ଭୁବନେଶ୍ୱର,୨୯/୦୩/୨୦୨୪ (ଓଡ଼ିଶା ସମାଚାର)- ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ଟୁକୁନି ସାହୁ, ସସ୍ମିତ ପାତ୍ର, ଅଧିରାଜ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସୁରେନ୍ଦ୍ର ନିଜ ର ହଜାର ହଜାର ସମର୍ଥକଙ୍କ ସହ ବିଜେଡି ଦଳରେ ସାମିଲ ହୋଇଛନ୍ତି ।
୩୮ବର୍ଷ ଧରି କଂଗ୍ରେସରେ ଥିବା ସୁରେନ୍ଦ୍ର ଗତକାଲି କଂଗ୍ରେସ ରୁ ଇସ୍ତଫା ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ସଭାପତି ପଦ ସହ ଏଆଇସିସିର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସୁରେନ୍ଦ୍ର। ୨୦୧୪ ଓ ୨୦୧୯ ନିର୍ବାଚନରେ ସୁରେନ୍ଦ୍ର ବିଜେଡି ପ୍ରାର୍ଥୀ ଟୁକୁନି ସାହୁଙ୍କ ଠାରୁ ପରାଜିତ ହୋଇଥିଲେ ।
ସୁରେନ୍ଦ୍ର ବିଜେଡିରେ ମିଶିଲା ପରେ ତାଙ୍କର ରାଜନୈତିକ ଭବିଷ୍ୟତ କଣ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ବିଜେଡି ପୂର୍ବରୁ ଟିଟିଲାଗଡ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେଡି ଟିଟିଲାଗଡରୁ ପୁଣିଥରେ ଟୁକୁନି ସାହୁଙ୍କୁ ପ୍ରାର୍ଥୀ କରିଛି । ଏଭଳିସ୍ଥଳେ ସୁରେନ୍ଦ୍ରଙ୍କୁ ଦଳ କେଉଁଠୁ ପ୍ରାର୍ଥୀ କରିବ ତାହା ସବୁଠୁ ବଡ ପ୍ରଶ୍ନ । ଯଦି ସୁରେନ୍ଦ୍ରଙ୍କୁ ଦଳ ପ୍ରାର୍ଥୀ ନକରେ ତେବେ କେଉଁ ଦାୟିତ୍ୱରେ ଅବତୀର୍ଣ୍ଣ ତାହାକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ଲାଗି ରହିଛି ।