚାର)-  ବାବା ବୈକୁଣ୍ଠନାଥ ବ୍ରାହ୍ମଚାରୀଙ୍କ ଚନ୍ଦନ ମହୋତ୍ସବ କଟକ ବିରବାଟୀ ଠାରେ  ସ୍ବର୍ଗୀୟ ଆନନ୍ଦର ସହ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବରେ  ବାବା ବୈକୁଣ୍ଠନାଥ ବ୍ରାହ୍ମଚାରୀଙ୍କ ଶହସ୍ରାଧିକ ଭକ୍ତ, ଶ୍ରଦ୍ଧାଳୁ ଏବଂ ଅନୁଗାମୀମାନେ ଯୋଗଦେଇ ବାବା ବୈକୁଣ୍ଠନାଥଙ୍କ ବିଗ୍ରହରେ ଚନ୍ଦନ ଓ ଫୁଲ ପ୍ରଦାନ କରି ଶୀତଳତା ଅନୁଭବ କରିବା ସହ ଗୁରୁ କୃପା ଲାଭ କରିଥିଲେ।

ଦୁଇଦିନ ବ୍ୟାପି ଚନ୍ଦନ ମହୋତ୍ସବର ପ୍ରଥମ ଦିବସର ଅଧିବାସରେ ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ ଏବଂ ପ୍ରବଚନ ଅନୁଷ୍ଠିତ ହୋଇଥିଲା। ପୂର୍ଣ୍ଣିମା ଦିନ ପ୍ରାତଃ ୪ ଘଟିକାରେ ଶଙ୍ଖନାଦ କରାଯାଇ ପ୍ରାତଃ ପ୍ରାର୍ଥନା ପରେ ପରେ କୀର୍ତ୍ତନ, ପୂଜାର୍ଚ୍ଚନା କରାଯାଇ ଭଜନ ପରିବେଷଣ କରାଯାଇଥିଲା।ମଧ୍ୟାହ୍ନରେ ପ୍ରସାଦ ସେବନ ପରେ ପରେ ଦିବା ୩ ଘଟିକାରୁ ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡ଼ିରେ ଶୃଙ୍ଖଳାର ସହ ଯାଇ ବାବାଙ୍କ ରାହାସ କୀର୍ତ୍ତନର ତାଳେତଳେ ଶ୍ରୀ ଅଙ୍ଗରେ ଫୁଲ ଚନ୍ଦନ ଅର୍ପଣ କରିଥିଲେ। ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଚନ୍ଦନ ଲାଗି କରାଯାଇ ଥିଲା।

ତାପରେ ବାବାଙ୍କ ବିଗ୍ରହକୁ ବୀମାନରେ ନିଆଯାଇ ଗାଧୁଆପାଧୁଆ କରାଯାଇ ପୁନର୍ବାର ମଣ୍ଡପକୁ ଅଣାଯାଇ ଆରତୀ, କୀର୍ତ୍ତନ, ଭଜନ ଏବଂ ବାବାଜି ଅମୃତାନନ୍ଦଙ୍କ ଦ୍ୱାରା ବାବାଙ୍କ ଅମୃତବାଣୀକୁ ପ୍ରବଚନ ଆକାରରେ ପରିବେଷଣ କରାଯାଇଥିଲା।ପରେ ପରେ ବାବାଙ୍କ ଆଧ୍ୟାତ୍ମିକ ସଂଗୀତକୁ ଓଡିଶୀ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇ ଉତ୍ସବ ଉଦଯାପନ କରାଯାଇଥିଲା।

ବାବାଙ୍କ କେନ୍ଦ୍ରାପଡା ଆଶ୍ରାମର ମହନ୍ତ ବାବାଜି ଚେତନାନନ୍ଦ ଦାସଙ୍କ ତତ୍ତ୍ଵବଧାନରେ  ବାବାଜି ବାଳକାନନ୍ଦ ଦାସ, ବାବାଜୀ ସତ୍ୟାନନ୍ଦ ଦାସ ବାବାଜୀ ଅମୃତାନନ୍ଦ ଦାସ ଏବଂ ବାବାଜି ନିର୍ଭୟାନନ୍ଦ ଦାସ ପ୍ରମୁଖଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏବଂ ବିରବାଟି  ତଥା ନିକଟବର୍ତ୍ତୀ ଗ୍ରାମ ବାସୀ ମାନଙ୍କ ନିଷ୍ଠାପୂର୍ଣ୍ଣ ସାହାଯ୍ୟ ସହଯୋଗ ଏବଂ ଆତିଥେୟତା ତଥା ବାବାଙ୍କ ପ୍ରତିଷ୍ଠିତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିଷ୍ୟ ଶିଷ୍ୟା ବୃନ୍ଦଙ୍କ ଭକ୍ତିପ୍ଲୁତ ପରିଚର୍ଯ୍ୟାରେ ଉତ୍ସବଟି  ସ୍ବର୍ଗୀୟ ଆନନ୍ଦର ସହ ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *