ଜଗତସିଂହପୁର, ୦୬/୦୨/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପଞ୍ଜୀକରଣ ପତ୍ର ଓ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ,ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ନିର୍ମାଣ ଶ୍ରମିକ ମାନଙ୍କୁ ଦେଶ ତଥା ରାଜ୍ୟର ପ୍ରଗତି ର ସୂତ୍ରଧର ବୋଲି ସମ୍ବୋଧନ କରି ସେମାନଙ୍କ ଯୋଗୁଁ ଉନ୍ନତି ର ପରିବର୍ତ୍ତିତ ରୂପରେଖ ସମସ୍ତଙ୍କ ସାମନାରେ ପ୍ରଦର୍ଶିତ ହୋଇପାରିଛି ବୋଲି କହିଥିଲେ। ସେମାନଙ୍କ ଉନ୍ନତି ନିମନ୍ତେ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ସେମାନଙ୍କୁ ଅବଗତ ତଥା ସଚେତନ କରାଇବା ପାଇଁ ମନ୍ତ୍ରୀ ଜିଲ୍ଲା ଶ୍ରମ ବିଭାଗ ର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଶେଷ କରି ମହିଳା ମାନଙ୍କୁ
ସମସ୍ତ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ସଚେତନ କରିବା ପାଇଁ କହିଥିଲେ ବିଧାୟକ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ନିର୍ମାଣ ଶ୍ରମିକ ମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ। ସେମାନଙ୍କ ନିମନ୍ତେ ପ୍ରଦତ୍ତ ସହାୟତା ରାଶି ଏବଂ ମୃତ୍ୟୁ କାଳୀନ ସହାୟତା ର ବର୍ଦ୍ଧିତ ରାଶି, ଯାହା ସ୍ଵାଭାବିକ ମୃତ୍ୟୁ ନିମନ୍ତେ ୨,୦୦,୦୦୦ ରୁ ୩,୦୦,୦୦୦ ଓ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୪,୦୦,୦୦୦ ରୁ ୬,୦୦,୦୦୦ କୁ ବୃଦ୍ଧି କରଯାଇଛି ବୋଲି ସୂଚନା ଦେଇଥିଲେ। ବିଭିନ୍ନ ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜୀକୃତ ତଥା ସରକାର ଙ୍କ ପ୍ରଦତ୍ତ ସୁବିଧା ସମ୍ପର୍କ ରେ ଅବଗତ କରାଇବାକୁ ସେ ଶ୍ରମ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ।ଜିଲ୍ଲା ପରିଷଦ ର ସଭାପତି ଶ୍ରୀ ମନୋଜ କୁମାର ଭୋଇ ଉପସ୍ଥିତ ସମସ୍ତ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଶ୍ରମ କାର୍ଡ କରିବା ସହ ପ୍ରତିବର୍ଷ ଯେ କୌଣସି ମୋ ସେବା କେନ୍ଦ୍ର କୁ ଯାଇ କାର୍ଡ ର ନବୀକରଣ କରିବାକୁ ପରାମର୍ଶ ଦେଇଥିଲେ।
ସଭା ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଜଗତସିଂହପୁର ମୁନିସିପାଲିଟି ର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ମଧ୍ୟ ସମ୍ମାନିତ ଅତିଥି ଭାବେ ଶ୍ରମ ଓ ଶ୍ରମିକ ର ବିକାଶ ନିମନ୍ତେ ସରକାର ଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ଉନ୍ନୟନ ମୂଳକ ଯୋଜନା ର ନିଜେ ଲାଭ ଉଠାଇବା ସହ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରିବା ପାଇଁ ଉପସ୍ଥିତ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଆଜି ୧୭୬୩ ଜଣ ହିତାଧିକାରୀଙ୍କୁ ଶିକ୍ଷା ବୃତ୍ତି, ବିବାହ ସହାୟତା,ପ୍ରସୂତୀ କାଳୀନ ସହାୟତା, ମୃତ୍ୟୁ ଓ ଅନ୍ତେଷ୍ଟି କ୍ରିୟା ସହାୟତା ରାଶି ବାବଦରେ ମୋଟ ୫,୧୦,୧୬,୮୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରୁ ୪୯୪ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ବାବଦକୁ ଟ.୨,୪୬,୨୫,୦୦୦ଙ୍କା, ୧୦୭୮ ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ବାବଦକୁ ଟ.୭୦,୪୧,୮୦୦ଙ୍କା, ୯୧ ଜଣ ହିତାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦକୁ ଟ.୧,୮୮,୦୦,୦୦୦ଙ୍କା, ୯୦ ଜଣ ହିତାଧିକାରୀଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦକୁ ଟ.୪,୫୦,୦୦୦ଙ୍କା ଓ ୧୦ ଜଣ ହିତାଧିକାରୀଙ୍କୁ ପ୍ରସୂତିକାଳୀନ ସହାୟତା ବାବଦକୁ ଟ.୧,୦୦,୦୦୦ଙ୍କ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୭୫ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରଯାଇଥିଲା । ଏହି ଶିବିରରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ସ୍ମୃତିରେଖା ନାୟକ ସ୍ଵାଗତ ଭାଷଣ ଦେବାସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ।ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଶ୍ରୀ ଶାନ୍ତନୁ କୁମାର ବ୍ରହ୍ମା, ଶ୍ରୀମତୀ ସୌମ୍ୟା ସ୍ଥିତପ୍ରଜ୍ଞା ତଥା ଜଗତସିଂହପୁର ଜିଲ୍ଲା ଶ୍ରମ କାର୍ଯ୍ୟ।ଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସର୍ବଶେଷରେ ଶ୍ରୀ ଶିବ ନାରାୟଣ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ) ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ନିର୍ମାଣ ଶ୍ରମିକ, ଜନ ସାଧାରଣ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
ଜଗତସିଂହପୁର ରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ
