ବକ୍ସି ଜଗବନ୍ଧୁଙ୍କ ସ୍ୱର୍ଣ୍ଣିମ ଅଧ୍ୟାୟ ଉପରେ ଅଧିକ ଗବେଷଣା ଜରୁରୀ
ଭୁବନେଶ୍ୱର, ୨୪/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କ ଦୃଢ଼ପ୍ରତିଜ୍ଞ ଓ ଅବିଚଳିତ ବ୍ୟକ୍ତିତ୍ୱ ବ୍ରିଟିଶ ଶାସକଙ୍କୁ ଭୟଭୀତ କରାଇଥିଲା । ସେ ଥିଲେ ପାଇକମାନଙ୍କ ମଉଡ଼ମଣି । ତାଙ୍କ ସାହସ ଓ ବୀରତ୍ୱ ଅତୁଳନୀୟ ଥିଲା ବୋଲି ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି ।
ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ପାଇକ ବିଦ୍ରୋହ ହେଉଛି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ । ଓଡ଼ିଶାର ଗାରିମାମୟ ଇତିହାସ କହେ ଏ ଜାତି ହେଉଛି ବୀରଜାତି । ତେଣୁ ଜାତିକୁ ପ୍ରଗତିର ଶୀର୍ଷକୁ ନେବାକୁ ହେଲେ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟକୁ ଲୋକଲୋଚନକୁ ଆଣିବାକୁ ପଡ଼ିବ । ବକ୍ସି ଜଗବନ୍ଧୁଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଜୀବନୀ ଓ ସଂଘର୍ଷମୟ ଅଧ୍ୟାୟ ଉପରେ ଅଧିକ ଗବେଷଣା ହେବା ଜରୁରୀ । ଏହି ଗବେଷଣା ଆମ ଇତିହାସକୁ ସମୃଦ୍ଧ କରିବା ସହ ଏହି ଜାତିକୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିବ ଏଥିରେ ସନ୍ଦେହ ନାହିଁ । ବକ୍ସି ଜଗବନ୍ଧୁ ଦୃଢ଼ପ୍ରତିଜ୍ଞ, ଅବିଚଳିତ ବ୍ୟକ୍ତିତ୍ୱ ସାଙ୍ଗକୁ ଯୋଦ୍ଧାପଣ ତାଙ୍କ ଜୀବନକୁ ମହିମାମଣ୍ଡିତ କରିଛି । ତେବେ ଇତିହାସ ବକ୍ସିଙ୍କୁ ଯଥାର୍ଥ ଭାବେ ଉପସ୍ଥାପନ କରିପାରି ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ କହିଲେ ଯେ ଯେ ଯୋଦ୍ଧାର ମୃତୁ୍ୟ ନାହିଁ କି ଯୁଦ୍ଧର ଅଣ୍ଟା ନାହିଁ । ସ୍ୱାଧୀନତା ରକ୍ଷା ନିମନ୍ତେ ଓଡ଼ିଆ ପାଇକମାନଙ୍କ ସଶସ୍ତ୍ର ସଂଗ୍ରାମର ନେତୃତ୍ୱ ନେଇ ବକ୍ସି ଜଗବନ୍ଧୁ ଅମର । ବକ୍ସିଙ୍କ ପରି ବୀର ପୁରୁଷଙ୍କ ପାଇଁ ଓଡ଼ିଶା ଗର୍ବିତ । ପୂର୍ବସୂରୀମାନଙ୍କ କୃତି ଓ କୃତିତ୍ୱ ତଥା ଇତିହାସର ପ୍ରେରଣା ପାଇ ଗୋଟିଏ ଜାତି ସଶକ୍ତ ହୋଇଥାଏ ବୋଲି ସେ ପ୍ରକାଶ କରିଥିଲେ ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ସାହିତି୍ୟକ ଡା. ଶଶାଙ୍କ ଚୂଡ଼ାମଣି ତାଙ୍କ ବକ୍ତବ୍ୟରେ ବକ୍ସି ଜଗବନ୍ଧୁଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଭାରତ ସ୍ୱାଧୀନତା ସଂଗ୍ରାମ ଇତିହାସର ମହାନାୟକ ବକ୍ସିଙ୍କ ବିଷୟରେ କହିଲେ ଯେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ସେ ଜଣେ ବିରଳ ପୁରୁଷ । ବକ୍ସି ଜଗବନ୍ଧୁ କେବଳ ଲୋକଶକ୍ତିର ଅପ୍ରତିଦ୍ୱନ୍ଦୀ ପ୍ରତିନିଧି ଓ ସାହସୀ ସଂଗ୍ରାମୀ ନଥିଲେ ତାଙ୍କର ସାଙ୍ଗଠନିକ ଦକ୍ଷତା ଦୃଢ଼ ମନୋବଳ ପାଇଁ ସେ କାଳଜୟୀ ବୋଲି ଅବିହିତ କରିଥିଲେ । ପାଇକ ବିଦ୍ରୋହ ବାବଦରେ ବିଶେଷ ତଥ୍ୟ ପ୍ରଦାନ କରି ସେ କହିଥିଲେ ଯେ ସଶସ୍ତ୍ର ସଂଗ୍ରାମ ଓ ମାତୃଭୂମି ପାଇଁ ଜୀବନ ଉତ୍ସର୍ଗ କରି ବକ୍ସି ଜଗବନ୍ଧୁ ଆଜି ମୃତୁ୍ୟଞ୍ଜୟୀ ।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ ବକ୍ସି ଜଗବନ୍ଧୁ କେବଳ ଓଡ଼ିଶାର ନୁହେଁ ସମଗ୍ର ଭାରତବର୍ଷର ଜଣେ ମହାନ ସଂଗ୍ରାମୀ ଓ କ୍ରାନ୍ତିକାରୀ ବିପ୍ଲବୀ ଥିଲେ । ୧୮୧୭ ମସିହାରେ ଅତ୍ୟାଚାରୀ ବ୍ରିଟିଶ ଶାସନ ବିରୁଦ୍ଧରେ ଅସନ୍ତୋଷର ବହ୍ନି ଜଳୁଥିବାବେଳେ ପାଇକ ସ୍ୱତନ୍ତ୍ର ସେନାନୀର ଆଗ୍ରଦୂତ ସାଜିଥିଲେ ବକ୍ସି ଜଗବନ୍ଧୁ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦୀପାୟନ ଓ ବକ୍ସିଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ‘ସ୍ୱରସୁଧା’ ଅନୁଷ୍ଠାନର ଶିଳ୍ପୀବୃନ୍ଦ ଆବାହନୀ ସଂଗୀତ ପରିବେଷଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଜୟଦେବ ଭବନ ଉପନିର୍ଦ୍ଦେର୍ଶକ ଦିପ୍ତୀମୟୀ ମହାପାତ୍ର ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
-0-
ସରୋଜ କୁମାର ଶତପଥୀ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ
