ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ନୂତନ ଭବନର ଶିଳାନ୍ୟାସ

ଭୁବନେଶ୍ୱର,୨୫/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ନୂତନ ଭବନର ଶିଳାନ୍ୟାସ କରିଛନ୍ତି । ଏହି ନୂତନ ଭବନଟି ପ୍ରାୟ ୨୫ କୋଟି ଟଙ୍କା ବିନିମୟରେ ନିର୍ମାଣ ହେବ । ଆସନ୍ତା ଏକ ବର୍ଷ ମଧ୍ୟରେ  ଏହି ନିର୍ମାଣ କାର୍ଯ୍ୟ ଶେଷ ହୋଇ ଭବନଟିରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ମୁଖ୍ୟ ଦପ୍ତର ଭାବେ କାର୍ଯ୍ୟ କରିବ । ବର୍ତ୍ତମାନ ନିଗମର ପରିସରରେ ଉକ୍ତ ନୂତନ ଭବନ ନିର୍ମାଣ କରାଯାଉଛି ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ନିଗମର କାର୍ଯ୍ୟ ହେଉଥିବା ଭବନଟି ୩୭ ବର୍ଷ ପୁରୁଣା ଏବଂ ନିଗମର କାର୍ଯ୍ୟଭାର ଓ କର୍ମଚାରୀ ସଂଖ୍ୟା ବୃଦ୍ଧି ଯୋଗୁଁ ଏକ ନୂତନ ଭବନର ଆବଶ୍ୟକତା ରହିଛି । ନିର୍ମାଣ ହେବାକୁ ଥିବା ଏହି ନୂତନ ଭବନଟି ପାଞ୍ଚମହଲା ବିଶିଷ୍ଟ ହେବ । ଏହାର ବେସ୍‌ମେଣ୍ଟରେ ଯାନ ରଖିବା ପାଇଁ ପାର୍କିଂ ସ୍ଥଳି ରହିବ । ନୂତନ ଭବନରେ ବରିଷ୍ଠ ଅଧିକାରୀ ମାନଙ୍କ କାର୍ଯ୍ୟାଳୟ, ସମ୍ମିଳନୀ କକ୍ଷ, ପ୍ୟାଣ୍ଟ୍ରି, ପ୍ରତୀକ୍ଷାଳୟ, ନିରୀକ୍ଷଣ କକ୍ଷ ସମେତ ଅନ୍ୟ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଯଥେଷ୍ଟ କକ୍ଷ ଓ ସ୍ଥାନ ରହିବ ।

ଏହି ଅବସରରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ସୁପରିଟେଣ୍ଡେଣ୍ଟ ଇଂଜିନିୟର, ନିର୍ମାଣକାରୀ ସଂସ୍ଥାର ପ୍ରତିନିଧି ସମେତ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *