ନରସିଂହପୁର ପୂର୍ବ ବନାଞ୍ଚଳରେ ପୁଣି ଏକ ଦନ୍ତାର ମୃତ୍ୟୁ, ଉଦ୍ଧାର ହେଲାଣି ୩ ହାତୀଙ୍କ ମୃତ ଦେହ

ନରସିଂହପୁର,୨୫/୦୧/୨୦୨୫ (ଓଡ଼ିଶା ସମାଚାର)-ନରସିଂହପୁର ପୂର୍ବ ବନାଞ୍ଚଳରେ ଥିବା ଏକ ଦନ୍ତା ହାତୀର ମୃତଦେହ ଶନିବାର ଉଦ୍ଧାର ହୋଇଛି । ନରସିଂହପୁରର ପୂର୍ବ ଏବଂ ପଶ୍ଚିମ ଦୁଇଟି ବନାଞ୍ଚଳରେ ନିକଟ ଅତୀତରେ ହାତୀ ୩ଟି ହାତୀର ମୃତ୍ୟୁ ଦେହ ଉଦ୍ଧାର ହେବା ପୁରୁଣା ଘଟଣାର ପୁନରାବୃତ୍ତି ଭଳି ପ୍ରତୀୟମାନ ହୋଇଛି । ଶନିବାର ଉଦ୍ଧାର ମୃତ ଦନ୍ତାଟିର ମୃତ୍ୟୁର କାରଣ ବନ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ହାତୀ ଷୁଣ୍ଢରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ହାତୀ ମରି ପଡ଼ିଥିବା ବଗିଚା ମାଲିକ ରାମଚନ୍ଦ୍ର ସାହୁଙ୍କୁ ପଚରା ଉଚୁରା ପାଇଁ ବନ ବିଭାଗ ଅଟକ ରଖିଥିବା ଜଣାପଡ଼ିଛି ।

ନରସିଂହପୁର ପୂର୍ବାଞ୍ଚଳ ପାଞ୍ଚଗୋଛିଆ ବିଟ ଅନ୍ତର୍ଗତ ରଙ୍ଗଡ଼ାବ ଗ୍ରାମରେ ଏକ ଘରୋଇ ପରିବା ଓ  ଫଳ  ବଗିଚା ମଧ୍ୟରେ ମରି ପଡ଼ିଥିବା ଏହି ଦନ୍ତା ହାତୀକୁ ବନ ବିଭାଗ ଜବତ କରିଛି । ମୃତ ହାତୀର ଶାରୀରିକ ସ୍ଥିତିରୁ ଏହା ଗତକାଲି ଠାରୁ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି  । ହାତୀ ମୃତ୍ୟୁ ସମ୍ପର୍କରେ ଖବର ପାଇ ଆଜି ସକାଳେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚିଥିଲେ । ହାତୀଟିକୁ ୧୫ ବର୍ଷ ହେବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ଜଣାପଡ଼ିଛି । ଆଠଗଡ ବନଖଣ୍ଡ ଅଧିକାରୀ ଡଃ ଯଜ୍ଞଦତ୍ତ ପତି, ସହକାରୀ ବନ ସଂରକ୍ଷକ ମନୋଜ ପାତ୍ର, ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ରାଉତ, ବନପାଳ ଶରତ କୁମାର ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତ ହାତୀକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇଛନ୍ତି।  ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଆଶିଷ କୁମାର ସର୍କାର ହାତୀର ବ୍ୟବଚ୍ଛେଦ କରିଛନ୍ତି ଏବଂ ଦାନ୍ତ ସଂରକ୍ଷଣ କରାଯାଇଛି ।  ମୃତ ହାତୀଟି ଗତ କିଛି ଦିନ ହେଲା ରଙ୍ଗଡାବ ଗ୍ରାମ ଜନବସତି ଏବଂ ଏହାର ଆଖ ପାଖ ଅଞ୍ଚଳରେ ବୁଲୁଥିବା ଲୋକେ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଚଳିତ ମାସ ଗତ ୯ ତାରିଖରେ ଏକ ୭ ବର୍ଷର ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ସେତେବେଳେ ପଥର ଗଦାରେ ପଡ଼ି ମୁଣ୍ଡରେ ଗୁରୁତର ଆଘାତ ଯୋଗୁଁ ହାତୀଟି ମୃତ୍ୟୁ ବରଣ କରିଥିବା ବିଭାଗ ପକ୍ଷରୁ କୁହାଯାଇଥିଲା । ଏହା ପୂର୍ବରୁ ଗତ ୬ ତାରିଖରେ ମଧ୍ୟ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ହାତୀଟି ଦନ୍ତା କିମ୍ବା ମାଇ ବୋଲି ଏପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଆଜିର ହାତୀ ମୃତ୍ୟୁ ଘଟଣାରେ ହାତୀଟିକୁ ଶିକାରୀ ହତ୍ୟା କରିଛନ୍ତି କି ଅନ୍ୟ କେଉଁ କାରଣରୁ ମୃତ୍ୟୁ ବରଣ କରିଛି ତାହା ବନ ବିଭାଗ ତଦନ୍ତ ପରେ ଜଣାପଡ଼ିବ । ହାତୀ ମୃତ୍ୟୁ ସମ୍ପର୍କରେ ଖବର ପାଇ ସ୍ଥାନୀୟ ବିଧାୟକ ବିଜୟ କୁମାର ଦଳବେହେରା ଘଟଣା ସ୍ଥଳରେ ପହଞ୍ଚି ବିଭାଗୀୟ ଅଧିକାରୀ ଏବଂ ଲୋକଙ୍କ ସହ ଆଲୋଚନା କରିଥିଲେ । ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ବଢ଼ିବାକୁ ଲାଗିଥିବା ବେଳେ ନରସିଂହପୁର ବନାଞ୍ଚଳରେ ହାତୀ ବଂଶ ଏବେ ବି ଆସୁରକ୍ଷିତ ବୋଲି ବୁଦ୍ଧିଜୀବୀ ଏବଂ ପରିବେଶପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *