ମାଟ୍ରିକ ଖାତା ଦେଖା ଆରମ୍ଭ, ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ସବଜେକ୍ଟଟିଭ ଖାତା ମୂଲ୍ୟାୟନ ବ୍ୟବସ୍ଥା

କଟକ,୧୯/୦୩/୨୦୨୫(ଓଡ଼ିଶା ସମାଚାର)- ମାର୍ଚ୍ଚ ୧୯ ତାରିଖ ବୁଧବାର (ଆଜି) ଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ରାଜ୍ୟରେ ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ସବଜେକ୍ଟଟିଭ ଖାତା ମୂଲ୍ୟାୟନ ହେବାର ବ୍ୟବସ୍ଥା ହୋଇଛି । ପାଖାପାଖି ୧୨ହଜାର ଶିକ୍ଷକ ଶିକ୍ଷୟତ୍ରୀ ଖାତା ମୂଲ୍ୟାୟନ ପାଇଁ ନିଯୁକ୍ତ ହୋଇଛନ୍ତି । ଏହା ବାଦ ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୧୦ଜଣ ମୂଲ୍ୟାୟନକାରୀଙ୍କୁ ରିଜର୍ଭରେ ରଖାଯାଇଛି । ସୂଚନା ଥାଉକି, ରାଜ୍ୟର ୧୧ହଜାର ୮୦୦ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାଟ୍ରିକ ଖାତା ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି । ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ସବଜେକ୍ଟଟିଭ ଉତର ଖାତା କଡ଼ା ସୁରକ୍ଷା ବ୍ୟବସ୍ଥାରେ ପହଂଚି ସାରିଛି ।

ମୂଲ୍ୟାୟନ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଓ ତୃଟିଶୂନ୍ୟ କରିବା ଲାଗି ବୋର୍ଡ଼ କର୍ତୃପକ୍ଷ ୩୦ଟି ଜିଲା ଶିକ୍ଷାଧିକାରୀମାନଙ୍କ ସହ ପୂର୍ବରୁ ସମୀକ୍ଷା ବୈଠକ କରିସାରିଛନ୍ତି । ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ମଙ୍ଗଳବାର ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପହଂଚିଥିବା ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ଡିଇଓ ମାନେ ଜିଲା ସ୍ତରରେ ସମୀକ୍ଷା କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ୧୯ ତାରିଖ ବୁଧବାର ଠାରୁ ଖାତା ଦେଖା ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ପ୍ରାୟ ୧୨ଦିନ ବ୍ୟାପୀ ମୂଲ୍ୟାୟନ ଚାଲିବ । ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଏହି ସମୟରେ କେନ୍ଦ୍ର କ୍ୟାମ୍ପସ ବାହାରକୁ ଯାଇ ପାରିବେ ନାହିଁ ।

ସେହିପରି କେନ୍ଦ୍ରକୁ ମୋବାଇଲ ନେବା ମଧ୍ୟ ବାରଣ ରହିଛି । ଏଥିରେ ଖିଲାପ କଲେ ସଂପୃକ୍ତ ମୂଲ୍ୟାୟନକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡ଼ କର୍ତୃପକ୍ଷ କହିଛନ୍ତି । ଖାତା ଦେଖା ଲାଗି ଗୋଟିଏ ୟୁନିଟରେ ଜଣେ ଚିଫ ଏକଜାମିନର, ୨ଜଣ ଡେପୁଟି ଚିଫ ଏକଜାମିନର, ୨ ଜଣ ସ୍କୁଟିନାଇଜର, ବୋର୍ଡ଼ ପକ୍ଷରୁ ନିୟୋଜିତ ଜଣେ କ୍ୟାମ୍ପ ଅଫିସର, ମୂଲ୍ୟାୟନ କେନ୍ଦ୍ର ହୋଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବା ସୁପରଭାଇଜର ନିୟୋଜିତ ହୋଇଛନ୍ତି । ଏହା ବାଦ ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୧୦ ଜଣ ମୂଲ୍ୟାୟନକାରୀଙ୍କୁ ରିଜର୍ଭରେ ରଖାଯାଇଛି ।

ଆବଶ୍ୟକ ସ୍ଥଳେ ଡିଇଓମାନେ ଅଧିକ ଶିକ୍ଷକଙ୍କୁ ଏହି ମୂଲ୍ୟାୟନ ପ୍ରକି୍ରୟାରେ ସାମିଲ କରିାରିବାର ସୁବିଧା ରହିଥିବା ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ସବଜେକଟିଭ ପ୍ରଶ୍ନରୁ ଜଣେ ଶିକ୍ଷକଙ୍କୁ କେବଳ ନିର୍ଦ୍ଧିଷ୍ଟ ଗୋଟିଏ ପ୍ରଶ୍ନର ଉତର ମୂଲ୍ୟାୟନ କରିବାର ବ୍ୟବସ୍ଥା ରହିଛି । ଏପରି ସଂପୃକ୍ତ ଶିକ୍ଷକ ଦିନକୁ ୧୦୦ଟି ପ୍ରଶ୍ନର ଉତର ମୂଲ୍ୟାୟନ କରିବେ ବୋଲି ସୂଚନା ମିଳିଛି । ସେହିପରି ମୂଲ୍ୟାୟନ ପରେ ପ୍ରତିଦିନ ମାର୍କ ଅପଲୋଡ଼ କରାଯିବ । ଏଥିଲାଗି ବୋର୍ଡ଼ ପକ୍ଷରୁ ୩୦୦ଡାଟା ଏନ୍ଟ୍ରି ଅପରେଟରଙ୍କୁ ନିୟୋଜିତ କରାଯାଇଛି । ମାଟି୍ରକ ପରୀକ୍ଷାର୍ଥୀମାନେ ୬ଟି ବିଷୟରେ ୬୦୦ ନମ୍ବରରେ ପରୀକ୍ଷା ଦେଇଥିଲେ ହେଁ ଏଥିରୁ ୫୦ ନମ୍ବର ସବଜେକଟିଭ ଓ ୫୦ ନମ୍ବର ଅବଜେକଟିଭ ପ୍ରଶ୍ନରେ ପରୀକ୍ଷା ଦେଇଥିଲେ । ମାଟ୍ରିକ ସହ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର ମୂଲ୍ୟାୟନ ମଧ୍ୟ ମାର୍ଚ୍ଚ ୧୯ ବୁଧବାର ଠାରୁ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *