ଭାରତୀୟ ଖାଦ୍ୟ ନିଗମ ଅବସରପ୍ରାପ୍ତ କର୍ମଚାରୀ ମଙ୍ଗଳ ସମିତି ଓଡ଼ିଶାର ତ୍ରୈମାସିକ ସମ୍ମିଳନୀ

ଭୁବନେଶ୍ୱର,୧୭/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଭାରତୀୟ ଖାଦ୍ୟ ନିଗମ ଅବସରପ୍ରାପ୍ତ କର୍ମଚାରୀ ମଙ୍ଗଳ ସମିତି ଓଡ଼ିଶାର ତୈ୍ରମାସିକ ସମ୍ମିଳନୀ ସ୍ଥାନୀୟ ଅଶୋକ ନଗରସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରୁ ସମିତିର ଦିବଂଗତ ସଭ୍ୟ ଯଥା : (୧) ନିହାର ରଞ୍ଜନ ପଟ୍ଟନାୟକ (୨) ରାହାସମଣି ମହାପାତ୍ର (୩) କୈଳାସ ଚନ୍ଦ୍ର ନାୟକ (୪) ଭାସ୍କରଚନ୍ଦ୍ର ଦାଶ (୫) ବେଣୁଧର ସ୍ୱାଇଁ (୬) ନବ କୁମାର କୁଣ୍ଡୁ (୭) ଗଗନ ବିହାରୀ ଜେନାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ଗତ ଏପ୍ରିଲ ୬ ତାରିଖ ତିରୁମନନ୍ତପୁର କେରଳରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ କେନ୍ଦ୍ରୀୟ କମିଟିର ଯୁଗ୍ମ ସମ୍ପାଦକ ରୂପେ ଓଡ଼ିଶାର ଶ୍ରୀଯୁକ୍ତ ମୁରଲୀ ମୋହନ ଆଚାର୍ଯ୍ୟ ନିର୍ବାଚିତ ହୋଇଥିବାରୁ ତାଙ୍କୁ ସମିତି ତରଫରୁ ସମିତିର ପୃଷ୍ଠପୋଷକ ତଥା ଉପଦେଷ୍ଟା ଶ୍ରୀଯୁକ୍ତ ସତ୍ୟେନ୍ଦ୍ର ଲାଲ ବୋଷ ପୁଷ୍ପଗୁଚ୍ଛ ଓ ସାଲ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କଟକ ଖାଦ୍ୟ ନିଗମ ଅବସରପ୍ରାପ୍ତ କର୍ମଚାରୀଙ୍କ ତରଫରୁ ଶ୍ରୀଯୁକ୍ତ ଭାଗ୍ୟଧର ଶତପଥୀ ସାଲ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଭାରତ ସରକାର ତଥା ଆମର ପ୍ରତିରକ୍ଷା ବିଭାଗର ଅପରେସନ ସିନ୍ଦୁର ନାମରେ ନିଆଯାଇଥିବା ସଠିକ୍ ପଦକ୍ଷେପର ଭୂୟସୀ ପ୍ରଶଂସା କରାଯାଇଥିଲା ।
ସମିତିର ବର୍ତମାନ କମିଟିର କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ମାସରେ ଶେଷ ହେଉଥିବାରୁ ଓ ସମିତିର ପରିଚାଳନା ନିମନ୍ତେ କମିଟିର କାର୍ଯ୍ୟକାଳ ଆଗାମୀ ତିନିବର୍ଷ ନିମନ୍ତେ ବୃଦ୍ଧି କରିବାର ପ୍ରସ୍ତାବ ସର୍ବସମ୍ମତିକ୍ରମେ ଅନୁମୋଦିତ ହୋଇଥିଲା ।

ସମିତିର ତ୍ରୈମାସିକ ସମ୍ମିଳନୀ ସହିତ ପ୍ରତିମାସରେ ଥରେ ଏକାଠି ହେବାର ଚେଷ୍ଟା କରିବାକୁ ସଭ୍ୟମାନେ ମତ ଦେଇଥିଲେ । ସମିତିର ସଭାପତି ଶ୍ରୀ ଗୋବିନ୍ଦଚନ୍ଦ୍ର ଦାଶ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ବ୍ରହ୍ମପୁର ଓ ସମ୍ବଲପୁର ପରି ଦୂର ସ୍ଥାନରୁ ଯୋଗ ଦେଇଥିବା ପ୍ରତିନିଧିଙ୍କ ସହ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତି ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *