କେନ୍ଦ୍ରାପଡ଼ା, ୩୧/୦୩/୨୦୨୫(ଓଡ଼ିଶା ସମାଚାର)- ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଚନ୍ଦ୍ରଙ୍କ ଶୁଭ ଜନ୍ମ ମହୋତ୍ସବ ଶ୍ରୀରାମନବମୀ ଅବସରରେ ପରମପୂଜ୍ୟ ବାବା ଶ୍ରୀଶ୍ରୀବୈକୁଣ୍ଠନାଥଙ୍କ ଦ୍ୱାରା ପ୍ରତିଷ୍ଠିତ ଗରାପୁରସ୍ଥିତ ଶ୍ରୀମହାବୀର ହନୁମାନ ଆଶ୍ରମରେ ନବଦିନ ବ୍ୟାପି ଶ୍ରୀରାମଚରିତ ମାନସ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଶନିବାର ଠାରୁ ଆରମ୍ଭ ହୋଇଛି ।
ପ୍ରତ୍ୟେକ ଦିନ ସକାଳ ଓ ଅପରାହ୍ନରେ ଶ୍ରୀରମଚରିତ ମାନସ, ତୁଳସୀ ରାମାୟଣ ପାରାୟଣ ଅନୁଷ୍ଠିତ ହେଉଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଓ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମକଥା ପ୍ରବଚନ ଅନୁଷ୍ଠିତ ହେଉଅଛି । ଏହି କାର୍ଯ୍ୟକ୍ରମ ଆସନ୍ତା ଅପ୍ରେଲମାସ ୬ତାରିଖ ଶ୍ରୀରାମ ନବମୀ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଅବସରରେ ଆଶ୍ରମର ମୁଖ୍ୟ ତଥା ମନ୍ଦିର ପରିଚାଳନା କମିଟି ସଭାପତି ବାବାଜୀ ଚେତନାନନ୍ଦ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ପ୍ରବଚନ କାର୍ଯ୍ୟକ୍ରମରେ ଶନିବାର ଓ ରବିବାର ପ୍ରବଚକ ସତ୍ୟାନନ୍ଦ ଦାସ, ସୋମବାର ବାବାଜୀ ଅମୃତାନନ୍ଦ ଦାସ ରାମାୟଣ ଉପରେ ପ୍ରବଚନ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କପାଳେଶ୍ୱର ଗ୍ରାମପଂଚାୟତ ସମେତ ଆଖପାଖ ଅଂଚଳରୁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ପ୍ରବଚନ ଶ୍ରବଣ କରିବା ସହ ବିଭୁକୃପା ଲାଭ କରିଥିଲେ । ବାବାଜୀ ଶ୍ରଦ୍ଧାନନ୍ଦ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
