ରାଉରକେଲା,୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଛେଣ୍ଡ ସ୍ଥିତ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସପ୍ତ ଦିବସୀୟ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଧାମରା ବସ୍ତି ଠାରେ ଆରମ୍ଭ ହୋଇଯାଇଛି। ଉଦଘାଟନୀ ଦିବସରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଦିପ୍ତିମୟୀ ମହାପାତ୍ର ଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପକ ହରିଶ ଚନ୍ଦ୍ର ମିଶ୍ର ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଚନ୍ଦ୍ରମଣି ମାଝୀ ମୁଖ୍ୟ ଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଛାତ୍ର ଛାତ୍ରୀଙ୍କ ଶିକ୍ଷା ସହ ସାମାଜିକ ପ୍ରତିବଦ୍ଧତା କୁ ଗୁରୁତ୍ବ ଦିଆଯାଇ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ କରାଯାଉଛି। ଏହା ସହ ସେ ସ୍ବଛତା, ସମୟାନୁବର୍ତ୍ତିତା, କର୍ତ୍ତବ୍ୟ ପରାୟଣତା, ଆଗ୍ରହ, ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ ଚଳିତ ବର୍ଷର ଥିମ୍ ମୋ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ନେଇ କହିଲେ ଯେ ୧୯୬୯ ମସିହାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଏଥିରେ ଯୋଗ ଦେଉଥିବା ଛାତ୍ର ଛାତ୍ରୀ ସାମାଜିକ ଦାୟିତ୍ୱବୋଧ ଓ ନିଜସ୍ବ ଆଭ୍ୟନ୍ତରୀଣ ଗୁଣ ବିକଶିତ କରିବା ପାଇଁ ସହାୟକ ହୋଇଥାଏ। ଏପରି ସାମାଜିକ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାଏ ବୋଲି ମତ ରଖିଥିଲେ ।
ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ଏହି ଯୋଜନା ୩ବର୍ଷ ଧରି ବିଦ୍ୟାଳୟ ତରଫରୁ ଆୟୋଜନ କରାଯାଉଥିବା ବେଳେ ଏହି କାର୍ଯ୍ୟକ୍ରମର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ଆବାହକ ଶ୍ରୀ ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ସାତ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସପ୍ତ ଦିବସୀୟ କାର୍ଯ୍ୟକ୍ରମରେ ଯୋଗ, ପ୍ରାର୍ଥନା,ବସ୍ତି ସଫେଇ, ନିଶା ନିବାରଣ ରାଲି, କଲୋରା ଓ ହଇଜା ସମ୍ପର୍କୀତ ତଥା ସାକ୍ଷରତା ସଚେତନତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତଭୁକ୍ତ ରହିଛି। ଏହି କାର୍ଯ୍ୟକ୍ରମରେ ରଞ୍ଜିତ ପଲେଇ,ଶରତ ପାତ୍ର, ଜ୍ୟୋତିଶ କୁମାର ଦାସ, ସସ୍ମିତା ପ୍ରଧାନ, ସୂର୍ଯ୍ୟନାରାୟଣ ପଣ୍ଡା, ଛାତ୍ର ଲକି ମିଶ୍ର, ବିଶ୍ବଜିତ ଜାନା ଙ୍କ ସହ ବହୁ ଛାତ୍ର ଉପସ୍ଥିତ ରହି ସ୍ବଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ସପ୍ତ ଦିବସୀୟ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ
![](https://eodishasamachar.com/wp-content/uploads/2023/12/WhatsApp-Image-2023-12-26-at-4.20.58-PM.jpeg)