ମାର୍ଚ୍ଚ ୨୨ରୁ ଆଇପିଏଲ-୨୦୨୫ -କୋଲକାତାରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍
ପୁରୀ, ୧୭/୦୨/୨୦୨୫(ଓଡ଼ିଶା ସମାଚାର)- ପୁରୀରେ ପହଂଚିଛି ଆଇପିଏଲ୍ ଟ୍ରଫି । ଆସନ୍ତା ମାର୍ଚ୍ଚ ୨୨ରୁ ଆଇପିଏଲ୍ ମ୍ୟାଚ୍ ଆରମ୍ଭ ହେବ । କୋଲକାତାରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍ । ଏହା ପୂର୍ବରୁ ଆଇପିଏଲ୍ ଟ୍ରଫିକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୂଜାର୍ଚ୍ଚନା କରାଯାଇଥିଲା । ଡିଫେଣ୍ଡିଂ ଚାମ୍ପିଅନ୍ କୋଲକତା ନାଇଟ୍ ରାଇଡର୍ସର ସଦସ୍ୟମାନେ ରବିବାର ଟ୍ରଫିର ପୂଜାର୍ଚ୍ଚନା କରିଛନ୍ତି ।
ସୂଚନା ମୁତାବକ ଟ୍ରଫି ଟୁର୍ ପ୍ରୋଗ୍ରାମ୍ ରେ ଦେଶର ବିଭିନ୍ନ ସ୍ଥାନ ପରିକ୍ରମା କରିଥାଏ ଆଇପିଏଲ୍ ଟ୍ରଫି । ଏହି କ୍ରମରେ ଟ୍ରଫି ପୁରୀରେ ରବିବାର ପହଂଚିଥିଲା । କେକେଆର ଟିମ୍ ଆଇପିଏଲ୍ରେ ୨୦୧୨, ୨୦୧୪ ଓ ୨୦୨୪ରେ ତିନିଥର ଆଇପିଏଲ୍ ଚାମ୍ପିିଅନ୍ ହୋଇଥିଲା । ପୁରୀରେ ଆଇପିଏଲ୍ ଟ୍ରଫିକୁ ପୂଜା କରିଥିବା ଶ୍ରୀମନ୍ଦିର ସେବାୟତ ଚନ୍ଦ୍ରଶେଖର ଖୁଂଟିଆ କହିଥିଲେ ଯେ, “ଗତ ୨୦୨୪ ରେ କେକେଆର୍ ଟିମ୍ ଆଇପିଏଲରେ ଟ୍ରଫି ଜିତିଥିଲା ।
ଚଳିତବର୍ଷ କେକେଆର୍ ଟିମ୍ ପୁଣି ୨୦୨୫ ଆଇପିଏଲ୍ ଟ୍ରଫି ଜିତିବା ପାଇଁ ଆଶା ରଖିଛି । ଏଣୁ କେକେଆର ଟିମ୍ ର କିଛି ଅଫିସିଆଲ୍ ସଦସ୍ୟ ଟ୍ରଫି ସହିତ ଭାରତବର୍ଷର ବିଭିନ୍ନ ପ୍ରସିଦ୍ଧ ମନ୍ଦିରକୁ ଯାଇ ଠାକୁର ଙ୍କ ଆଶୀର୍ବାଦ କାମନା କରୁଛନ୍ତି । ଏହି କ୍ରମରେ ପୁରୀକୁ ଟ୍ରଫି ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜା କରାଯାଇଥିଲା । ଶ୍ରୀମନ୍ଦିର ଆସିବା ପୂର୍ବରୁ କେକେଆର୍ ଟିମ୍ ର ଅଫିସିଆଲ୍ ସଦସ୍ୟ ଆସାମସ୍ଥିତ ମା’ କାମାକ୍ଷା ଦେବୀଙ୍କ ପୀଠରେ ଆଇପିଏଲ୍ ଟ୍ରଫିକୁ ପୂଜାର୍ଚ୍ଚନା କରିସାରିଛନ୍ତି ।