ଓଡ଼ିଆ ଭାଷା ବିକାଶ ପରିଷଦର ସାହିତ୍ୟ ଉତ୍ସବ

ଅସ୍ତରଙ୍ଗ,୨୫/୦୨/୨୦୨୫(ଓଡ଼ିଶା ସମାଚାର)- କାକଟପୁର ନିକଟସ୍ଥ କନ୍ଦଳପୁର ଅଧିଷ୍ଠାତ୍ରୀ ମା’ ନାରାୟଣୀଙ୍କ ପୀଠରେ ଓଡ଼ିଆ ଭାଷା ବିକାଶ ପରିଷଦର ପ୍ରାରମ୍ଭିକ ସାହିତ୍ୟ ଉତ୍ସବ ଦୁଇଟି ଅଧିବେଶନରେ ମହାସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବର ପ୍ରଥମ ଅଧିବେଶନରେ ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷାଧିକାରୀ ସାଧୁଚରଣ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଜିଲାରୁ ୫୦ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ ।

ଉତ୍ସବକୁ ଆନୁଷ୍ଠାନିକ ଭାବେ ମଙ୍ଗଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼ଃ ସଂଗ୍ରାମ ଛାଟୋଇ ଉଦ୍ଘାଟନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଦୀପ୍ତି କୁମାରୀ ମହାନ୍ତି, କବି ହୃଦାନନ୍ଦ ସାସମଲ ମଂଚ ସଂଯୋଜନା କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ସ୍ୱପ୍ନେଶ୍ୱର ସାହୁ, ନାରୀନେତ୍ରୀ ମଞ୍ଜୁଳା ଷଡ଼ଙ୍ଗୀ ଓ କ୍ଷେତ୍ରବାସିନୀ ତ୍ରିପାଠୀ “କବି ଓ କବିତା’ ଶୀର୍ଷକ ଉପରେ ଆଲୋକପାତ କରିଥିଲେ । ଦ୍ୱିତୀୟ ଅଧିବେଶନରେ ପରିଷଦର ସଭାପତି ବନବିହାରୀ ଗ୍ରହାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ନିଖିଳୋତ୍କଳ ଶାକଦ୍ୱିପୀ ବ୍ରାହ୍ମଣ ପରିଷଦର ଉପଦେଷ୍ଟା ତଥା ଓଡ଼ିଶା ବିଶିଷ୍ଟ ଲେଖକ ଶରତ କୁମାର ମହାପାତ୍ର, ମୁଖ୍ୟବକ୍ତା ରୂପେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼ଃ ରବିନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟବିଭାଗର ସହକାରୀ ନିର୍ଦ୍ଧେଶକ ଡ଼ଃ ସଞ୍ଜୁଲତା ଶତପଥି, ଅବସରପ୍ରାପ୍ତ ପ୍ରଫେସର ନୀରୋଦ କୁମାର ଦାସ, ଓଡିଶା ଅର୍ଥ ବିଭାଗର ଅଧିକାରୀ ଧୀରେନ୍ଦ୍ର ଶତପଥି, ମା’ ମଙ୍ଗଳା ମନ୍ଦିର ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ଆଇନଜୀବୀ ଉମାକାନ୍ତ ମିଶ୍ର ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଡ଼ଃ ପଣ୍ଡା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ଆଲୋଚନା କରି ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲେ ।

ପରିଷଦର ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ବିବରଣୀ ପଠନ କରିଥିଲେ । ମୁଖ୍ୟ ଉପଦେଷ୍ଟା ଧୀରେନ ମହାନ୍ତି ଓ ସତ୍ୟଜିତ ସାମନ୍ତରାୟ ଶୁଭେଚ୍ଛା ବାର୍ତା ପ୍ରଦାନ କରିଥିଲେ । ମିଡ଼ିଆ ସଂଯୋଜ ପ୍ରଶାନ୍ତ କୁମାର ଜେନା ଯୋଗଦେଇଥିବା ବେଳେ ରଶ୍ମିରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *