ଷଷ୍ଠ ଜିଲ୍ଲା ପରିଷଦ, ଖୋର୍ଦ୍ଧାର ଚତୁର୍ଥ ସାଧାରଣ ବୈଠକ

 ଖୋର୍ଦ୍ଧା ୧୬/୦୪/୨୦୨୫ (ଓଡ଼ିଶା ସମାଚାର)-  ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଷଷ୍ଠ ଜିଲ୍ଲା ପରିଷଦ, ଖୋର୍ଦ୍ଧାର ଚତୁର୍ଥ ସାଧାରଣ ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ   ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି ।  ଏହି ବୈଠକରେ ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ,ମାନ୍ୟବର ବିଧାୟକ,ଜୟଦେବ, ଶ୍ରୀଯୁକ୍ତ ନବ କିଶୋର ମଲ୍ଲିକ, ମାନ୍ୟବର ବିଧାୟକ, ଜଟଣୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ,ମାନ୍ୟବର ବିଧାୟକ, ବେଗୁନିଆ,ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ମାନ୍ୟବର ସାଂସଦ,ଭୁବନେଶ୍ୱର ଙ୍କ ପ୍ରତିନିଧି,ଶ୍ରୀ ଅଶୋକ ପଟ୍ଟନାୟକ, ମାନ୍ୟବର ସାଂସଦ, ପୁରୀଙ୍କ ପ୍ରତିନିଧି,ଉପ ସଭାପତି,ଜିଲ୍ଲା ପରିଷଦ, ଖୋର୍ଦ୍ଧା, ଶ୍ରୀ ଗୋପୀନାଥ ମହାରଣା , ଜିଲ୍ଲାପାଳ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ,ଜିଲ୍ଲା ପରିଷଦ, ଖୋର୍ଦ୍ଧା,ଶ୍ରୀ ଚଞ୍ଚଳ ରାଣା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ,ବନଖଣ୍ଡ ଅଧିକାରୀ, ଖୋର୍ଦ୍ଧା, ପୂର୍ଣ୍ଣିମା ପାଣ୍ଡିଆନ ଯୋଗଦେଇଥିଲେ ।

 ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପ ଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଯାଇଥିଲା ।  ପରେ ତା ୦୪.୧୦.୨୦୨୪ରିଖରେ ଅନୁଷ୍ଠିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲା ପରିଷଦର ତୃତୀୟ ସାଧାରଣ ବୈଠକ ବିବରଣୀକୁ ଆଲୋଚନା କରାଯାଇ ଦୃଢ଼ୀକରଣ କରାଯାଇଥିଲା ।  ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ନିଜ ଉଦବୋଧନରେ କହିଲେଯେ ଜାତି,ଧର୍ମ,ବର୍ଣ୍ଣ, ଲିଙ୍ଗ, ଭାଷା,ଦଳ, ନିର୍ବିଶେଷରେ ପ୍ରଶାସନ ଓ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ନିଷ୍ଠାପର ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସୁଚାରୁରୂପେ ପରିଚାଳନ। କରି କାର୍ଯ୍ୟ କଲେ ରାଜଧାନୀକୁ ପରିମଣ୍ଡନ କରୁଥିବା ଖୋର୍ଦ୍ଧା ଜିଲ୍ଲା ସମଗ୍ର ରାଜ୍ୟରେ ଦୃଷ୍ଟାନ୍ତ ହେବ ବୋଲି ପ୍ରକାଶ କରିଥିଲେ ।

 ସେହିପରି ମାନ୍ୟବର ବିଧାୟକ ଜିଲ୍ଲାପାଳ,ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟକୁ ପ୍ରଶଂସା କରିବାସହ ରିଂ ରୋଡ ନିର୍ମାଣ,ଖୋର୍ଦ୍ଧାର ଶିଳ୍ପ ବିକାଶ ୫୧ଗୋଟି ଉଦ୍ୟୋଗରେ ୬୦ ହଜାର ନିଯୁକ୍ତି ,ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଯୋଜନାରେ ଦଳ ମତ ନିର୍ବିଶେଷରେ ଆମ ଖୋର୍ଦ୍ଧା ଜିଲ୍ଲାର ବିକାଶ ପାଇଁ ଏବଂ ଜିଲ୍ଲାକୁ ୧ନମ୍ବର ଜିଲ୍ଲା ଭାବେଗଢି ତୋଳିବା ପାଇଁ କାର୍ଯ୍ୟ କରିବା ବୋଲି କହିଥିଲେ।ସମସ୍ତ ଅଧିକାରୀ ମାନେ ନିଜ ନିଜ କାର୍ଯ୍ୟାଳୟକୁ ସରସ ସୁନ୍ଦର, ସ୍ବଚ୍ଛତା ରଖିବାକୁ ପରାମର୍ଶ ଦେଇ ବିକାଶରେ ଦଳ ନାହିଁ ବୋଲି କହି ଖୋର୍ଦ୍ଧା ଜିଲ୍ଲାକୁ ବିକାଶର ନବଦିଗନ୍ତରେ ପହଞ୍ଚାଇବାକୁ ଆହ୍ଵାନ ଦେଇଥିଲେ ।  ପୂର୍ବବୈଠକରେ ଜୋନ ୧୨ ସଭ୍ୟ ବିଜୟ ପାଲଟା ସିଂ ଅଭିଯୋଗ କରିଥିଲେଯେ ୨୦ଜଣ ଶ୍ରମିକ ମଜୁରୀ ପାଇନାହାନ୍ତି ବୋଲି,ଏହି କ୍ରମେ ମଣ୍ଡଳ ଉନ୍ନୟନ ଅଧିକାରୀ ତାଙ୍କର ପତ୍ରସଂଖ୍ୟା ୧୯୦୦ ତା ୦୭.୦୪.୨୦୨୪ରିଖରେ ଶ୍ରମିକ ମାନଙ୍କ ମଜୁରୀ ବ୍ୟାଙ୍କ୍ ଖାତାକୁ ପୈଠ କରାଯାଇଛି ବୋଲି ଉତ୍ତର  ରଖିଥିଲେ।ବୈଠକରେ ଜୋନ ସଦସ୍ୟ/ସଦସ୍ୟା ବିଭିନ୍ନ ଜିଲ୍ଲାପରିଷଦ ପ୍ରକଳ୍ପ ସମ୍ବଧରେ ସୂଚନା ପାଉନାହାନ୍ତି ବୋଲି ଅଭିଯୋଗ କ୍ରମେ ଜିଲ୍ଲାପାଳ କହିଥିଲେ ଯେ ଜିଲ୍ଲାପରିଷଦ ବୈଠକରେ ଯେତେବେଳେ ସଂପୃକ୍ତ ବି ଡି ଓ ମାନଙ୍କ ଅଞ୍ଚଳର ଜିଲ୍ଲା ପରିଷଦ ଜୋନ ସଦସ୍ୟ/ସଦସ୍ୟା କୌଣସି ପ୍ରସ୍ତାବ ଆଗତ କରନ୍ତି ସେ ସବୁକୁ ବି ଡି ଓ ମାନେ ପ୍ରକଳ୍ପ ପ୍ରସ୍ତାବ  ସଂପୃକ୍ତ ସଦସ୍ୟ/ସଦସ୍ୟା ମାନଙ୍କ ସହ ବିଚାର ବିମର୍ଶ କରି ଜିଲ୍ଲା ପରିଷଦକୁ ସୁପାରିଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ସଦସ୍ୟ ମାନଙ୍କ ହରିଶ୍ଚନ୍ଦ୍ର ଯୋଜନା କାର୍ଯ୍ୟକାରିତା ଉପରେ ପ୍ରଶ୍ନର ଉତ୍ତରରେ ଅଙ୍ଗନ ୱାଡ଼ି କର୍ମୀ ମାନେ ପି ଇ ଓ ଙ୍କୁ ଲେଖି ଜଣାଉଛନ୍ତି ବୋଲି ଜିଲ୍ଲାପାଳ  ପ୍ରକାଶ କରିଥିଲେ ।  ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ କୁହୁଡ଼ିରୁ ସୋରଣ ପି ଏମ ଜି ଏସ ୱାଈ ରାସ୍ତା ମରାମତି ଉପରେ ଜିଲ୍ଲା ପରିଷଦ ଜୋନ ସଦସ୍ୟ, ଟାଙ୍ଗୀ ବିଜୟ କୁମାର ଜେନା ପ୍ରଶ୍ନରେ ଗ୍ରାମ୍ୟ ନିର୍ମାଣ ବିଭାଜନ, ଭୁବନେଶ୍ୱର ତାଙ୍କର ପତ୍ର ସଂଖ୍ୟା ୪୦୯୭ ତା ୧୦.୦୪.୨୦୨୫ରିଖରେ କୁହୁଡ଼ି ଶୋରଣ,କୁହୁଡ଼ି ହରିପୁର ପି ଏମ ଜି ୱାଇ ରାସ୍ତାର ମରାମତି ରୁଟ ଲାଇନ ପରିଚାଳନା କରାଯାଉଛି  ବୋଲି ସଂପୃକ୍ତ ବିଭାଗ ତଥ୍ୟ ପ୍ରଦାନ କରିଥିଲେ ।  ବୋଲଗଡ଼ ବ୍ଲକକୁ ଅର୍ଥ ପ୍ରଦାନ ବାବଦରେ ଆଲୋଚନା କରାଯାଇ ପ୍ରୋଜେକ୍ଟ ମଞ୍ଜୁରୀ ପ୍ରାପ୍ତ ପରେ ତୁରନ୍ତ ବ୍ଲକକୁ ଅର୍ଥ ପଠାଇବାକୁ ବିଧାୟକ ଶ୍ରୀଯୁକ୍ତ ଜଗଦେବ ପରାମର୍ଶ ଦେଇଥିଲେ ।  ଏହିକ୍ରମେ ମଧ୍ୟ ଜିଲ୍ଲା ପରିଷଦ ଦ୍ଵାରା ପ୍ରପୋଜାଲ ସାଙ୍କସନ୍ ହେଲାପରେ ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟା ମାନଙ୍କ ନଜରକୁ ଆଣିବାକୁ ବି ଡି ଓ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।  ସେହିପରି ସ୍କିମ୍ ଅନୁଯାୟୀ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ପ୍ରୋପୋଜାଲ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।  ୨୦୨୫-୨୬ ବର୍ଷ ପାଇଁ ବନ୍ଧନୀୟ ପାଣ୍ଠି(tied fund) ୫କୋଟି ବ୍ଲକ କୁ ପ୍ରଦାନ କରାଯିବାକୁ ବିଧାୟକ ପ୍ରସ୍ତାବ ଦେଇଥିଲେ ।

୨୨ନମ୍ବର ଜୋନ ରେ ୩ଗୋଟି  ନଳକୂପ ଖନନ ନିମନ୍ତେ ପ୍ରୋଜେକ୍ଟ ଦିଆଯାଇଛି।ଚଳିତ ଗ୍ରୀଷ୍ମ ପ୍ରବାହ ପାଇଁ ଜିଲ୍ଲାକୁ ୬୮୩ ନଳକୂପ ପ୍ରୋଜେକ୍ଟ ଆସିଥିବାବେଳେ ୧୪୫ ନଳକୂପ ଖୋଳା ସରିଲାଣି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଚିଲିକା ବ୍ଲକ ବ୍ରାହ୍ମଣ କୁଷଡିହ ଠାରେ କୁକୁଡ଼ା ଚାଷ ସମସ୍ୟା ରାସ୍ତାର ତୁରନ୍ତ ସମାଧାନ ନିମନ୍ତେ ଜିଲ୍ଲାପାଳ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପ ଗୁଡ଼ିକର ନମନୀୟତା ବି ଡି ଓ ମାନେ ଦେଖି ଜିଲ୍ଲା ପରିଷଦକୁ ପ୍ରେରଣ କରିବେ।ସେହିପରି ଟାଙ୍ଗୀ  ସ୍ୱାସ୍ଥ୍ୟ କେନ୍ଦ୍ର ଷ୍ଟାଫ୍ କ୍ୱାର୍ଟର ହସ୍ତାନ୍ତର, ତାଳଚୁଙ୍ଗ ଓ ମାଣିବନ୍ଧ ଘର ହସ୍ତାନ୍ତର,୨୨ନମ୍ବର ଜୋନରେ ମେଡ଼ିକାଲର ୨ଗୋଟି କ୍ୱାର୍ଟର ହସ୍ତାନ୍ତର ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ଯେତେ ପ୍ରୋଜେକ୍ଟ ଅଛି ୭ଦିନ ଭିତରେ ବିଭାଗୀୟ କର୍ତ୍ତୃପକ୍ଷ  ଜିଲ୍ଲାପାଳଙ୍କୁ ଫାଇଲ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏଥି ସହ ରାସ୍ତା ଓ କୋଠାବାଡ଼ି ଅଧୀନ ଖଣ୍ଡ ୪ର କୁଶଭଦ୍ରା ନଦୀର ସେତୁ ଦୁଇପଟ ରାସ୍ତା, ବାଲିଅନ୍ତା ମେଡିକାଲ ରେ ଗୃହ ହସ୍ତାନ୍ତର,ନିରାକାରପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି, ଅନ୍ତର୍ଦ୍ୱୟ ଗୃହ ଯୋଜନାରେ ସୁଦ୍ଧତା, କୃଷିକ୍ଷେତ ଫସଲକୁ ବନ୍ୟ ଜୀବଜନ୍ତୁ ଦାଉରୁ ରକ୍ଷାକରିବା ନିମନ୍ତେ ସୋଲାର ବାଡ଼, ମାଣିଆ ବନ୍ଧ କାଜୁ ଜଙ୍ଗଲ ୧୦୦ଏକର ଜମିକୁ ପୁନଃ ବୃକ୍ଷ ରୋପଣ, ବାଲିଅନ୍ତା ବ୍ଲକର ଶ୍ରୀକାନ୍ତ ପୃଷ୍ଟିଙ୍କ ୨କିଡନୀ ହରାଇଥିବା ହେତୁ ଜିଲ୍ଲାପାଳ ଆର୍ଥିକ ସହାୟତା ନିମନ୍ତେ ପ୍ରକାଶ କରିଥିଲେ।ଜଟଣୀ ବ୍ଲକ ବିନ୍ଧ୍ୟ ଗିରୀ ଠାରେ  ଟ୍ରାନଷ୍ଫର୍ମର ବସାଇ ବିଜୁଳି ଆଲୋକ ସମସ୍ୟା ଦୂର କରିବା, ଶିକ୍ଷକ ନଥିବା ସ୍କୁଲରେ ଶିକ୍ଷକ ନିଯୁକ୍ତି,କୁମାର ପଂଚାୟତ ସ୍କୁଲକୁ ରାସ୍ତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ସମସ୍ତ ବିଭାଗ ଜିଲ୍ଲାର ମନ୍ତ୍ରୀ,ସାଂସଦ,ବିଧାୟକ,ପି ଆର ଆଇ ମେମ୍ବର ସମସ୍ତଙ୍କୁ ସମୃକ୍ତି କରାଇ ସରକାରଙ୍କ ଯୋଜନା ପ୍ରଣୟନ ପୂର୍ବକ ବିକଶିତ ଖୋର୍ଦ୍ଧା ଜିଲ୍ଲା ଗଢି ତୋଳିବା ଏବଂ ନିଶାମୁକ୍ତ ଖୋର୍ଦ୍ଧା ପାଇଁ  ସମସ୍ତେ ସହଯୋଗ କରିବାକୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜଗଦେବ କହିଥିଲେ। ପ୍ରାରମ୍ଭରେ ଜିଲ୍ଲାପରିଷଦ ସଭାପତି ସ୍ୱାଗତ ଭାଷଣ ଦେଇଥିବାବେଳେ ଆଜିର କାର୍ଯ୍ୟସୂଚୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ଶିକ୍ଷା ବିଭାଗ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ବିଭିନ୍ନ ଯୋଜନା ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲେ।ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନୀର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଜୋନର ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟ ମେଣ୍ଟ ଯନ୍ତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *