ମାନ୍ୟବର ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ

କଣ୍ଟିଲୋ ନୀଳମାଧବ ପରିଦର୍ଶନ କରିବେ ରାଷ୍ଟ୍ରପତି

ଭାରତୀୟ ବିଶ୍ୱାବସୁ ଶବର ସମାଜ ଫାଉଣ୍ଡେସନର  ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ

ଭୁବନେଶ୍ୱର,୧୯/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ଆସନ୍ତା ମାର୍ଚ୍ଚ୨୪ ଓ ୨୫ତାରିଖରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଏକ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ମାନ୍ୟବର ରାଷ୍ଟ୍ରପତି ମାର୍ଚ୍ଚ ୨୪ତାରିଖ ଦିନ୧୨.୩୦ରେ ବାୟୁସେବା ବିମାନ ଯୋଗେ ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦର, ରାୟପୁର, ଛତିଶଗଡ଼ ରୁ ବାହାରି ଦିନ୧.୩୦ମିନିଟ ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବେ ଏବଂ ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟସ୍ଥ ହେଲିପ୍ୟାଡରେ ଅବତରଣ କରି ସଡ଼କ ପଥରେ ଯାଇ କଣ୍ଟିଲୋସ୍ଥିତ ଅତିଥି ଭବନରେ ସାମୟିକ ବିଶ୍ରାମ କରିବେ । ପରେ ପରେ ସେଦିନ ସେ ଅପରାହ୍ଣ ୩.୦୫ମି. ସମୟରେ ପ୍ରଭୁ ନୀଳମାଧବ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବେ । ପରେ ପରେ ମାନ୍ୟବର ରାଷ୍ଟ୍ରପତି ଅପରାହ୍ଣ ୩.୩୫ସମୟରେ ନୟାଗଡ଼ର କାଳିଆପଲ୍ଲୀ ଠାରେ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ଏହାପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ରାଜଭବନରେ ରାତ୍ରି ରହଣୀ କରିବେ ଏବଂ ତହିଁ ପରଦିନ ୨୫ ତାରିଖ ସକାଳେ ବାୟୁ ସେବା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

 ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀ ପରିପ୍ରେକ୍ଷୀରେ ପ୍ରସ୍ତୁତି ସମୀକ୍ଷା କରିବା ସହିତ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଅନୁଷ୍ଠିତ ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ୍ୱାଇ.ବି.ଖୁରାନିଆ, ଅଗ୍ନିଶମ ସେବା ବିଭାଗ ଡିଜି ଡଃ.ସୁଧାଂଶୁ ଷଡ଼ଙ୍ଗୀ ଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ରାଜ୍ୟ ପୁଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା ଏବଂ ନୟାଗଡ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।

          ବୈଠକରେ ନୀଳମାଧବ ପୀଠରେ ପ୍ରସ୍ତୁତି  ଏବଂ ମୁଖ୍ୟ କାର୍ଯ୍ୟକ୍ରମ ସ୍ଥଳ କାଳିଆ ପଲ୍ଲୀ ଠାରେ ସୁରକ୍ଷା ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା। ଉତ୍ସବ ସ୍ଥଳରେ ବେରକେଡ୍ ବ୍ୟବସ୍ଥା, ସଂଲଗ୍ନ ରାସ୍ତା ମରାମତି ଏବଂ ଏହି ପରିପ୍ରେକ୍ଷୀରେ ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରହୁଥିବାରୁ ସେଥିପାଇଁ ମଧ୍ୟ ଅସ୍ଥାୟୀ ହେଲିପ୍ୟାଡ୍ ବ୍ୟବସ୍ଥା କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ପ୍ରତିଥର ଭଳି ଚଳିତ ଥର ମଧ୍ୟ ଗୃହ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକରିବ ବୋଲି ବୈଠକରୁ ଜଣାଯାଇଛି।

-0-

ପଠାଣି ରାଉତ ,  ମୁଖ୍ୟଶାସନ ସଚିବଙ୍କଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *