କୋଲ ଇଣ୍ଡିଆ ଲିମିଟେଡ୍ ର ୫୦ ବର୍ଷ ପୂର୍ତି

ଏମସିଏଲ୍ ପକ୍ଷରୁ କୋଲ୍ ଇଣ୍ଡିଆ ଭୁବନେଶ୍ୱର ହାଫ୍ ମାରାଥନ୍
ଭୁବନେଶ୍ୱର,୦୨/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- କୋଲ ଇଣ୍ଡିଆର ୫୦ ବର୍ଷ ପୂର୍ତି ଅବସରରେ ମହାନଦୀ କୋଲ ଫିଲ୍ଡ୍ସ ଲିମିଟେଡ୍ (ଏମସିଏଲ୍) ପକ୍ଷରୁ ‘କୋଲ ଇଣ୍ଡିଆ ଭୁବନେଶ୍ୱର ହାଫ୍ ମାରାଥନ’ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ହୋଇଯାଇଛି । ଏଥିରେ ୨୧ କିମି ହାଫ୍ ମାରାଥନ, ୧୦ କିମି ରନ୍, ୫ କିମି ଏବଂ ୧.୫ କିମି ଫନ୍ ରନ୍ ବର୍ଗରେ ବିଭିନ୍ନ ବୟସ ବର୍ଗର ୫ ହଜାରରୁ ଊଦ୍ଧ୍ୱର୍ ମାରାଥନ ଧାବକ ଏବଂ ଉତ୍ସାହୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଯାହାର ପୁରସ୍କାର ରାଶି ୪୫.୩୪ ଲକ୍ଷ ଟଙ୍କା ରଖାଯାଇଥିଲା । ଗତ ୫ ଦଶନ୍ଧି ଧରି କୋଲ୍ ଇଣ୍ଡିଆ ଲିମିଟେଡ୍ ର ସଫଳ ଓ ଅନନ୍ୟ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କର କ୍ରୀଡ଼ା ବିଭାଗର ସହଭାଗିତାରେ ଆୟୋଜିତ ଏହି ମାରାଥନ ଥିଲା ଏକ ଅଭିନବ ପ୍ରୟାସ ।


ମାରାଥନ୍ କାର୍ଯ୍ୟକ୍ରମରେ ଓଡ଼ିଶା ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଅନୁଗୁଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଓଡ଼ିଶା ମୁଖ୍ୟ ସଚିବ ଶ୍ରୀ ମନୋଜ ଆହୁଜା(ଆଇଏଏସ), କୋଲ ଇଣ୍ଡିଆ ଅଧ୍ୟକ୍ଷ ଶ୍ରୀ ପି ଏମ୍ ପ୍ରସାଦ, ଏମସିଏଲ୍ ମୁଖ୍ୟ ପରିଚାଳନା ନିର୍ଦ୍ଧେଶକ ଉଦୟ ଅନନ୍ତ କାଓଲେଙ୍କ ସମେତ କୋଲ୍ ଇଣ୍ଡିଆର ସଂଚାଳନା ନର୍ଦ୍ଧେର୍ଶକ ତଥା ଓଡ଼ିଶାର ବିଭିନ୍ନ ଜିଲାର ବରିଷ୍ଠ ଏମସିଏଲ୍ ଅଧିକାରୀମାନେ ଯୋଗ ଦେଇଥିଲେ ।

ମାରାଥନ୍ ରେ ସ୍ୱଳ୍ପ ବୟସ୍କଙ୍କ ଠାରୁ ଆରମ୍ଭ କରି ବୟସ୍କ ଧାବକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଫୂର୍ତି, ଆଗ୍ରହ ଓ ଉତ୍ସାହ । କେବଳ କ୍ରୀଡ଼ାପ୍ରେମୀ ନୁହେଁ, ଶକ୍ତିର ସୁରକ୍ଷା ପରିଚାଳନା ଦାୟିତ୍ୱରେ କୋଲ ଇଣ୍ଡିଆର ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିଯୋଗୀମାନେ ଏହି ମାରାଥନ୍ ରେ ଭାଗ ନେଇଥିଲେ । ପ୍ରତିଯୋଗିତାର ବିଭିନ୍ନ ବର୍ଗ ତଥା ବୟସ ବର୍ଗ ଅନୁଯାୟୀ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।


ଲୋକପ୍ରିୟ ବ୍ୟାଡ୍ମିଣ୍ଟନ୍ ତାରକା ତଥା ସ୍ପୋର୍ଟସ ଆଇକନ୍ ସାଇନା ନେହୱାଲ ଏହି କାର୍ଯ୍ୟକ୍ରମରେ ଆମ୍ବାସାଡର ଭାବେ ଯୋଗ ଦେଇ ନିଜର କ୍ରୀଡ଼ାଯାତ୍ରା ଅନୁଭୂତି ବର୍ଣ୍ଣନା କରିବା ସହ ଉତ୍ସାହୀ ପ୍ରତିଯୋଗୀମାନଙ୍କ ମନୋବଳ ବଢାଇଥିଲେ । ହାଫ୍ ମାରାଥନ୍ ରେ ପଶ୍ଚିମବଙ୍ଗରୁ ଲିଲି ଦାଶ ଓ ଉତର ପ୍ରଦେଶରୁ ପ୍ରିନ୍ସ କୁମାର ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗରେ ବିଜେତା ହୋଇଥିଲେ । ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସହ କାର୍ଯ୍ୟକ୍ରମ ଆମ୍ବାସାଡ଼ର ସାଇନା ନେହୱାଲ ଓ ପ୍ରମୁଖ ଅତିଥି ମାନେ ପୁରସ୍କାର ରାଶି ବିତରଣ କରିଥିଲେ ।

କେବଳ କୋଲ୍ ଇଣ୍ଡିଆର ଉତ୍କର୍ଷର ଏହି ୫୦ ବର୍ଷକୁ ପାଳନ କରିବା ପାଇଁ ନୁହେଁ ବରଂ ଏକ ସୁସ୍ଥ ଜୀବନଶୈଳୀର ଗୁରୁତ୍ୱକୁ ଲୋକଙ୍କ ନିକଟରେ ପହଂଚାଇବା ଲକ୍ଷ୍ୟ ନେଇ ଏହି ମାରାଥନ ଆୟୋଜିତ ହୋଇଥିଲା । ଏଥିସହ ଏମ୍ସିଏଲ୍ ଏବଂ କୋଲ ଇଣ୍ଡିଆ ଲିମିଟେଡ୍ ସ୍ୱାସ୍ଥ୍ୟ ସଚେତନତା ନେଇ ସମଗ୍ର ଦେଶରେ ଲୋକଙ୍କୁ ସଜାଗ କରିଆସୁଛି ଏବଂ ଭବିଷ୍ୟତରେ ମଧ୍ୟ ଏହି ସଚେତନତାର ପ୍ରଚାର ପାଇଁ ପ୍ରତିଶ୍ରୁତିବଦ୍ଧ ।

Leave a Reply

Your email address will not be published. Required fields are marked *