ନାବାଳିକା ନିଖୋଜ ର ୨୫ ଦିନ ବିତିଲା , ପୋଲିସ ହାତ ଖାଲି

ଭୁବନ ୧୫/୦୫/୨୦୨୫ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ରେ କ୍ଲାସ ସାରି ଫେରୁଥିବା ବେଳେ ଜନୈକା ନାବାଳିକା ଅପହରଣ ହେବାର ୨୫ ଦିନ ବିତିଯାଇଥିବା ବେଳେ ପୋଲିସ ଅଭିଯୁକ୍ତ ଆସାମୀ ର ଟେର ପାଉନି , ହାତ ଖାଲି କରି ବସିଥିବା ଅଭିଯୋଗ ହୋଇଛି ।

ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ , ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମର ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ କଳା ରେ ଅଧ୍ୟୟନ କରୁଥିବା ଜନୈକା ୧୬ ବର୍ଷର ନାବାଳିକା ଗତ ଅପ୍ରେଲ ମାସ ୨୨ ତାରିଖ ମଙ୍ଗଳବାର ସକାଳ ୭ ଘଟିକା ସମୟରେ ତାଙ୍କ ସାନ ଭଉଣୀ ସହିତ ମୃଦଙ୍ଗା ଆଞ୍ଚଳିକ ମହାବିଦ୍ୟାଳୟ କୁ ଅଧ୍ୟୟନ କରିବାକୁ ଆସିଥିଲେ । ତାଙ୍କ ସାନ ଭଉଣୀ ବାହାରେ ଅପେକ୍ଷା କରିଥିଲା । କ୍ଲାସ ଶେଷ ହେବା ପରେ ସବୁ ପିଲା ଆସିଲେ କିନ୍ତୁ ତାଙ୍କ ବଡ ଭଉଣୀ ନଆସିବାରୁ ସେ କାନ୍ଦି କାନ୍ଦି ଯାଇ ଘରେ ଜଣାଇଥିଲେ ।

ପରିବାର ଲୋକେ ଝିଅ ନିଖୋଜ ସମ୍ପର୍କରେ ଝିଅର ସାଙ୍ଗ ସାଥୀ ଓ ବନ୍ଧୁ ବାନ୍ଧବଙ୍କୁ ଜଣାଇବା ସତ୍ତ୍ୱେ କୌଣସି ସନ୍ଧାନ ମିଳିନଥିଲା । ତାଙ୍କ ଗ୍ରାମ ନିକଟସ୍ଥ କନ୍ତିରା ଗ୍ରାମ ର ରବି ମଲିକ ଙ୍କ ପୁଅ ସଂଗ୍ରାମ ମଲିକ ତାଙ୍କ ଝିଅ କୁ ଭଲ ପାଉଥିଲା , ସେ ତାକୁ ଅପହରଣ କରି ନେଇଯାଇଥିବା ସମ୍ପର୍କରେ ଝିଅର ମା ‘ ଅପ୍ରେଲ ୨୩ ତାରିଖରେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଭୁବନ ଥାନା ତରଫରୁ କେଶ୍ ନମ୍ବର ୧୯୧/୨୦୨୫ ବି ଏନ୍ ଏସ ଦଫା ୧୩୭(୨) ରେ ମାମଲା ରୁଜୁ କରି ଏସ ଆଇ ଏମ୍ ଆର ନାୟକ ଙ୍କୁ ତଦନ୍ତ ଦାୟିତ୍ଵ ଦେଇଥିଲା । ଏହି ଘଟଣାର ୧୫ ଦିନ ପରେ ପରିବାର ତରଫରୁ ଢେ଼ଙ୍କାନାଳ ଆରକ୍ଷୀ ଅଧିକ୍ଷକ ଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ। ତଥାପି ଇତି ମଧ୍ୟରେ ଦୀର୍ଘ ୨୫ ଦିନ ବିତି ଯାଇଥିବା ବେଳେ ଅଭିଯୁକ୍ତ ଆସାମୀ କୁ ପୋଲିସ ଠାବ କରିବାରେ ବିଫଳ ହୋଇଛି ।

Leave a Reply

Your email address will not be published. Required fields are marked *