ଜିଆଇ ଟ୍ୟାଗ୍ ପାଇଁ ହେବ ଉଦ୍ୟମ
କଟକ,୦୨/୦୩/୨୦୨୫(ଓଡ଼ିଶା ସମାଚାର/ ଦେବାଶିଷ ରଥ)- ଆଳୁଦମ ଦହିବରା କେବଳ ଖାଦ୍ୟ ନୁହେଁ, ଏହା ଏକ ଆବେଗ । ଏହି ପରମ୍ପରାକୁ ସମ୍ମାନ ଜଣାଇ ମାର୍ଚ୍ଚ ୧ ତାରିଖରେ ଆରମ୍ଭ କରାଯାଇଛି ଦହିବରା ଆଳୁଦମ୍ ଦିବସ ।
ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ଦହିବରା ଦିବସ ଭାବେ ପାଳନ କରାଯିବାକୁ ସ୍ଥିର କରାଯାଇଛି ।
କଟକ ଜିଲା ପ୍ରଶାସନ ପକ୍ଷରୁ ସିଲଭର୍ ସିଟି ବୋଟ୍ କ୍ଲବ୍ ଠାରେ ଆୟୋଜିତ ଦହିବରା ଉତ୍ସବରେ କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂହ ଯୋଗ ଦେଇ ଦହିବରା ଆଳୁଦମ ପ୍ରତ୍ୟେକ କଟକିଆଙ୍କ ପ୍ରିୟ ଖାଦ୍ୟ ବୋଲି କହିଥିଲେ ।
ବାରବାଟୀ-କଟକ ବିଧାୟିକା ଇଂ. ସୋଫିଆ ଫିର୍ଦ୍ଧୋସ ଦହିବରାକୁ କଟକର ଅନ୍ୟତମ ପରିଚୟ ବୋଲି ଅଭିହିତ କରି ଏହି ଖାଦ୍ୟକୁ ଲୋକପ୍ରିୟ କରାଇବାରେ ଦହିବରା ବ୍ୟବସାୟୀମାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ । ଦହିବରା ଆଳୁଦମ୍ କୁ ଜିଆଇ ଟ୍ୟାଗ୍ ମିଳିବା ନିମନ୍ତେ ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ । 
ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଦତାତ୍ରୟ ଭାଉସାହେବ ଶିନ୍ଦେ କହିଛନ୍ତି ଯେ ଅନନ୍ୟ ଦହିବରା ଆଳୁଦମ୍ କୁ ବିଶ୍ୱସ୍ତରୀୟ ମାନ୍ୟତା ଲକ୍ଷ୍ୟ ନେଇ ଜିଆଇ ଟ୍ୟାଗ ମିଳିବା ନିମନ୍ତେ କଟକ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ।
ସିଏମସି କମିଶନର ଅନାମ ଚରଣ ପାତ୍ର କଟକିଆଙ୍କ ପ୍ରାଣରେ ଦହିବରା ଆଳୁଦମର ବାସ୍ନା ଭରି ରହିଛି ବୋଲି କହିଛନ୍ତି । ଅନୁଷ୍ଠିତ ହହିବରା ଉତ୍ସବରେ କଟର ବିଭିନ୍ନ
ଦହିବରା ବ୍ୟବସାୟୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ଷ୍ଟଲ୍ ମାନ ଖୋଲିଥିଲେ । ଦହିବରା ଉତ୍ସବ ଅବସରରେ ସିଲଭର ସିଟି ବୋଟ୍ କ୍ଲବଠାରେ କଟକର ବିଭିନ୍ନ ସ୍ଥାନରେ ମିଳୁଥିବା ପ୍ରସିଦ୍ଧ ଦହିବରା ବ୍ୟବସାୟୀମାନଙ୍କର ତାଲିକା, ସେଲଫି ଜୋନ୍, ଦହିବରାର ଖାଦ୍ୟ ଗୁଣବତା ଆଦି ପ୍ରଦର୍ଶିତ ହୋଇଥିଲା ।

ଦହିବରା ଦିବସ ଅବସରରେ ଆଳୁଦମ୍ ଦହିବରା ଡଟ କମ୍ ନାମକ ଏକ ୱେବ୍ ପେଜ୍ ମଧ୍ୟ ଉଦଘାଟିତ ହୋଇଯାଇଛି । ଏହି ୱେବ୍ ପେଜ ରେ ଦହିବରା ଆଳୁଦମର ଇତିହାସ, ବିଭିନ୍ନ ସ୍ଥାନରେ ମିଳୁଥିବା ପ୍ରସିଦ୍ଧ ଦହିବରା ଆଳୁଦମ, ଦହିବରା ଆଳୁଦମର ସ୍ୱାସ୍ଥ୍ୟଗତ ଉପାଦେୟତା ଆଦି ସ୍ଥାନ ପାଇଛି ।
ଏହି କାର୍ଯ୍ୟକ୍ରମ ଅବସରରେ ପ୍ରସିଦ୍ଧ ଦହିବରା ବ୍ୟବସାୟୀ ତ୍ରିନାଥ ଏବଂ ବାବୁଲା, ଫୁଡ ବ୍ଲଗର ରୋହିତ ଶ୍ରୀବାସ୍ତବ ଏବଂ ଅଂଶଗ୍ରହଣ
କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଥିଲା ।
ଅତିରିକ୍ତ ଜିଲାପାଳ ଶିବ ଟପୋ ଧନ୍ୟବାଦ୍ ଦେଇଥିଲେ । ଦହିବରା ଦିବସର ନୋଡାଲ ଅଧିକାରୀ ଅତିରିକ୍ତ ଜିଲାପାଳ ଡଃ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା ।
ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଓ ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ କାର୍ଯ୍ୟ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
