ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନୁଆ – ଓ କାର୍ଯ୍ୟକ୍ରମ ଉଦଯାପିତ

ଲୁକ୍କାୟିତ ପ୍ରତିଭା ମାନଙ୍କର ବିକାଶ ପାଇଁ ନୂଆ – ଓ ମାଧ୍ୟମ : ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନ,୨୮ /୧୨/୨୦୨୩ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୁଆ – ଓ , ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭାପତିତ୍ବ କରି ସ୍ବାଗତ ଭାଷଣ ଦେଇଥିଲେ। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ,ଲୁକ୍କାୟିତ ପ୍ରତିଭା ମାନଙ୍କର ବିକାଶ ପାଇଁ ନୂଆ – ଓ ହେଉଛି ପ୍ରମୁଖ ମାଧ୍ୟମ । ଶିକ୍ଷା ହିଁ ବିକାଶ ର ମୂଳ ମନ୍ତ୍ର। ଯେଉଁ ଅଂଚଳ ଯେତେ ଶିକ୍ଷିତ ସେହି ଅଞ୍ଚଳ ସେତେ ସମୃଦ୍ଧ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ନଗର ପାଳ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇ କହିଥିଲେ ଯେ , ଜନପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମ ନୁଆ – ଓ ରେ ସମସ୍ତେ ସାମିଲ ହୋଇ ଯୁବ ଓଡ଼ିଶା ନବୀନ ଓଡ଼ିଶା ଗଠନ କରିବାକୁ ଆହ୍ବାନ ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ କହିଥିଲେ ଯେ,ନାରୀ ମାନଙ୍କ ର ସମାଜ ଗଠନ ରେ ପ୍ରମୁଖ ଭୂମିକା ରହିଛି । ସେଥି ପାଇଁ “ମା ହେଲେ ପାଠୋଇ,ଦେଶ ଯିବ ଆଗେଇ ” ବୋଲି ବିଜୁ ବାବୁ ସ୍ଲୋଗାନ ଦେଇ ନାରୀ ଶିକ୍ଷାର ବ୍ୟାପକ ପ୍ରସାର କରିଥିଲେ । ନାରୀ ମାନେ ଶିକ୍ଷିତ ଓ ସଚେତନ ହେଲେ ସମୃଦ୍ଧ ଦେଶ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟ ପରିଚାଳନା କମିଟି ର ପୂର୍ବତନ  ସମ୍ପାଦକ ଦେବବ୍ରତ ପୃଷ୍ଟି କହିଥିଲେ ଯେ ,୧୯୯୦ ଦଶକ ରେ ବିଜୁ ପଟ୍ଟନାୟକ ଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଶିକ୍ଷା,ସ୍ବାସ୍ଥ୍ୟ କୁ ବେଶ୍ ଗୁରୁତ୍ୱ ଦିଆଯାଇଥିଲା । ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକ ସମସ୍ତଙ୍କୁ ଶିକ୍ଷା ଦେବା ଉଦେଶ୍ୟରେ କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀ ରେ ବ୍ୟାପକ ସ୍କୁଲ ,କଲେଜ ଖୋଲି ଯେଉଁ ସ୍ବପ୍ନ ଦେଖିଥିଲେ । ଆଜି ସେ ସ୍ବପ୍ନ ସାକାର ହୋଇଛି । ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣର ଅନୁଦାନ ଯୋଗାଇ ଦେଇ ପ୍ରତ୍ୟେକ ବିଦ୍ୟାଳୟ,ମହାବିଦ୍ୟାଳୟ ରୂପାନ୍ତରଣ କରୁଛନ୍ତି ।  ନୋଡାଲ ଅଫିସର୍ ଡ଼ଃ ମମତା ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ବିବରଣୀ ପାଠ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୁଆ – ଓ ନୋଡାଲ ଅଫିସର ଅଧ୍ୟାପିକା ସୁପ୍ତିମୟୀ ସେନ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ ଧନ୍ୟବାଦ ଅର୍ପଣ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସାମାଜିକ,ସାଂସ୍କୃତିକ ଓ କ୍ରୀଡ଼ାରେ ୩୦ ଟି ବିଭାଗ ରେ ୯୦ ଜଣ,ଡିଗ୍ରୀ ମହାବିଦ୍ୟାଳୟ ରେ ୩୩ ଟି ବିଭାଗରେ ୯୯ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହିତ ପ୍ରଶଂସା ପତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶାନ୍ତନୁ ଦାଶ,ବିଜୟ ପୃଷ୍ଟି,କୈଳାସ ପାତ୍ର,ସୁରେନ୍ଦ୍ର ଗୁରୁ,ଅଧ୍ୟାପକ ଶୁଭମ୍ ବେହେରା,ଅଧ୍ୟାପିକା ସୁଶ୍ରୀ ସମ୍ବେଦୀତା ସ୍ୱାଇଁ ,ପ୍ରଣତୀ ବେହେରା,ବାସନ୍ତୀ ବେହେରା,ଗଦାଧର ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *