ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା ଓ ବାଲିଯାତ୍ରା

ଭୁବନେଶ୍ୱର,୦୧/୦୪/୨୦୨୫ (ଓଡ଼ିଶା ସମାଚାର)- ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା ଓ ବାଲିଯାତ୍ରା ସାମିଲ ହୋଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୋମବାର ସମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି । (https://x.com/arvindpadhee/status/1906639431521501294 )

ସେ ଲେଖିଛନ୍ତି ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ପରିଚାଳିତ ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସାମିଲ କରାଯାଇଛି । ପୂର୍ବରୁ ସଂସ୍କୃତି ମନ୍ତ୍ରାଳୟକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଏନେଇ ପ୍ରସ୍ତାବ ପଠାଇଥିଲା ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା ଓ ବାଲିଯାତ୍ରା ସାମିଲ ହେଲା ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓ ବାଲିଯାତ୍ରାର ମହତ୍ୱ ବଢ଼ିବ, ଏହା ନିଃସନ୍ଦହରେ କୁହାଯାଇ ପାରିବ ।

ଉଭୟ ରଥଯାତ୍ରା ଓ ବାଲିଯାତ୍ରାକୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଯୋଗାଇବେ । ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି । ଋଗ୍ ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ହୋଇଛି । ପରବର୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଧୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଧୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତୀ ପରିକଳ୍ପନା ହେଉଛି ପୁରୁଷୋତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା ।

ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହୋଇଛି ସେଥି ମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ । କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ଏହାକୁ ଏକ ଗଣମହୋତ୍ସବ ଭାବେ ଦେଖାଯାଏ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ ।
କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ‘ଆକାମାବୈ’ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା ।

Leave a Reply

Your email address will not be published. Required fields are marked *