ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପ୍ରଦର୍ଶନୀରେ ଓଡ଼ିଆପ୍ରେମୀଙ୍କ ଉତ୍ସାହ

                                     ମେଳା ବୁଲି ଏଆର୍/ଭିଆର୍ ଅନୁଭୂତି ନେଉଛନ୍ତି ସରକାରୀ ଅଧିକାରୀ

ଭୁବନେଶ୍ୱର, ୦୭/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ବରସ୍ଥିତ ଜନତା ମଇଦାନରେ ଚାଲିଛି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଦର୍ଶନୀ । ପ୍ରଦର୍ଶନୀର ପଞ୍ଚମ ଦିବସରେ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ଭାଷା ପ୍ରଦର୍ଶନୀକୁ ନେଇ ଉତ୍ସାହ  ଦେଖିବାକୁ ମିଳିଛି । ବଡ ବଡ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା, ସମସ୍ତେ ପ୍ରଦର୍ଶନୀର ମଜା ନେଉଛନ୍ତି । ଏହିକ୍ରମରେ ଆଜି ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍, ସ୍ବତନ୍ତ୍ର କାର୍ଯ୍ୟକ୍ରମର ମୁଖ୍ୟ ପରାମର୍ଶଦାତା ଆର୍.ବାଲକ୍ରିଷ୍ଣନ, ଆଇଟି ପ୍ରମୁଖ ଶାସନସଚିବ ଶ୍ରୀ ମନୋଜ ମିଶ୍ର ପରିଦର୍ଶନରେ ଆସି ପ୍ରଦର୍ଶନୀ ବୁଲି ଦେଖିଥିଲେ । ଗୋଟିଏ ଛାତ ତଳେ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଏବଂ ଐତିହ୍ୟକୁ ନେଇ ପ୍ରଦର୍ଶିତ ବିଭିନ୍ନ ବିଷୟକୁ ପାଖରୁ ଦେଖି ଖୁସି ହୋଇଥିଲେ।

ବିଶାଳ ପ୍ରଦର୍ଶନୀର ପ୍ରାଚୀନ, ମଧ୍ୟ ଓ ଆଧୁନିକ ତିନୋଟି ବିଭାଗ ବୁଲି ଓଡ଼ିଆ ଭାଷା, ସାହିତ୍ୟ, କଳା ଏବଂ ଓଡ଼ିଶାର ଇତିହାସ ସମ୍ପର୍କିତ ବିଭିନ୍ନ ବିଷୟ ଦେଖିଥିଲେ। ପ୍ରଦର୍ଶନୀର ତୃତୀୟ ପର୍ଯ୍ୟାୟରେ ଥିବା ‘ଡୋମ୍ ଅଫ୍ ଦ ଫ୍ୟୁଚର’କୁ ଯାଇ ଆଧୁନିକ ଏଆର୍/ଭିଆର୍ ଅନୁଭୂତି ମଧ୍ୟ ନେଇଥିଲେ । ସେଠାରେ ପ୍ରଦର୍ଶିତ ଅତ୍ୟାଧୁନିକ କଥାକୁହା ରୋବୋଟ୍, ଆଧୁନିକ ଓଡ଼ିଆ କି-ବୋର୍ଡ ଓ ଫଣ୍ଟ, ଓଡ଼ିଆ ୱିକିପିଡିଆ, ମୁଁ ଓଡ଼ିଆଇ-ଲର୍ଣ୍ଣିଂ ଆପ୍ ଆଦି ଦେଖିଥିଲେ। ସେହିପରି ଏଆର ର୍ଏବଂ ଭିଆର ର୍ବ୍ୟବହାର କରି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ୩-ଡି ୱାକ୍ଥ୍ରୁ ଏବଂ ଓଡ଼ିଶାର ବିଭିନ୍ନ ଐତିହ୍ୟସ୍ଥଳର ଭିଡିଓ ଦେଖିଥିଲେ । ପ୍ରଦର୍ଶନୀ ପରିସରରେ ଥିବା ଭ୍ରାମ୍ୟମାଣ ପାଠଗାରକୁ ଶ୍ରୀଯୁକ୍ତ ପାଣ୍ଡିଆନ୍ ଦେଖି ଏହା ଛାତ୍ରଛାତ୍ରୀ ଓ ଯୁବପିଢିକୁ ପ୍ରେରଣା ଦେବ ବୋଲି କହିଥିଲେ।ଏହି ପ୍ରଦର୍ଶନୀ ଦିନ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହୁଛି।

              ତିନିଦିନ ଧରି ଚାଲିଥିବା ବିଶ୍ବ ଓଡିଆ ଭାଷା ସମ୍ମିଳନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି ଅନ୍ତର୍ଜାତୀୟ ସମ୍ମିଳନୀ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟର ଉତ୍ପତ୍ତି ଓ କ୍ରମବିକାଶ ସହିତ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟକୁ ନେଇ ଏକ ବିଶାଳ ପ୍ରଦର୍ଶନୀ କରାଯାଇଥିଲା। ଏହାକୁ ପ୍ରାଚୀନ, ମଧ୍ୟଯୁଗୀୟ ଓ ଆଧୁନିକ ତିନୋଟି ଭାଗରେ ବିଭକ୍ତ କରି ଏଥିରେ ବିଭିନ୍ନ ବିରଳ ଐତିହାସିକ ଜିନିଷ ପ୍ରଦର୍ଶନ କରାଯାଉଛି। ଏହି ପ୍ରଦର୍ଶନୀ ସମସ୍ତଙ୍କ ମନକୁ ଛୁଇଁଛି। ତେଣୁ କିପରି ଅଧିକ ଲୋକ ଏହାକୁ ଦେଖିବାର ସୁଯୋଗ ପାଇବେ ସେଥିପାଇଁ ପ୍ରଦର୍ଶନୀକୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯାଇଛି ।

ବିଶ୍ବସ୍ତରରେ ଚାଲିଥିବା ଏହି ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା ଏହାର ପ୍ରଦର୍ଶନୀ କକ୍ଷ । ଲୋକଙ୍କ ମଧ୍ୟରେ ଏହି କକ୍ଷକୁ ଦେଖିବାର ଉତ୍ସାହ ବଢିଥିଲା । ସାଧାରଣ ଜନତା, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଭାଷାପ୍ରେମୀ, ଐତିହ୍ୟପ୍ରେମୀ ସମସ୍ତେ ଏହାର ମଜା ନେଇପାରୁଛନ୍ତି । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ପାଇଁ ପ୍ରଦର୍ଶନୀରେ ବିଭିନ୍ନ କଳାକୃତି ସମ୍ପର୍କରେ ଉଭୟ ଓଡିଆ ଓ ଇଂରାଜୀରେ ସୂଚନା ଦିଆଯାଇଛି । ଏହି ପ୍ରଦର୍ଶନୀର ମୂଳ ଉଦ୍ଦେଶ୍ୟ ହେଉଛି ଆଗାମୀ ପିଢିକୁ ଓଡିଆ ଭାଷା ସହ ଯୋଡିବା । ଭାଷା ହିଁ ଆମ ଭବିଷ୍ୟତ ତେଣୁ ଭବିଷ୍ୟତର ପିଢି ସହ ଭାଷାକୁ ଯୋଡିବା ପାଇଁ ଏହି ପ୍ରଦର୍ଶନୀରେ ଆଦିମ ମାନବଠାରୁ ଆରମ୍ଭ କରି ରୋବୋଟ୍ ଯାଏଁ ସମସ୍ତପ୍ରକାର ପ୍ରଦର୍ଶନୀ ଏଠାରେ ରହିଛି । ଭାଷାର କ୍ରମବିକାଶ, ପ୍ରାକ୍ ଐତିହାସିକ ବାର୍ତ୍ତା, ଐତିହାସିକ ମୁଦ୍ରା, ଓଡିଶାର ତାଳପତ୍ରପୋଥି, ସ୍ବାଧୀନତା ସଂଗ୍ରାମୀ, ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନ, ନୌବାଣିଜ୍ ଇତିହାସ, ଜନଜାତିଙ୍କ ଭାଷା ଓ ସଂସ୍କୃତି, ମୁଦ୍ରଣ ବିଭାଗ, ଓଡିଶାର ସମୃଦ୍ଧ ଚଳଚ୍ଚିତ୍ର ଆଦି ସମ୍ପର୍କରେ ଭୁବନେଶ୍ବରବାସୀ ଦେଖିବାକୁ ପାଉଛନ୍ତି ।

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଜ୍ଞାନ ଓ ବୈଷୟିକ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଆ ଭାଷାରେ ପ୍ରବନ୍ଧ ଲିଖନ, ବକ୍ତୃତା, ଜଗନ୍ନାଥ ସଂଗୀତ ଏବଂ ବିଜ୍ଞାନକୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହାସହ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ଓଡ଼ିଆରେ ପ୍ରସ୍ତୁତ ସ୍ୱତନ୍ତ୍ର ‘ବିଜ୍ଞାନ ଶବ୍ଦକୋଷ’କୁ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଲୋକାର୍ପଣ କରିଥିଲେ। ବିଜ୍ଞାନ ପ୍ରତି ଆଗ୍ରହ ରଖୁଥିବା ପିଲାମାନଙ୍କ ପାଇଁ ଏହି ଶବ୍ଦକୋଷ ବେଶ୍ ଉପାଦେୟ ହେବ।ଜଗନ୍ନାଥ ଚେତନା, ଓଡ଼ିଆ ଭାଷାର ଉତ୍ପତ୍ତି ଏବଂ ବିକାଶ, ଓଡ଼ିଆ ଭାଷାର ଶାସ୍ତ୍ରୀୟ ବିଶେଷତ୍ତ୍ୱ,  ଓଡ଼ିଶାର ପ୍ରତ୍ନତତ୍ତ୍ୱ, ଆଧୁନିକ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଲୋକସଂସ୍କୃତି ଏବଂ ବିଜ୍ଞାନର ଭାଷା ଓଡ଼ିଆ – ଏଭଳି ବିଭିନ୍ନ ବୈଷୟିକ ଓ ବୌଦ୍ଧିକ ବିଷୟରେ ଛାତ୍ରବକ୍ତାମାନେ ବକ୍ତବ୍ୟ ରଖି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିପାରିଛନ୍ତି ।

       ବିଶ୍ବ ଓଡିଆ ଭାଷା ସମ୍ମିଳନୀ ହେଉଛି ଓଡିଆ ଜାତିର ଅସ୍ମିତାର ପର୍ବ । ଏହାର ପ୍ରଚାରପ୍ରସାର ଜରୁରୀ । ସମଗ୍ର ବିଶ୍ବରେ ରହୁଥିବା ସମସ୍ତ ଓଡିଆଙ୍କ ପାଇଁ ଏହା ଏକ ଗର୍ବ ଏବଂ ଗୌରବର ବିଷୟ । ପ୍ରବୀଣ ଏବଂ ଅଭିଜ୍ଞଙ୍କ ସହ ଯୁବପିଢ଼ିର ଏହି ସମନ୍ୱୟ ଭାଷା ସମ୍ମିଳନୀର ଏକ ବିଶେଷ ଦିଗ ହୋଇପାରିଛି । ଓଡ଼ିଶାର ପ୍ରାଚୀନ ଐତିହ୍ୟ ସହିତ ନୂଆପିଢ଼ିର ପରିଚୟ କରିବା ଓ ଓଡ଼ିଆ ଭାଷାର କିପରି ବହୁଳ ବ୍ୟବହାର କରାଯାଇପାରିବ ସେଥିପାଇଁ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ ଉଦ୍ୟମ କରୁଛନ୍ତି।

Leave a Reply

Your email address will not be published. Required fields are marked *