କେନ୍ଦ୍ରାପଡ଼ା, ୦୬/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଂଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମରେ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞର ଗୁରୁବାର ଶୁଭାରମ୍ଭ ହୋଇଯାଇଛି । ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ସମାଜର ମଙ୍ଗଳ କାମନା ନିମନ୍ତେ ଏହି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଶ୍ରୀମା’ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତିବର୍ଷ ଭଳି ଚଳିତବର୍ଷ ସାତଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ମହାଯଜ୍ଞର ପ୍ରଥମ ଦିବସରେ ଜଳାଭିଷେକ, ମନ୍ତ୍ରପାଠ, ହୋମ, ହବନ, ଅଗ୍ନିସ୍ଥାପନ, ସମିଦ୍ଧ ଓ ନାମ ସଙ୍କୀର୍ତନ ପ୍ରଭୃତି କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳ ସମେତ ଆଖପାଖ ଅଂଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଐଶ୍ୱରିକ କୃପା ଲାଭ କରିଛନ୍ତି । ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ସଦାସର୍ବଦା ଚେଷ୍ଟିତ ଶ୍ରୀମା’ ଆଜିର ବିଶୃଙ୍ଖଳିତ ସମାଜରେ ଭାଇଚାରା ପ୍ରତିଷ୍ଠା ଓ ପ୍ରତ୍ୟେକ ଲୋକର ଅନ୍ତରରେ ଶାନ୍ତି,ମୈତ୍ରୀ, ଦୟା, କ୍ଷମା ଓ ପ୍ରେମ ଭାବ ଉଦ୍ରେକ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି ସାତଦିନ ବ୍ୟାପି ହେବାକୁ ଥିବା ଯଜ୍ଞର ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସତସଙ୍ଗ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଏହି ଧର୍ମକାର୍ଯ୍ୟରେ ଯୋଗଦେଇ ଯଜ୍ଞ ନାରାୟଣଙ୍କ କୃପା ଲାଭ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଆସନ୍ତା ୯ତାରିଖରେ ସ୍ୱାମୀ ଶିବାନନ୍ଦ ତୋରଣ ଉଦଘାଟନ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି ।
ଶିବାନନ୍ଦ ଆଶ୍ରମରେ କଲ୍ୟାଣକାରୀ ବିଷ୍ଣୁ ମହାଯଜ୍ଞ ଆରମ୍ଭ
