ପଲ୍ଲୀଶ୍ରୀ ମେଳା – ୨୦୨୫

ଯାଜପୁର,୧୨/୦୨/୨୦୨୫ (ଓଡ଼ିଶା ସମାଚାର)- କଳାକୃତି ଓ ସଂସ୍କୃତି ପୂର୍ଣ୍ଣ ଯାଜପୁର ଜିଲ୍ଲା ଓଡ଼ିଶାର ଐତିହ୍ୟ ରାଜଧାନୀ ଭାବରେ ପରିଚିତ। ବୈତରଣୀ ନଦୀର ଉତ୍ତର ଦିଗରେ ଅବସ୍ଥିତ ଏହି ଜିଲ୍ଲା ଐତିହ୍ୟ, ସଂସ୍କୃତି ଏବଂ କାରୁକାର୍ଯ୍ୟ ସମନ୍ବୟର ଏକ ଉତ୍କୃଷ୍ଟ ଉଦାହରଣ। ଏହାର ଉତ୍କୃଷ୍ଟ ଟସର ହସ୍ତତନ୍ତ, ମାଟି ତିଆରି କାମ, କାଇଁଚ ହସ୍ତଶିଳ୍ପ, ବାଉଁଶ କାରୁକାର୍ଯ୍ୟ ଏବଂ ପଥର କାମ, ଶିଳ୍ପୀ ମଧ୍ୟ ପୁଣ୍ୟର ପ୍ରମାଣ ଦିଏ। ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ହସ୍ତଶିଳ୍ପ ଗୁଡ଼ିକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସମ୍ମାନ ମିଳିଛି । ଏହି ଜିଲ୍ଲାରେ ୨୦,୦୦୦ ରୁ ଉର୍ଦ୍ଧ୍ବ ସ୍ବୟଂ ସହାୟକ ଗୋଷ୍ଠୀ (ଏସ.ଏଚ.ଜି) କାର୍ଯ୍ୟରତ କାରିଗର ମାନଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତ ଶିଳ୍ପ, ହସ୍ତତନ୍ତ ଓ ଗ୍ରାମୀଣ ସାମଗ୍ରୀର ପ୍ରଚାର, ପ୍ରସାର ଓ ବିକ୍ରୟ ନିମନ୍ତେ ପଲ୍ଲୀଶ୍ରୀ ମେଳା ୨୦୨୫ ର ଭବ୍ୟ ଆୟୋଜନ କରାଯାଇଅଛି। ଜିଲ୍ଲା ମହୋତ୍ସବ ଯଯାତି – ୨୦୨୫ ଓ ପଲ୍ଲୀଶ୍ରୀ ମେଳାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତା ୦୮.୦୨.୨୦୨୫ ରିଖ ଦିନ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଏହି ମେଳା ୦୮ ଫେବୃଆରୀ ୨୦୨୫ ତାରିଖରୁ ୧୨ ଫେବୃଆରୀ ୨୦୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ମୋଟ ୨୦୦ ଟି ଷ୍ଟଲ୍ ନିର୍ମାଣ କରାଯାଇଛି। ଓଡ଼ିଶାର ୩୦ ଟି ଜିଲ୍ଲାର ପ୍ରସିଦ୍ଧ ହସ୍ତକଳା, ହସ୍ତ ଶିଳ୍ପ, ହସ୍ତ ତନ୍ତ ଓ ଗ୍ରାମୀଣ ସାମଗ୍ରୀ ସ୍ଥାନ ପାଇଛି। ପୁରୀର ପଟ ଚିତ୍ର, ସମ୍ବଲପୁରୀ ଶାଢ଼ୀ, କଟକର ନୂଆ ପାଟଣାର ମାଣିଆ ବନ୍ଧ ଶାଢ଼ୀ, କେନ୍ଦୁଝର ଫୁଲ ବଢ଼ି, କନ୍ଧମାଳ ହଳଦୀ, ଯାଜପୁରର ଟସର ଶାଢ଼ୀ, କେନ୍ଦୁଝର ର ପେପର ମ୍ୟାଚି ଆଦି ପ୍ରସିଦ୍ଧ ହସ୍ତକଳା ଓ ଗ୍ରାମୀଣ ଦ୍ରବ୍ୟ ସ୍ଥାନ ପାଇଛି। ଏହା ସହିତ ୮ ଟି ରାଜ୍ୟରୁ ବିଭିନ୍ନ ପ୍ରସିଦ୍ଧ ହସ୍ତକଳା ଓ ଦ୍ରବ୍ୟ ମଧ୍ୟ ଉପଲବ୍ଧ ଅଛି। ଆସାମର ବାଉଁଶ କାମ, ଉତ୍ତର ପ୍ରଦେଶର କାର୍ପେଟ, ବନାରସୀ ଶାଢ଼ୀ, ଗୁଜୁରାଟ ର ମିନାକରି, ରାଜସ୍ଥାନ ଜୁତି ଆଦି ପ୍ରସିଦ୍ଧ ଦ୍ରବ୍ୟ ମଧ୍ୟ ଏହି ମେଳାରେ ସ୍ଥାନ ପାଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀ ମେଳାର ମଜା ନେବା ପାଇଁ ଦର୍ଶକ ଓ ଗ୍ରାହକଙ୍କର ଭିଡ଼ ଜମୁଛି । ଏହା ସହିତ ଲୋକମାନେ ବିଭିନ୍ନ ଖାଦ୍ୟ ସାମଗ୍ରୀର ମଜା ନେଇ ପାରୁଛନ୍ତି। ଏହି ମେଳାରେ ମୟୂରଭଞ୍ଜର ମୁଢ଼ି ମାଂସ, ନୟାଗଡ଼ର ଛେନା ପୋଡ଼, ବାଉଁଶ ଚିକେନ, ହାଇଦ୍ରାବାଦୀ ବିରୀୟାନି, ରାଜସ୍ଥାନୀ ପ୍ରସିଦ୍ଧ ଖାଦ୍ୟ, ତୁର୍କୀ ଆଇସକ୍ରିମ ଆଦି ବିଭିନ୍ନ ଖାଦ୍ୟ ଦ୍ରବ୍ୟର ସମ୍ଭାର ହୋଇଛି। ଅଦ୍ୟାବଧି ବିଗତ ୩ ଦିନରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଛି। ଏହି ପଲ୍ଲୀଶ୍ରୀ ମେଳାକୁ ଓର୍ମାସ ଯାଜପୁର ଓ ଜିଲ୍ଲା ପ୍ରଶାସନ ମିଳିତ ପ୍ରଚେଷ୍ଟାରେ ଅନୁଷ୍ଠିତ କରାଯାଉଅଛି। ପଲ୍ଲୀଶ୍ରୀ ମେଳା ଗ୍ରାମୀଣ କାରିଗରମାନଙ୍କର ରୋଜଗାରର ପନ୍ଥା ସାଜିବା ସହିତ ପୁରାତନ ହସ୍ତକଳା, ହସ୍ତତନ୍ତ, ଐତିହ୍ୟ, ସଂସ୍କୃତି କୁ ପୁନର୍ଜୀବିତ କରିବାରେ ସହାୟକ ହୋଇ ପାରିଛି ବୋଲି ବୁଦ୍ଧିଜୀବୀ ମାନେ ମତ ସାବ୍ୟସ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *