ବିଶିଷ୍ଟ ସାହିତି୍ୟକ ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ବିୟୋଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭୁବନେଶ୍ୱର,୨୬/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବିଶିଷ୍ଟ ସାହିତି୍ୟକ, ପ୍ରାବନ୍ଧିକ, କବି ତଥା ଅନୁବାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦ ଆଜି (୨୬ ଫେବୃଆରୀ ୨୦୨୫) ପବିତ୍ର ମହାଶିବରାତ୍ରି ତିଥିରେ ତାଙ୍କର ବାସଭବନ ବାଲେଶ୍ୱର ଜିଲାର ରାଜ ନୀଳଗିରିଠାରେ ଅପରାହ୍ଣ ୨.୦୦ ଘଟିକାରେ ପରଲୋକ ଗମନ ହୋଇଯାଇଛି । ସ୍ୱର୍ଗତ ନନ୍ଦଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତର ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଯାଇଛି ।

ସେ ଜଣେ ସରଳ, ନିଷ୍କପଟ ଓ ଦରଦୀ ହୃଦୟର ମଣିଷ ଥିଲେ । ୬ ସେପ୍ଟେମ୍ବର ୧୯୪୩ ମସିହାରେ ରାଜ ନୀଳଗିରିଠାରେ ସ୍ୱର୍ଗତ ନନ୍ଦ ଜନ୍ମଗ୍ରହଣ କରିଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ହୋଇ ଥିଲା । ପିତା ଲକ୍ଷ୍ମୀନାରାୟଣ ନନ୍ଦ ଓ ମାତା ସାବିତ୍ରୀ ଦେବୀଙ୍କ ଔରସରୁ ଜନ୍ମିତ ଏହି ସୁପୁତ୍ରଙ୍କର ଓଡ଼ିଆ ସାହିତ୍ୟ ପ୍ରତି ବହୁ ଅବଦାନ ରହିଅଛି । ଜଣେ ପ୍ରଜ୍ଞାବାନ ଓ ସିଦ୍ଧ ସାହିତ୍ୟ ସ୍ରଷ୍ଟା ଭାବେ ସ୍ୱର୍ଗତ ପ୍ରହରାଜ ସାହିତ୍ୟର ସମସ୍ତ ବିଭାବକୁ ଛୁଇଁ ଯାଇଅଛନ୍ତି ।

ସାହିତ୍ୟକୃତି ମଧ୍ୟରେ ନୀଳ ହଂସର ଜ୍ୱାଳା, ଅଧପତନର ଛନ୍ଦ, ଶବସଙ୍ଗମ ଓ ଅନ୍ୟାନ୍ୟ କବିତା, ଜିଅନ୍ତା ଶାଳଗ୍ରାମ, ସପ୍ତଦ୍ୱୀପା ବସୁନ୍ଧରା, ସନେଟ୍ ସା, ହିରଣ୍ୟୟେନ ପାତ୍ରେଣ, ହିରଣ୍ୟୟେନ ସବିତା ରଥେନା, ବର୍ଷାର ପାଦରେ ନୂପୁର, ରେଶମୀ ଡୋରରେ ବନ୍ଧା ଗୋଟିଏ ପକ୍ଷୀ, ନକ୍ଷତ୍ର ସଙ୍ଗମ ଓ ଅନ୍ୟାନ୍ୟ କବିତା, ଶ୍ରୀରାଧାର ପୂର୍ଣ୍ଣାଙ୍ଗ ଆଲୋଚନା, ହାତରେ ମଶାଲ ଧରି ପାହାଡ଼କୁ ଉଠୁଥିବା ଲୋକ, ଶ୍ରେଷ୍ଠ ପ୍ରେମ କବିତା, ଶ୍ରେଷ୍ଠ ପ୍ରେମ ସନେଟ୍, ସାତଟି ଦୀର୍ଘ କବିତା ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ କବି ଅନନ୍ତ ପଟ୍ଟନାୟକ ମନୋଗ୍ରାଫ ଇତ୍ୟାଦି ତାଙ୍କର ଉଲ୍ଲେଖନୀୟ ଅବଦାନ ।

ଏହି ପ୍ରଥିତଯଶା ସାହିତି୍ୟକ ସ୍ୱର୍ଗତ ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ବହୁମୁଖି ପ୍ରତିଭା ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ଓ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ଅଧିକାର କରିପାରିଛି । ତାଙ୍କର ବିୟୋଗରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସଂଜୀବ କୁମାର ମିଶ୍ର, ଯୁଗ୍ମ ଶାସନ ସଚିବ ଶ୍ରୀଯୁକ୍ତ ଦେବପ୍ରସାଦ ଦାଶ,ନିର୍ଦ୍ଧେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ଯୁଗ୍ମ ନିର୍ଦ୍ଧେଶକ ଶ୍ରୀଯୁକ୍ତ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଏବଂ ଏକାଡେମୀର ସହ-ସଚିବ ଶ୍ରୀ ସଞ୍ଜୟ କୁମାର ଛୁଆଳସିଂହ ଓ କର୍ମକର୍ତାମାନେ କାର୍ଯର୍୍ୟାଳୟରେ ଉପସ୍ଥିତ ରହି ସ୍ୱର୍ଗତ ନନ୍ଦଙ୍କ ଅମରଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
-୦-
ଓଡ଼ିଶା ସାହିତ୍ୟ ଏକାଡେମୀ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *