ଭୁବନେଶ୍ୱର,୧୬/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବିଏମସି ମୁଖ୍ୟାଳୟରେ ଆଉ କେହି ପାନ ଗୁଟଖା ଖାଇବେନି କି ବର୍ଜ୍ୟ ସୃଷ୍ଟି କରିବେ ନାହିଁ । ସେହିପରି କେହି ପ୍ଲାଷ୍ଟିକ କ୍ୟାରି ବ୍ୟାଗ୍ ବ୍ୟବହାର କରିବେ ନାହିଁ । କପଡ଼ା ବ୍ୟାଗ୍ ବ୍ୟବହାର କରିବେ । କେହି ଖାଦ୍ୟ ନଷ୍ଟ କରିବେ ନାହିଁ । ପାଣି ପିଇବା ପାଇଁ ପ୍ଲାଷ୍ଟିକ ବୋତଲ ବଦଳରେ ଏଣିକି ସମସ୍ତେ କାଚ କିମ୍ୱା ଷ୍ଟିଲ ବୋତଲ ବ୍ୟବହାର କରିବେ ।
ଯଥା ସମ୍ଭବ କମ୍ କାଗଜ ବ୍ୟବହାର କରିବେ । ବିଏମସି କାର୍ଯ୍ୟାଳୟର କୌଣସି ଉପବିଭାଗରେ ଯେପରି ପେପର କିମ୍ୱା ଅନ୍ୟାନ୍ୟ ଅଦରକାରୀ ଜିନିଷ ନ ପଡ଼େ, ସେଥିପ୍ରତି ଦୃଷ୍ଟି ଦିଆଯିବ । ବିଏମସିକୁ ବର୍ଜ୍ୟମୁକ୍ତ କାର୍ଯ୍ୟାଳୟରେ ପରିଣତ କରିବାକୁ ଏଭଳି ବ୍ୟବସ୍ଥା କରାଯାଇଛି । ଯାହାଫଳରେ ବିଏମସି ଜିରୋ ୱେଷ୍ଟ ଅଫିସ୍ ହେବ । ଶୁକ୍ରବାର ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ୫ଅଭ୍ୟାସ ମାନିବା ପାଇଁ ସମସ୍ତଙ୍କୁ ନିର୍ଦ୍ଧେଶ ଦିଆଯାଇଛି ।
ଏଥିାଇଁ ଜିରୋ ୱେଷ୍ଟ ଅଡିଟ କରାଯିବ । ନିୟମିତ ବ୍ୟବଧାନରେ ଗୋଟିଏ ଗୋଟିଏ ଉପବିଭାଗର ତିନି ଜଣିଆ ଟିମ୍ ହୋଇ ସମସ୍ତ ଉପବିଭାଗ ବୁଲି ଅନୁଧ୍ୟାନ କରିବେ । କୌଣସି କର୍ମଚାରୀ ଘରେ, ବାହାରେ କିମ୍ୱା ଅଫିସରେ ନିଷିଦ୍ଧ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଯେଉଁମାନେ ଖାଦ୍ୟ ଆଣୁଛନ୍ତି, ସେମାନେ ବଳକା ଖାଦ୍ୟ ଫୋପାଡ଼ିବେ ନାହିଁ । ସେହିପରି ଅଫିସରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କାଗଜ କପ୍, ପ୍ଲେଟ, ଆଦି ଏଣେତେଣେ ନ ରଖି ନିର୍ଦ୍ଧିଷ୍ଟ ସ୍ଥାନରେ ରଖିବା ପାଇଁ କୁହାଯାଇଛି । ପ୍ରଥମେ ଆମେ ନିଜକୁ ସୁଧାରିବା, ତା ପରେ ଅନ୍ୟକୁ କହିବା ।
ଏହା ଏପରି କୌଣସି ବଡକାମ ନୁହେଁ, ଯାହାକୁ ଆମେ ନିଜ ଜୀବନରେ କାର୍ଯ୍ୟକାରୀ କରିପାରିବା ନାହିଁ । ପରିବେଶ ଅନୁଗାମୀ ହୋଇ ଜିରୋ ୱେଷ୍ଟ ଅଭ୍ୟାସକୁ ଆପଣେଇ ପାରିଲେ ବ୍ୟକ୍ତିଗତ, ପାରିବାରିକ ଏବଂ ସାମାଜିକ ସୁସ୍ଥତା ଆସିବ ବୋଲି କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି । ଏହି ଅଭ୍ୟାସଗୁଡ଼ିକୁ ପ୍ରଥମେ ଆମେ କାର୍ଯ୍ୟକାରୀ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟାଳୟରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରାଯିବ ବୋଲି ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ।
ଏହି ଅବସରରେ କାର୍ଯ୍ୟାଳୟରେ କିପରି ଜିରୋ ୱେଷ୍ଟ ରକ୍ଷା କରାଯାଇ ପାରିବ, ସେ ସମ୍ପର୍କରେ ପୁଣେସ୍ଥିତ ଆସେରା ସୋସିଆଲ ଫାଉଣ୍ଡେସନ ପକ୍ଷରୁ ଅର୍ଚ୍ଚନା ମୋରେ ଏକ ବୃତଚିତ୍ର ଉପସ୍ଥାପନା କରିବା ସହ ଉପସ୍ଥିତ ବିଏମସିର ସମସ୍ତ କର୍ମଚାରୀ କିପରି କାର୍ଯ୍ୟାଳୟକୁ ଜିରୋ ୱେଷ୍ଟ କରି ପାରିବେ, ସେ ସମ୍ପର୍କରେ ଅବଗତ କରାଇଥିଲେ । ସେହିପରି ନିଜ ଘରେ କିପରି ଆମେ ବିଘଟନ ଯୋଗ୍ୟ ବର୍ଜ୍ୟରୁ ଖତ ପ୍ରସ୍ତୁତ କରିପାରିବା, ସେ ସମ୍ପର୍କରେ ସହକାରୀ କମିଶନର ଏନ୍. ଗଣେଶ ବାବୁ ବିଷଦ ଭାବେ ବୁଝାଇଥିଲେ ।
