ଉଦ୍ଘାଟନୀ ଅଧିବେଶନରେ ୯ଟି ବୁଝାମଣା ପତ୍ର ସ୍ଵାକ୍ଷରିତ
ତ୍ରୟମାସିକ ପତ୍ରିକା “Odyssey of Startups” ଲୋକାର୍ପିତ
କଫି ଟେବୁଲ ବୁକ୍ “From Tradition to Innovation” ଉନ୍ମୋଚିତ
ଭୁବନେଶ୍ୱର,୨୯/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ପାଇଁ ନୂଆ ଆଶା ଓ ସମ୍ଭାବନା ଆଣିବ ଉତ୍କର୍ଷ ଓଡ଼ିଶା-୨୦୨୫ । ପ୍ରଗତିର ନୂଆ ପରମ୍ପରା ସୃଷ୍ଟିକରିବ ଉତ୍କର୍ଷ ଓଡ଼ିଶା । ସମୃଦ୍ଧ ଓଡ଼ିଶା ଗଠନର ସ୍ଵପ୍ନକୁ ସାକାର କରିବ ଉତ୍କର୍ଷ ଓଡ଼ିଶା । Odisha: A Rising Star in India’s Startup Landscape (ଓଡ଼ିଶା: ଭାରତୀୟ ଷ୍ଟାର୍ଟ-ଅପ୍ ଦୃଶ୍ୟପଟ୍ଟରେ ଏକ ଉଦୀୟମାନ ତାରକା) ଶୀର୍ଷକ ଅଧିବେଶନର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ, “ଚାକିରି କରିବା ବଦଳରେ ଚାକିରି ଦେବାର ମାନସିକତା ରଖି କାର୍ଯ୍ୟ କରିବା ପାଇଁ ଆହ୍ଵାନ ଜଣାଇଥିଲେ ।” ସମୃଦ୍ଧିର ରଥକୁ ଆଗେଇ ନେବା ପାଇଁ ଷ୍ଟାର୍ଟ-ଅପ୍ କ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶ ପାଇଁ ପ୍ରେରିତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅଧିବେଶନରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିପୁଳ ସମ୍ଭାବନାର ରାଜ୍ୟ ଓଡ଼ିଶା MSME ମାଧ୍ୟମରେ ସମଗ୍ର ଦେଶର ଅର୍ଥନୀତିକୁ ସୁଦୃଢ କରି ପାରିବ ବୋଲି ମତ ପ୍ରକାଶ କରିଥିଲେ । ତେଣୁ ଓଡ଼ିଶାର MSME କ୍ଷେତ୍ରରେ ଅଧିକରୁ ଅଧିକ ନିବେଶ କରିବାକୁ ସେ ଉଦ୍ୟୋଗପତିମାନଙ୍କୁ ଆହ୍ଵାନ ଜଣାଇଥିଲେ ।
ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଅଧିବେଶନରେ ଉତ୍କୃଷ୍ଟ କଳାର ରାଜ୍ୟ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ବୋଲି କହିଥିଲେ । ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, କ୍ରୀଡ଼ା ଆଦି ପରି କ୍ଷେତ୍ର ଗୁଡିକର ନିବେଶ ପୂର୍ବକ ଶିଳ୍ପପତିମାନେ ଓଡ଼ିଶାର ବିକାଶ କାହାଣୀରେ ସହଭାଗୀ ହୁଅନ୍ତୁ ବୋଲି ସେ ପ୍ରୋତ୍ସାହିତ କରିଥିଲେ ।
ବିପୁଳ ପ୍ରାକୃତିକ ସମ୍ବଳ, ଦକ୍ଷତାସମ୍ପନ୍ନ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ଓ ଡବଲ ଇଂଜିନ୍ ସରକାର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ର ଅଭିବୃଦ୍ଧି ପାଇଁ ଅନୁକୂଳ ପରିବେଶ ଯୋଗାଇ ଦେଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମତ ବ୍ୟକ୍ତ କରିଥିଲେ ।
ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ଵତ ମିଶ୍ର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । CII ପୂର୍ବାଂଚଳ ଶାଖାର ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ବେହେରା ଉଦ୍ୟୋଗ କ୍ଷେତ୍ରରେ ନିଜ ସଫଳତାର ପ୍ରେରଣାଦାୟୀ ଯାତ୍ରା ସମ୍ପର୍କରେ ଉପସ୍ଥାପନା କରିବା ସହ ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ପାଇଁ ସାଥି ଉଦ୍ୟୋଗୀ ବନ୍ଧୁମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଉଦ୍ଘାଟନୀ ଅଧିବେଶନରେ ମୋଟ ୯ଟି ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା । ଏହି ବୁଝାମଣା ପତ୍ରଗୁଡିକ HDFC Bank, Hero MotoCorp, Confederation of Indian Industry (CII), The Circle Founders Club, Oplus India Research and Development Private Limited (OPPO), Merstra Foundation, Transition Venture Capital (TVC), ACIC GIET University, and the Indian Institute of Tourism and Travel Management ସହ ସ୍ଵାକ୍ଷରିତ ହୋଇଥିଲା ।
ଏହି ଅବସରରେ ତ୍ରୟମାସିକ ସମ୍ବାଦପତ୍ର “Odyssey of Startups” ଏବଂ କଫି ଟେବୁଲ ବୁକ୍ “From Tradition to Innovation” ଉନ୍ମୋଚିତ ହୋଇଥିଲା ।