ରାଜଭବନରେ ଗୁଜରାଟ ଓ ମହାରାଷ୍ଟ୍ରର ପ୍ରତିଷ୍ଠା ଦିବସ ପାଳିତ

ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ
“ଏକ ଭାରତ – ଶ୍ରେଷ୍ଠ ଭାରତ” ଭବନାକୁ ଅଧିକ ସୁଦୃଢ଼ କରୁଛି – ରାଜ୍ୟପାଳ

ଭୁବନେଶ୍ୱର, ୦୨/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ମାନ୍ୟବର ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ “ଏକ ଭାରତ – ଶ୍ରେଷ୍ଠ ଭାରତ” ଭାବନାକୁ ଅଧିକ ସୁଦୃଢ଼ କରୁଛି ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ମଇ ୧ ତାରିଖ ଗୁରୁବାର ଅପରାହ୍ନରେ ରାଜଭବନର ନୁ୍ୟ ଅଭିଷେକ ହଲ୍ ଠାରେ ଗୁଜରାଟ ଓ ମହାରାଷ୍ଟ୍ର ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି ।

ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ରାଜଭବନରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରତିଷ୍ଠା ଦିବସ ପାଳନ କରିବା ପରମ୍ପରାର ଆଉ ଏକ ଅର୍ଥପୂର୍ଣ୍ଣ ଅଧ୍ୟାୟକୁ ଚିହ୍ନିତ କରେ । ଭାରତର ପ୍ରତ୍ୟେକ ରାଜ୍ୟ ଐତିହ୍ୟ, ମୂଲ୍ୟବୋଧ ଏବଂ ଅବଦାନରେ ଭରପୁର, ଯାହା ଆମର ଜାତୀୟ ପରିଚୟକୁ ସମୃଦ୍ଧ କରିଥାଏ । କାଳଜୟୀ ସାହସ ଏବଂ ଉଦ୍ୟୋଗର ଭୂମି ଗୁଜରାଟ ଆମକୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରାଇଥାଏ, ଯିଏ ଅହିଂସାର ଶକ୍ତି ସହିତ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ନେତୃତ୍ୱ ଦେଇଥିଲେ ଏବଂ ଭାରତର ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଆମ ଦେଶକୁ ଏକୀକୃତ କରିଥିଲେ ।

ଅଧୁନା ଗୁଜରାଟ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଏବଂ ମାନ୍ୟବର ଗୃହ ମନ୍ତ୍ରୀ ଅମିତ୍ ଶାହା ଜୀଙ୍କ ଘରୋଇ ରାଜ୍ୟଭାବେ ଜାତୀୟସ୍ତରରେ ଫୋକସ୍ରେ ରହିଛି ଏବଂ ସେମାନଙ୍କର ଦୂରଦୃଷ୍ଟି ଓ ଦୃଢ଼ ନେତୃତ୍ୱ ଦେଶକୁ ପ୍ରଗତି ପଥରେ ଆଗେଇ ନେଉଛି ବୋଲି ରାଜ୍ୟପାଳ କହିଥିଲେ । ଅନ୍ୟ ପକ୍ଷରେ ମହାରାଷ୍ଟ୍ର ସଂପର୍କରେ ରାଜ୍ୟପାଳ କହିଥିଲେ ଯେ ମହାରାଷ୍ଟ୍ର ଛତ୍ରପତି ଶିବାଜୀ ମହାରାଜଙ୍କ ବୀରତ୍ୱ ଏବଂ ଐତିହ୍ୟକୁ ଉଜାଗର କରେ ଯାହାଙ୍କର ନ୍ୟାୟ, ଶାସନ ଏବଂ ସାହସର ଭାବନା ପୀଢି ପୀଢିକୁ ପ୍ରେରଣା ଦେଇ ଚାଲିଛି । ଏହି ରାଜ୍ୟର ଗଣେଶ ମହୋତ୍ସବ ବେଶ୍ ପ୍ରସିଦ୍ଧ, ଯାହା ଲୋକଙ୍କୁ ଉତ୍ସବ ଏବଂ ସାମୁହିକ ଭାବନାରେ ଏକାଠି କରିଥାଏ । ଭାରତର ସଂସ୍କୃତି, ସାହିତ୍ୟ, ଶିଳ୍ପ ଏବଂ ସିନେମାର ଉକୃଷ୍ଟତା କ୍ଷେତ୍ରରେ ମହାରାଷ୍ଟ୍ରର ଅପାର ଅବଦାନ ରହିଛି ବୋଲି ରାଜ୍ୟପାଳ କହିଥିଲେ ।

ପ୍ରାଚୀନ ଐତିହ୍ୟ, ପର୍ବପର୍ବାଣୀ ଏବଂ ଗଭୀର ମୂଲ୍ୟବୋଧ ସହିତ ଓଡ଼ିଶା ଦେଶର ସମସ୍ତ ପ୍ରାନ୍ତର ଲୋକଙ୍କୁ ସର୍ବଦା ଖୋଲା ହୃଦୟରେ ସ୍ୱାଗତ କରିଛି । ଗୁଜରାଟ ଏବଂ ମହାରାଷ୍ଟ୍ରର ଅନେକ ମୂଳ ବାସିନ୍ଦା ଏବେ ଓଡିଶାକୁ ନିଜର ଦ୍ୱିତୀୟ ଘର ବୋଲି କହୁଛନ୍ତି ଏବଂ ସେମାନଙ୍କର ପାଠପଢ଼ା, ବ୍ୟବସାୟ, ବିଭିନ୍ନ ବୃତ୍ତିରେ କାର୍ଯ୍ୟ ନିର୍ବାହ କରୁଥିବା ଖୁସିର କଥା ବୋଲି ରାଜ୍ୟପାଳ କହିଥିଲେ । ପ୍ରତିଷ୍ଠା ଦିବସ ସମାରୋହରେ ଗୁଜରାଟ ଓ ମହାରାଷ୍ଟ୍ର ରାଜ୍ୟର ଅଧିବାସୀମାନଙ୍କର ଅଭିଜ୍ଞତା ଓ ଉପଲବ୍ଧି ଜାତୀୟ ସଂହତି, ପାରସ୍ପରିକ ସମ୍ମାନ ଏବଂ ସହଭାଗୀ ପ୍ରଗତିକୁ ପ୍ରତିଫଳିତ କରୁଛି ।

ସେମାନଙ୍କର ନିଜସ୍ୱ ସଂସ୍କୃତିର ବିଶେଷତ୍ୱକୁ ସଂରକ୍ଷଣ କରିବା ସହ ଓଡିଶାର ବିକାଶ ଓ ଅଭିବୃଦ୍ଧିରେ ସେମାନଙ୍କର ସକ୍ରିୟ ଯୋଗଦାନକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଏହି ପରି ଉତ୍ସବ ଏକତା, ଗର୍ବ ଓ ସମନ୍ୱୟର ବାର୍ତ୍ତାବହ ହେଉ ବୋଲି ରାଜ୍ୟପାଳ ଡ. କମ୍ଭମ୍ପାଟି କହିଥିଲେ । ଏହି ଅବସରରେ ଗୁଜରାଟର ମାନ୍ୟବର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମହାରାଷ୍ଟ୍ରର ମାନ୍ୟବର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍ଙ୍କର ଭିଡିଓ ବାର୍ତ୍ତା ପ୍ରଦର୍ଶିତ କରାଯାଇଥିଲା ।
ପ୍ରାରମ୍ଭରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ.ବି.ଏସ୍. ରାଜପୁତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ସମାରୋହରେ ଓଡ଼ିଶାରେ ରହୁଥିବା ଉପରୋକ୍ତ ରାଜ୍ୟର ମୂଳ ବାସିନ୍ଦା ନିଜ ନିଜ ରାଜ୍ୟର ମହିମା, ଗରିମା, ବିଶେଷତ୍ୱ ଓ ଓଡିଶା ସହିତ ସଂପର୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।
-୦-
ସଂଜୀବ ବାରିକ, ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *