ବକେୟା ଦରମା ଓ ଚିକିତ୍ସା ଖର୍ଚ୍ଚର ବକେୟା ପୈଠ କରିବା ଦାବିରେ ଖଣି ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଡ଼ବିଲ, ୦୬/୦୨/୨୦୨୫ (ଓଡ଼ିଶା ସମାଚାର)- ବକେୟା ଦରମା ଓ ଚିକିତ୍ସା ଖର୍ଚ୍ଚର ବକେୟା ପୈଠ କରିବା ଦାବିରେ ଆଜି ବଡ଼ବିଲ OMDC ଖଣି ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଗୁରୁବାର କମ୍ପାନୀର ବଡ଼ବିଲ ଠାକୁରାଣୀ କାର୍ଯ୍ୟାଳୟ ଫାଟକ ଆଗରେ ଶହ ଶହ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ଗତ ୬ ମାସ ହେଲା ନିୟମିତ କର୍ମଚାରୀ ଏବଂ ଅଧିକାରୀଙ୍କୁ ଦରମା ମିଳି ନଥିବା ବେଳେ, ଠିକା ଶ୍ରମିକଙ୍କୁ ୪ ମାସ ଧରି ଦରମା ଦିଆଯାଇନାହିଁ । ସେହିପରି ଚିକିତ୍ସା ଖର୍ଚ୍ଚ ବାବଦକୁ ଦିଆଯାଉଥିବା ବକେୟା ମଧ୍ୟ ପୈଠ କରାଯାଉନାହିଁ । ଯାହା ଫଳରେ ଶ୍ରମିକ ଓ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଇବା ପିଇବା ଠାରୁ ଆରମ୍ଭ କରି ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା କଷ୍ଟ ସାଧ୍ୟ ହୋଇପଡ଼ିଛି । ସାଢ଼େ ଚାରିଶହ କର୍ମଚାରୀ ନିଜ ପରିବାର ପ୍ରତିପୋଷଣ କରିବାରେ ଏକ ପ୍ରକାର ଅସମର୍ଥ ହୋଇଛନ୍ତି । ବିଗତ ୬ ମାସ ମଧ୍ୟରେ କମ୍ପାନୀ ପ୍ରାୟ ୫୦ କୋଟି ଟଙ୍କା ରୋଜଗାର କରିଥିବା ବେଳେ, ଦରମା ବାବଦକୁ ମାତ୍ର ୬ କୋଟି ୨୦ ଲକ୍ଷ ଟଙ୍କା ପୈଠ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକୁ ଓହ୍ଲାଇଥିବା ଶ୍ରମିକ ଓ କର୍ମଚାରୀ ।  ଦାବି ପୂରଣ ନହେବା ଯାଏଁ ଏହିପରି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି । ଏନେଇ କମ୍ପାନୀର ଡି ଜି ଏମ୍ କାର୍ମିକ ସ୍ଵାମୀ ପ୍ରସାଦ ପାଣ୍ଡେଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲୁ, ହେଲେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ।

Leave a Reply

Your email address will not be published. Required fields are marked *