କେନ୍ଦ୍ରାପଡ଼ା, ୨୭/୦୧/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ସଦର ମହକୁମାଠାରେ ଜିଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ବି. ପରମେଶ୍ୱରନ୍ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆଠାରେ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଆମର ସାମ୍ବିଧାନିକ ପିତାମହ ଡ. ବାବାସାହେବ ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ଆମକୁ ଶିକ୍ଷା, ନ୍ୟାୟ, ଧର୍ମନିରପେକ୍ଷତା ଏବଂ ଲୋକତନ୍ତ୍ର ଯୋଗାଇଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଭାରତୀୟ ସମ୍ବିଧାନର ମୂଳଦର୍ଶନ ହେଉଛି ନ୍ୟାୟ, ସ୍ୱାଧିନତା, ସମତା, ଭ୍ରାତୃତ୍ୱ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ସହ ଦେଶ ତଥା ରାଜ୍ୟର ପ୍ରଗତି ଓ ଉନ୍ନତି ପ୍ରତି ସମସ୍ତେ ଅଙ୍ଗୀକାରବଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ । ସତ୍ୟ ଓ ଅହିଂସାକୁ ପାଥେୟ କରି ଯେଉଁ ମହାମନିଷୀମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ସେମାନଙ୍କ ବଳିଦାନ, ତ୍ୟାଗ, ସଂଗ୍ରାମ ଓ ସାଧନା ସମ୍ପର୍କରେ ସେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଦେଶର ମୁକ୍ତି ସଂଗ୍ରାମରେ ଝାସ ଦେଇ ସ୍ୱାଧୀନତାର ସ୍ୱାଦ ଚଖାଇଥିବା କେନ୍ଦ୍ରାପଡ଼ା ଜିଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଚିରଦିନ ପାଇଁ ଆମକୁ ପ୍ରେରଣା ଯୋଗାଇ ଦେଇଆସିଛି ଓ ଯୋଗାଉଥିବ ମଧ୍ୟ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଆଜିର ଦିନ ହେଉଛି ଆମ ପାଇଁ ଆତ୍ମ ସମୀକ୍ଷା ଓ ସଂକଳ୍ପର ଦିନ ଓ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ମାଟିର ମହକ ସାଉଁଟିବାକୁ ମାଇଲ ମାଇଲ ଅତିକ୍ରମ କରି ଛୁଟି ଆସନ୍ତି ଅଲିଭ ରିଡ଼ଲେ କଇଁଛ । କେନ୍ଦ୍ରାପଡ଼ାରେ ବିକାଶର ନକ୍ସା ଆଙ୍କିବା ବେଳେ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ ଏବଂ ଐତିହାସିକ ଓ ପର୍ଯ୍ୟଟନର ଦୃଶ୍ୟ ସମ୍ଭାର ସମ୍ବଳିତ ପ୍ରକୃତିର ଅନନ୍ୟ ବରଦାନ ଭିତରକନିକା ସମ୍ପର୍କରେ ନିଜ ମତ ରଖିଥିଲେ । ପ୍ରାତଃରେ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୂନ୍ ପ୍ରଚାର କରାଯାଇଥିଲା । ୬ଟାରେ ବିଭିନ୍ନ ସ୍କୁଲ୍ ରେ ପ୍ରଭାତଫେରି କରାଯିବା ସହ ୭ଟାରେ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟମାନଙ୍କରେ ପତାକା ଉତୋଳନ କରାଯାଇଥିଲା । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ଜିଲାସ୍ତରୀୟ ଉତ୍ସବରେ ରିଜର୍ଭ ଇନିସ୍ପେକ୍ଟର୍ ପି.କେ. ରଣସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୋଟ୍ ୨୬ ଗୋଟି ଦଳ ସମ୍ମିଳିତ ପ୍ୟାରେଡ୍ ରେ ଅଂଶଗ୍ରହଣ କରିଥିଲେ ।
ମୁଖ୍ୟ ଅତିଥି କେନ୍ଦ୍ରାପଡ଼ା ସବ୍ ଜେଲ୍ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଂଟନ କରିବା ପରେ ଇଚ୍ଛାପୁର ଶ୍ୟାମଗୁଡ଼ିଆଠାରେ ଥିବା ନୂତନ ମେଡିକାଲ୍ ରେ ରୋଗୀମାନଙ୍କୁ ଫଳ ବଂଟନ କରିଥିଲେ । ଜିଲା ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଭିନ୍ନକ୍ଷମ ପିଲାଙ୍କ ମଧ୍ୟରେ ଅନୁଷ୍ଠିତ ଜିଲାସ୍ତରୀୟ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଏବଂ ଜିଲାସ୍ତରୀୟ ବକ୍ତୃତା, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ପ୍ୟାରେଡ୍ ରେ ଅଂଶଗ୍ରହଣ କରିଥିବା ଏନ୍ସିସି ଡିଭିଜନ୍, ସିନିୟର୍ ସିଭିଲିଆନ୍ ଓ ଜୁନିୟର୍ ସିଭିଲିଆନ୍ ବର୍ଗରେ ଉତମ ପ୍ରଦର୍ଶନ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ । କେନ୍ଦ୍ରାପଡ଼ା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲିଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ, ଉତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କେନ୍ଦ୍ରାପଡାକୁ ଗୌରବାନ୍ୱିତ କରିଥିବା ଆଶାକର୍ମୀ ଶିବାନୀ ମଣ୍ଡଳ, ସେବା ନିବୃ ଶିକ୍ଷକ ବନବିହାରୀ ଦାସ, ଆମ୍ବୁଲାନ୍ସ ଡ୍ରାଇଭର ମାନସ କୁମାର ମଲିକ ଓ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା କ୍ରୀଡାବିତଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ଏହି ଉତ୍ସବରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଉପ-ଜିଲାପାଳ ଅରୁଣ କୁମାର ନାୟକ, ଏସ୍.ଡି.ପି.ଓ. ଦେବେନ୍ଦ୍ର ମଲ୍ଲିକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୋଦ କୁମାର ପ୍ରହରାଜ, କେନ୍ଦ୍ରାପଡ଼ା ତହସିଲଦାର୍ ତାପସ ଦେହୁରୀ, ପୂର୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରତିକାନ୍ତ ବେହେରା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଆଜାମୁଦ୍ଧିନ୍ ଖାଁ, କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଅଧ୍ୟକ୍ଷ ଅଭିଜିତ ବୋଷଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ, ସ୍ୱାଧୀନତା ସଂଗ୍ରାମୀ, ନିମନ୍ତ୍ରିତ ଅତିଥି, ବିଭିନ୍ନ ସ୍କୁଲ୍ ଓ କଲେଜ୍ ର ଛାତ୍ରଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।
