ବିଶ୍ୱ ନୃତ୍ୟ ଦିବସ : ଓଡ଼ିଶୀ, ଛଉ,ସମ୍ବଲପୁରୀ ଏବଂ ହୋ ମୁଣ୍ଡା ନୃତ୍ୟରେ ଦର୍ଶକ ବିମୋହିତ

ଭୁବନେଶ୍ୱର,୩୦/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ “ବିଶ୍ୱ ନୃତ୍ୟ ଦିବସ” ପାଳିତ ହୋଇଯାଇଛି। ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଏବଂ ଲୋକନୃତ୍ୟର ବହୁଳ ପ୍ରଚାର ଓ ପ୍ରସାର କରିବା ସହିତ ଆମ ନୃତ୍ୟ ପରମ୍ପରା ଏବଂ ଐତିହ୍ୟକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଆଜି ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ “ବିଶ୍ୱ ନୃତ୍ୟ ଦିବସ” ପାଳନ କରାଯାଇଥିଲା।

“ବିଶ୍ୱ ନୃତ୍ୟ ଦିବସ” ଅବସରରେ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଶୀ ନୃତ୍ୟ (ନୃତ୍ୟଶିଳ୍ପୀ ଶୁଭଲକ୍ଷ୍ମୀ ପଣ୍ଡା ଓ ସାଥୀଙ୍କ ଦ୍ୱାରା), ସମ୍ବଲପୁରୀ ନୃତ୍ୟ (ନୃତ୍ୟଶିଳ୍ପୀ ଆଲୋକ ପଣ୍ଡା ଓ ସାଥୀଙ୍କ ଦ୍ୱାରା), ପୁରୁଲିଆ ଛଉ ନୃତ୍ୟ (ନୃତ୍ୟଶିଳ୍ପୀ ଦିଲୀପ ଚନ୍ଦ୍ର ମାହତୋ ଓ ସାଥୀଙ୍କ ଦ୍ୱାରା) ଏବଂ ହୋ ମୁଣ୍ଡା ନୃତ୍ୟ (ଆଦିମ୍ ସଂସ୍କୃତି ପକ୍ଷରୁ) ଆଦିର ପରିବେଷଣ କରାଯାଇଥିଲା।

 କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ ଏବଂ ଗୋଟିପୁଅ ନୃତ୍ୟଗୁରୁ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ଶ୍ରୀ ପାଲ୍ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଏବଂ ଲୋକନୃତ୍ୟ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ନୃତ୍ୟ ହେଉଛି ଶିଳ୍ପୀର ସୃଜନଶୀଳତାକୁ ପରିପ୍ରକାଶ କରିବାର ଏକ ବଳିଷ୍ଠ ମାଧ୍ୟମ। ଆମ ଶାସ୍ତ୍ରୀୟ ଏବଂ ଲୋକନୃତ୍ୟ ଆମ ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ନିଚ୍ଛକ ନିଦର୍ଶନ ଏବଂ ଏହାର ବହୁଳ ପ୍ରଚାର ଓ ପ୍ରସାର ଦିଗରେ ଆମେ ସମସ୍ତେ ସଦାସର୍ବଦା ଚେଷ୍ଟିତ ରହିବା ଉଚିତ୍‌ ବୋଲି ଗୁରୁ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଲ୍ ମତପ୍ରକାଶ କରିଥିଲେ।

ସେହିପରି ଭାବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ମଧ୍ୟ ଆଜି “ବିଶ୍ୱ ନୃତ୍ୟ ଦିବସ” ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଓଡ଼ିଶୀ ନୃତ୍ୟ (ଜଗନ୍ନାଥ ଅଷ୍ଟକମ୍, ଭାବରଙ୍ଗ ଓ ଶକ୍ତି) ଏବଂ ଛଉନୃତ୍ୟ (ମହାଦେବ) ପରିବେଷଣ କରିଥିଲେ।

ବିଶ୍ୱ ନୃତ୍ୟ ଦିବସ ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ବହୁଳ ଭାବରେ ଦର୍ଶକମାନେ ଯୋଗଦେଇ ପ୍ରଦର୍ଶିତ ହୋଇଥିବା ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଏବଂ ଲୋକନୃତ୍ୟର ପ୍ରଶଂସା କରିଥିଲେ। ଏଥିସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କରାଯାଇଥିବା ଏହି ଅଭିନବ ପ୍ରୟାସ ସ୍ୱାଗତଯୋଗ୍ୟ ବୋଲି ବିଭିନ୍ନ ନୃତ୍ୟଶିଳ୍ପୀ, କଳାକାର, ବୁଦ୍ଧିଜୀବି ଏବଂ ଦର୍ଶକମାନେ ମତପ୍ରକାଶ କରିଥିଲେ।

-0-

ଅମ୍ଳାନ ଦାସ  ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *