ଅସରାଏ ବର୍ଷାରେ ଶ୍ରମ କାର୍ଯ୍ୟାଳୟ ପରିସରରେ ଆଣ୍ଠୁଏ କାଦୁଅ

କେନ୍ଦ୍ରାପଡ଼ା,୨୨/୦୪/୨୦୨୫(ଓଡ଼ିଶା ସମାଚାର)- ଅସରାଏ ବର୍ଷାରେ କେନ୍ଦ୍ରାପଡ଼ା ଜିଲା ପ୍ରଭାଗୀୟ ଶ୍ରମ ସଂସ୍ଥାପକଙ୍କ କାର୍ଯ୍ୟାଳୟ ପରିସରରେ ଆଣ୍ଠୁଏ କାଦୁଅ ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ଶ୍ରମିକ ଓ କର୍ମଚାରୀମାନେ ଯିବା ଆସିବାରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ବର୍ଷା ହେଲେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କେତେକ ଶ୍ରମିକ ନେତା କହିଛନ୍ତି ।

ସେହିପରି ଏହା ପରିସରକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଶ୍ରମିକମାନେ ମଧ୍ୟ ହଇରାଣ ହରକତ ହେଉଥିବା ପ୍ରକାଶ କରିଛନ୍ତି । କେବଳ ଶ୍ରମିକ ନୁହଁନ୍ତି ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଓ ଅଧିକାରୀମାନେ ମଧ୍ୟ ହଇରାଣ ହରକତ ହେଉଥିବା ପ୍ରକାଶ କରିଛନ୍ତି । ଶ୍ରମିକ ନେତା ଫକୀର ଚରଣ ଖଟୁଆ କହିଛନ୍ତି ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଛି । ଶ୍ରମ କାର୍ଯ୍ୟାଳୟକୁ ଲାଗି ରହିଛି ଚକବନ୍ଦୀ କାର୍ଯ୍ୟାଳୟ । ତେଣୁ ପ୍ରତିଦିନ ଶତାଧିକ ଲୋକ ଓ କର୍ମଚାରୀ ଏହି ସ୍ଥାନକୁ ଯିବା ଆସିବା କରୁଛନ୍ତି । ଏହି ରାସ୍ତା ପୂର୍ବରୁ ଖାଲଖମା ଥିଲା । ବହୁ ଦାବି ପରେ ରାସ୍ତାର କିଛି ଅଂଶ ପେଭର ବ୍ଲକ ପଡିଛି ।

କିନ୍ତୁ ରାସ୍ତାର ଅବଶିଷ୍ଟ ଅଂଶ ମାଟି କାଦୁଅରେ ଭରପୁର ରହିଛି । ତେଣୁ ଅସମ୍ପୂର୍ଣ୍ଣ ରାସ୍ତାକୁ ସଂପୂର୍ଣ୍ଣ କରାଯାଉ । ଏଥିସହ ଶ୍ରମ କାର୍ଯ୍ୟାଳୟ ଓ ଚକବନ୍ଦୀ କାର୍ଯ୍ୟାଳୟ ପରିସରକୁ ପକ୍କା କରାଯାଉ । ଫଳରେ ସାଧାରଣ ଲୋକ, ଅଧିକାରୀ, କର୍ମଚାରୀ ଓ ଶ୍ରମିକମାନେ କାର୍ଯ୍ୟାଳୟକୁ ସୁବିଧାରେ ଯିବା ଆସିବା କରିପାରିବେ । ପ୍ରଭାଗୀୟ ଶ୍ରମ ସଂସ୍ଥାପକ ଶ୍ରୀ ମହାନ୍ତିଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କହିଲେ ଯେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ଏହାର ପ୍ରତିକାର କରାଯିବ ବୋଲି ଆଶ୍ୱାସନା ମିଳିଛି ।

Leave a Reply

Your email address will not be published. Required fields are marked *