ଭୁବନେଶ୍ୱର,୧୩/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆଜି ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଶ୍ରୀମତୀ କବିତା ମହାନ୍ତିଙ୍କ ଦୁଇଗୋଟି ପୁସ୍ତକ ‘ପାଳଭୂତ ଓ ଅନ୍ୟାନ୍ୟ ଗଳ୍ପ’ ଏବଂ ‘ଦିନ ଯାଏ କଥା ରହେ (ଲକ୍ଡାଉନ – ୨୦୨୦)’ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକାର୍ପଣ ଉତ୍ସବରେ ସମ୍ବାଦ ଗ୍ରୁପ୍ ର ଅଧ୍ୟକ୍ଷ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଲେଖିକାଙ୍କ ଉଦ୍ୟମକୁ ସାଧୁବାଦ ଜଣାଇବା ସହିତ ଆଗାମୀ ଦିନରେ ଲେଖିକାଙ୍କ ପରି ଅନେକ ଯୁବପୀଢ଼ି ସାରସ୍ୱତ ଜଗତର ସ୍ରଷ୍ଟା ହୋଇ ଲୋକଲୋଚନକୁ ଆସିବା ପାଇଁ ଆଶାପୋଷଣ କରିଥିଲେ ଏବଂ ସାମାଜିକ ସଂସ୍କାର ପାଇଁ ଗଳ୍ପ ଏକ ବଳିଷ୍ଠ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ ।
ବରିଷ୍ଠ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ପୁସ୍ତକ ଦୁଇଟିର ସମୀକ୍ଷା କରିବା ସହିତ ଲୁଚି ଯାଇଥିବା ଲକ୍ ଡାଉନ୍ ର କରୁଣ କାହାଣୀ ପୁଣି ଥରେ ଉଜ୍ଜୀବିତ କରିଥିବାରୁ ଲେଖିକାଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ବରିଷ୍ଠ ସ୍ତମ୍ଭକାର ଶ୍ରୀ ଜିତେନ୍ଦ୍ର ନାରାୟଣ ଦାଶ (ଦାଶବେନହୁର) ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ଶ୍ରୀମତୀ ମହାନ୍ତି ବ୍ୟାଙ୍କ୍ ରେ ସହାୟକ ମହାପ୍ରବନ୍ଧକ ଥାଇ ମଧ୍ୟ ସାହିତ୍ୟ ଜଗତକୁ ତାଙ୍କର ଲେଖନୀ ମାଧ୍ୟମରେ ବହୁ ଗଳ୍ପ ଏବଂ ପ୍ରବନ୍ଧ ଭେଟି ଦେଇଛନ୍ତି , ଯାହାକି ପ୍ରଶଂସନୀୟ ଏବଂ ପୁସ୍ତକ ଦୁଇଟି ପାଠକୀୟ ଆଦୃତି ଲାଭ କରିବ ବୋଲି ସେ ଦୃଢ଼ ଆଶା ପୋଷଣ କରିଥିଲେ ।
ଉକ୍ତ ସାରସ୍ୱତ ସଭାକୁ ଶ୍ରୀ ରବିନାରାୟଣ ନନ୍ଦ, ଭା.ପ୍ର.ସେ. (ଅବସରପ୍ରାପ୍ତ) ସଂଚାଳନା କରିଥିଲାବେଳେ ଲେଖିକା ଶ୍ରୀମତୀ କବିତା ମହାନ୍ତି ତାଙ୍କର ଅନୁଭୂତିକୁ ପ୍ରକାଶ କରିବା ସହିତ ବହି ଦୁଇଟିକୁ ପ୍ରକାଶ କରିଥିବା ପ୍ରକାଶନ ସଂସ୍ଥା ‘ସୃଜନ’କୁ କୃତଜ୍ଞତା ଜଣାଇଥିଲେ । ଶେଷରେ ବରିଷ୍ଠ ଆଇନଜୀବୀ ଶ୍ରୀ କୈଳାସ ଚନ୍ଦ୍ର କାନୁନଗୋ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
