ଭୁବନେଶ୍ୱର,୧୪/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଓଡ଼ିଶାରେ ଶିକ୍ଷକ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏକ ଗୁରୁତ୍ୱୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଉଚ୍ଚଶିକ୍ଷା ବିଭାଗ ବଡ଼ ଘୋଷଣା କରିଛି । ଏଣିକି ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ ତୁରନ୍ତ ଶିକ୍ଷା ସ୍ନାତକ (ବିଏଡ୍) ପାଠ୍ୟକ୍ରମରେ ନାମ ଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ସୂଚନା ଦେଇଛନ୍ତି ।
ଏହି ନିଷ୍ପତିିର ଲକ୍ଷ୍ୟ ହେଉଛି, ଶିକ୍ଷକ ତାଲିମ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ପାଠ୍ୟକ୍ରମ ଅବଧିକୁ ପାଂଚବର୍ଷରୁ ଚାରିବର୍ଷକୁ ହ୍ରାସ କରିବା । ଏହାଦ୍ୱାରା ଆକାଂକ୍ଷୀ ଶିକ୍ଷକମାନଙ୍କୁ ଶିକ୍ଷକତା ବୃତିରେ ପ୍ରବେଶପାଇଁ ଏକ ଦକ୍ଷ ପଥ ପ୍ରଦାନ କରାଯିବ । ଏହି ପଦକ୍ଷେପର ଏକ ଅଂଶ ଭାବରେ, ରାଜ୍ୟ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ(ଆଇଟିଇପି) ପ୍ରଚଳନ କରିଛି, ଯାହା ମନୋନୀତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଉପଲବ୍ଧ ହେବ । ଗୁରୁବାର, ନୂତନ କାର୍ଯ୍ୟକ୍ରମର ଆରମ୍ଭ ସହିତ ୮ଟି ଶିକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ସେମାନଙ୍କ ସମ୍ପୃକ୍ତ ନିକଟବର୍ତୀ କଲେଜ ମଧ୍ୟରେ ଏକ ସରକାରୀ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।