ପୁରାତନ ଛାତ୍ରଙ୍କ ମହନୀୟତା, ବାଣ୍ଟିଲେ ପାଠ୍ୟ ପୁସ୍ତକ, ଭଲ ମଣିଷ ହେବାକୁ ବିଦ୍ୟାର୍ଥୀଙ୍କୁ ଦେଲେ ଆହ୍ୱାନ

ମାହାଙ୍ଗା, ୦୯/୦୩/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଏକ ପୁରାତନ ସ୍କୁଲ,ରଘୁନାଥ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାପୀଠ, କୋଠପଦା । ୧୦୦ ବର୍ଷ ପୂର୍ବେ କୋଠପଦା ମାଇନର ସ୍କୁଲ ଏବଂ ୬୪ ବର୍ଷ ତଳେ ରଘୁନାଥ ଉଚ୍ଚ ବିଦ୍ୟାପୀଠ କୋଠପଦା ନିର୍ମାଣ ହୋଇଥିଲା । ଏହା ଭିତରେ ଉଭୟ ମଧ୍ୟ ଇଂରାଜୀ ଏବଂ ଉଚ୍ଚ ବିଦ୍ୟାପୀଠର ମିଶ୍ରଣ ଘଟିଛି । ଗୋଟିଏ କ୍ୟାମ୍ପାସ ଭିତରେ ଏହି ୫ ଟି ସରକାରୀ ବିଦ୍ୟାଳୟଟି ଶୈକ୍ଷିକ ପରିବେଶ ଭିତରେ କାର୍ୟ୍ୟକରୁଛି । ଦିନେ ଏହି ସ୍କୁଲରେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ ବନମାଳୀ ବ୍ରହ୍ମଚାରୀ ଶିକ୍ଷକତା କରୁଥିଲେ । ଦୁର୍ଗା ଚରଣ ମହାନ୍ତି, କାମପାଳ ମିଶ୍ର,ଅମୁଲ୍ୟ କୁମାର ଷଢଙ୍ଗୀ, ଯଦୁନାଥ ବେହେରା, ଭିକାରୀ ଚରଣ ଦାସ,ସୁନାକର ନାୟକ, ବଟ କିଶୋର ପଣ୍ଡା, ପ୍ରମୋଦ କୁମାର ମହାନ୍ତି, ଶାନ୍ତିଲତା ଦେବୀ,ପ୍ରଭୁପଦ ମହାନ୍ତି ଏବଂ ସୁଦର୍ଶନ ପଟ୍ଟନାୟକଙ୍କ ଭଳି ବହୁ ଅଭିଜ୍ଞ ଏବଂ ଯଶସ୍ବୀ ଗୁରୁମାନେ ଏହି ବିଦ୍ୟାଳୟକୁ ମଣିଷ ତିଆରି କାରଖାନାରେ ପରିଣତ କରିପାରିଥିଲେ । ବିଖ୍ୟାତ ଶିକ୍ଷାବିତ ଫକୀର ଚରଣ ମହାନ୍ତି ଓ ଦାଶରଥି କର ଏହି ରଘୁନାଥ ବିଦ୍ୟାପୀଠର ପ୍ରତିଷ୍ଠାତା ଥିଲେ । ଏହି ବିଦ୍ୟାଳୟରୁ ପାଠପଢି ଜୀବନରେ ବହୁ ଉଚ୍ଚ ସୋପାନକୁ ଅନେକ ଛାତ୍ର ଛାତ୍ରୀ ଯାଇପାରିଛନ୍ତି । ସେମାନଙ୍କ ମଧ୍ୟରୁ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଅନ୍ୟତମ । ଏମ ଏ ସି ରେ ସେ ଜଣେ ଗୋଲଡ଼ ମେଡ଼ାଲିଷ୍ଟ ମେଧାବୀ ଛାତ୍ର ଭାବେ କୃତିତ୍ୱ ହାସଲ କରିଥିଲେ । ଏହାପରେ ଓଏଏସ ପାଇଥିବା ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ବିଭିନ୍ନ ଉଚ୍ଚ ପଦ ପଦବୀରେ କାର୍ୟ୍ୟ କରିବା ପରେ ଆଜି ସରକାରୀ ଚାକିରିରୁ ଅବସର ନେଲେଣି । ୧୯୭୩ ବ୍ୟାଚର ପୁରାତନ ଛାତ୍ର ଶ୍ରୀ ବିଶ୍ୱାଳ ନିଜ ସହପାଠୀ ମାନଙ୍କୁ ସାଙ୍ଗରେ ଧରି ଆଜି ପହଂଚିଥିଲେ କୋଠପଦା ସ୍କୁଲରେ । ଏବେ ସ୍କୁଲରେ ନବମ ଶ୍ରେଣୀ ପିଲାମାନଙ୍କ ପରୀକ୍ଷା ଜାରୀ ରହିଛି । ବିଦ୍ୟାଳୟର ୭୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ପରେ ୧୦ ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ । ସେମାନଙ୍କ ଉଚ୍ଚ ଶିକ୍ଷାରେ କୌଣସି ପ୍ରତିବନ୍ଧକ ନହେଉ । ପରୀକ୍ଷା ପରେ ଛୁଟି ହୋଇଯିବ । ରେଜଲ୍ଟ ବାହାରିବା ଓ ସ୍କୁଲ ଖୋଲିବା ପର୍ୟ୍ୟନ୍ତ ଏହି ପିଲାମାନେ ଘରେ ବସିରହିବେ । ପିଲାମାନଙ୍କୁ ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକ ଯୋଗାଡ଼ ପାଇଁ ସମୟ ଲାଗିବ ଓ ସେଥିପାଇଁ ଅର୍ଥର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ପୁରାତନ ଛାତ୍ର ଗୋବିନ୍ଦ ବିଶ୍ୱାଳ ପଚାଶ ହଜାର ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ପାଠ୍ୟ ପୁସ୍ତକ କ୍ରୟକରି ପହଂଚିଥିଲେ ସ୍କୁଲରେ । ବିଦ୍ୟାର୍ଥୀ ମାନଙ୍କୁ ସମୟର ଅପଚୟ ନକରି, ସେମାନେ କିପରି ଭଲ ପାଠ ପଢିବା ସହିତ,ଜୀବନରେ ଭଲ ମଣିଷ ହୋଇପାରିବେ, ସେ କଥା ବୁଝେଇ କହିଥିଲେ ।
ଜୀବନରେ ବଡ ସଫଳତା ପାଇବାକୁ କଠିନ ପରିଶ୍ରମର ଆବଶ୍ୟକତା ଜରୁରୀ ବୋଲି କହିବା ସହ, ଭଲ ମଣିଷ ହେବାକୁ ବିଦ୍ୟାର୍ଥୀ ମାନଙ୍କୁ ଶ୍ରୀ ବିଶ୍ୱାଳ ଆହ୍ୱାନ ଦେଇଥିଲେ । ନିଜ ସହପାଠୀ ମାନଙ୍କୁ ନେଇ ପିଲାମାନଙ୍କ ସହିତ ତାଙ୍କ ଛାତ୍ର ଜୀବନର ଅନୁଭୂତି କହିଥିଲେ । ସେ କିପରି ସମୟକୁ ହାତଛଡା ନକରି ଶିକ୍ଷା ଓ ସଂସ୍କାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ ସେକଥା ମଧ୍ୟ ବଖାଣି ଥିଲେ । ଗୁରୁ ଶିଷ୍ୟ ପରମ୍ପରାର ମହନୀୟ ଦିଗ ଉପରେ ଅତିଥିମାନେ ଆଲୋଚନା କରିଥିଲେ ଏବଂ ବିଦ୍ୟାମନ୍ଦିର ପ୍ରତି ଅନୁରାଗ ଓ ଶ୍ରଦ୍ଧାପଣ ଅତୁଟ ରଖିବାକୁ ବିଦ୍ୟାର୍ଥୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁସ୍ତକ ବଣ୍ଟନ ଉତ୍ସବରେ, ପୁରାତନ ଛାତ୍ର ତଥା ଓ ଏ ଏସ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ପୁରାତନ ଛାତ୍ର ତଥା ଓଏଏସ ଅଧିକାରୀ ଅଶୋକ ପଣ୍ଡା, ବରଦା ପ୍ରସାଦ ଦାସ, ସତ୍ୟନାରାୟଣ ଦାସ, ରବୀନ୍ଦ୍ର ମହାନ୍ତି, ବିଜୟ ଦାସ, ବଳରାମ ଦଳାଇ, ରାମଚନ୍ଦ୍ର ବେହେରା, କିଶୋର ଚନ୍ଦ୍ର ଦାଶ, ଅଖିଳେଶ ମହାନ୍ତି, ମାଗୁଣି ଚରଣ ସାମଲ, ଭାରତ ଭୂଷଣ ଦାସ, ବ୍ରଜବନ୍ଧୁ ପଲେଇ, ରଞ୍ଜୁଲତା ରାଉତ, ପ୍ରୀତି ପଲ୍ଲବୀ ସ୍ୱାଇଁ, ପର୍ଶୁରାମ ଦାସ, ରଶ୍ମିତା ବାରିକ, ନିହାରିକା ପ୍ରିୟ ଦର୍ଶିନୀ, ସନ୍ଧ୍ୟାରାଣୀ ଦାସ, ଯୋଗଜନ୍ମା ବେହେରା, ଗୌରୀ ଶଙ୍କର ମିଶ୍ର, ସଚିନ ପ୍ରଧାନ, ଅଜୟ ନନ୍ଦ ଏବଂ ଗୋପେନ୍ଦ୍ର ଚକ୍ରବର୍ତ୍ତୀ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାର୍ଥୀ, ଅଭିଭାବକ ତଥା ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମାନେ ପୁରାତନ ଛାତ୍ରଙ୍କ ଏଭଳି ମହତ କାର୍ୟ୍ୟକୁ ଭୁରିଭୁରି ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *