ରଞ୍ଜନ କୁମାର ଦାସ ଉତ୍କଳ ଯାଦବ ମହାସଭା ବୁଦ୍ଧିଜୀବୀ ଶାଖା ସଂଯୋଜକ

ବାଲିଅନ୍ତା, ୨୮/୦୩/୨୦୨୫(ଓଡ଼ିଶା ସମାଚାର)- ବିଶିଷ୍ଟ କବି, ପ୍ରାବନ୍ଧିକ, ସ୍ତମ୍ଭକାର, ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ରଂଜନ କୁମାର ଦାସଙ୍କୁ ଉତ୍କଳ ଯାଦବ ମହାସଭା ବୁଦ୍ଧିଜୀବୀ ଶାଖାର ରାଜ୍ୟ ସଂଯୋଜକ ଭାବରେ ସଭାପତି ଡ. ଆଶୀର୍ବାଦ ବେହେରା ନିୟୋଜନ କରିଛନ୍ତି । ଗତ ୨୩ ତାରିଖରେ କଟକଠାରେ ଆୟୋଜିତ ଉତ୍କଳ ଯାଦବ ମହାସଭାର ରାଜ୍ୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରି ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଶ୍ରୀ ଦାସ ନିଜ ବକ୍ତବ୍ୟରେ ଯଦୁପତି ଶ୍ରୀକୃଷ୍ଣଙ୍କ ବଂଶଜ ସଂସ୍କୃତି ସମ୍ପନ୍ନ ଯାଦବ ସମ୍ପ୍ରଦାୟର ବିଭିନ୍ନ ଉପଜାତି ଓ ଗୋଷ୍ଠୀକୁ ଏକତାର ସୂତ୍ରରେ ଆବଦ୍ଧ କରି ସେମାନଙ୍କ ସାମାଜିକ, ସାଂସ୍କୃତିକ ଆଧ୍ୟାତ୍ମିକ, ଆର୍ଥିକ ଓ ଶିକ୍ଷାଗତ ବିକାଶ ସହ ସେମାନଙ୍କ ଦ୍ୱାରା ପୁରୁଷାନୁକ୍ରମେ ବର୍ଷ ବର୍ଷ ଧରି ପରିବେଷିତ ହୋଇଆସୁଥିବା ଲଉଡ଼ି, ଓଗାଳ, ରାମତାଳିକୁ ଲୋକକଳାର ମାନ୍ୟତା ଦେଇ ରାଜ୍ୟବ୍ୟାପୀ ଲଉଡ଼ି ମହୋତ୍ସବ ଆୟୋଜନ କରାଯିବା ସହ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା, ଚନ୍ଦନଯାତ୍ରା ସହ ବିଭିନ୍ନ ଯାନିଯାତ୍ରାରେ ଏହାକୁ ବ୍ୟାପକ ଭାବେ ପରିବେଷଣ କରାଯିବ ।

ଯାଦବ ଜାତିର ଐତିହ୍ୟ ଓ ସଂସ୍କୃତିକୁ ନେଇ ଇତିହାସ ଓ ଗବେଷଣାତ୍ମକ ରଚନା ପ୍ରକାଶନ କରାଯିବ । ରାଜ୍ୟସଭାପତିଙ୍କ ମାର୍ଗଦର୍ଶନରେ ଯାଦବ ଡାଇରେକ୍ଟୋରୀ ପ୍ରକାଶନ କରି ସମସ୍ତଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ନିବିଡ଼ କରାଯିବାକୁ ସେ ନିଜକୁ ନିୟୋଜିତ କରିବେ ବୋଲି ସଂକଳ୍ପ ନେଇଥିଲେ । ଶ୍ରୀ ଦାସଙ୍କ ନୂତନ ଦାୟିତ୍ୱ ଗ୍ରହଣ ପାଇଁ ଉତ୍କଳ ଯାଦବ ମହାସଭାର ମହାସଚିବ ତଥା ବିଧାୟକ ଲକ୍ଷ୍ମଣ ବାଗ୍, ବିଧାୟକ ସନାତନ ମହାକୁଡ, ପ୍ରଶାନ୍ତ ବେହେରା, କେ. ଅନୀଲ୍ କୁମାର, ପୂର୍ବତନ ବିଧାୟକ ମହୌଷଧି ବାଗ୍ଙ୍କ ସହିତ ରାଜ୍ୟର ଯାଦବ ବୁଦ୍ଧିଜୀବୀ ଓ ଜନସାଧାରଣ ଶ୍ରୀ ଦାସଙ୍କୁ ସ୍ୱାଗତ କରିଛନ୍ତି ।

Leave a Reply

Your email address will not be published. Required fields are marked *