ଜଗତସିଂହପୁର,୦୫/୦୨/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ତଥା ଗ୍ରାମୀଣ ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ “ବିକଶିତ ଗାଁ’ ବିକଶିତ ଓଡିଶା” ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଗାଁ’ର ଭିତ୍ତିଭୂମି ବିକାଶ ପାଇଁ ବର୍ଷକୁ ହଜାର କୋଟି ଟଙ୍କା ଲେଖାଏଁ, ପାଞ୍ଚ ବର୍ଷରେ ମୋଟ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଗାଁ’ର ବିକାଶ ପାଇଁ ଆବଶ୍ୟକ ପ୍ରକଳ୍ପ ଗୁଡିକୁ ଗ୍ରାମ ସଭାରେ ହିଁ ସ୍ଥିର କରାଯିବ ।
ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଳକ୍ ଭି ସି ମାଧ୍ୟମ ରେ ଯୋଡ଼ି ଏହି କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ରେ ସାମିଲ୍ ହୋଇଥିଲେ । ଜିଲ୍ଲା ର କୁଜଙ୍ଗ ବ୍ଲକ ଓ ପରେ ତିର୍ତ୍ତୋଲ ବ୍ଲକ୍ ରେ ମାନ୍ୟବର ମନ୍ତ୍ରୀ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଯୋଜନା ମାଧ୍ୟମରେ ପ୍ରତି ଗାଁ’ରେ ଭଲ ରାସ୍ତା, ଡ୍ରେନ, ପାଠାଗାର, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ତୁଠ, ପୋଖରୀ ଓ ନଦୀ କୂଳରେ ଚେଞ୍ଜିଙ୍ଗ ରୁମ, ମାର୍କେଟ ସେଡ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ ଆଦି ନିର୍ମାଣ କରାଯିବା ସହ ଧାର୍ମିକ ପୀଠ, ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀ, ଶିକ୍ଷା ତଥା କ୍ରୀଡା ଭିତ୍ତିଭୂମି ଆଦିର ବିକାଶ ମଧ୍ୟ କରାଯିବ ବୋଲି କହିଥିଲେ। ସରକାରଙ୍କର ସ୍ପଷ୍ଟ ନୀତି; ‘Reform, Perform ଏବଂ Transform’ ଏବଂ ଆମେ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ” ମନ୍ତ୍ରକୁ ନେଇ ପରିଚାଳିତ ବୋଲି ସେ ବକ୍ତବ୍ୟ ରଖିଥିଲେ।
ସେହିପରି ଜଗତସିଂହପୁର ବ୍ଲକ ରେ ଏହି ନୂତନ ଯୋଜନା ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ର ଶୁଭାରମ୍ଭ ସମାବେଶ ଜଗତସିଂହପୁର ବ୍ଲକ ଓ ତହସିଲ କାର୍ଯ୍ୟାଳୟର ପରିସରରେ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଆଶୁତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଓଡ଼ିଶାକୁ ୨୦୩୬ ସୁଦ୍ଧା ଏକ ବିକଶିତ ରାଜ୍ୟ ରୂପେ ଗଢ଼ି ତୋଳିବା ପାଇଁ ଏହି ନୂତନ ଯୋଜନାର ଆବଶ୍ୟକତା ରହିଛି ବୋଲି ଦୃଢ଼ତା ପ୍ରକାଶ କରିବା ସହିତ ଏଥିପାଇଁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ଏଥିରେ ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ପରିଷଦର ସଭାପତି ଶ୍ରୀ ମନୋଜ କୁମାର ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ, ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ କନକପ୍ରଭା ଲେଙ୍କା ଓ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଅଭିମନ୍ୟୁ ପଣ୍ଡା ପ୍ରମୁଖ ଯୋଗଦେଇ ଏହି ନୂତନ ଯୋଜନାର ସଫଳ କାର୍ଯ୍ୟକାରୀତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ସମାବେଶରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରାଯାଇଥିଲା। ପରିଶେଷରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରୂପରେଖା ସାହୁ ସଂଯୋଜନା କରିଥିଲାବେଳେ ଜିଲ୍ଲା ପରିଷଦ ଓ ବ୍ଲକ କାର୍ଯ୍ୟଳୟର ବହୁ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରେ ମାନ୍ୟବର ବିଧାୟକ ଶ୍ରୀ ଦାସ ତହସିଲ କାର୍ଯ୍ୟଳୟ ର ନୂତନ ସମ୍ମିଳନୀ କକ୍ଷର ଉଦଘାଟନ କରିଥିଲେ।