ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ ନାୟକଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଫେଲୋସିପ

କେନ୍ଦ୍ରାପଡ଼ା, ୨୩/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲଳର ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ ନାୟକଙ୍କୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କଳା ଓ ସଂସ୍କୃତିର ବିକାଶ ପାଇଁ ସିନିୟର ଫେଲୋସିପ ପ୍ରଦାନ କରାଯାଇଛି । ଏହି ଫେଲୋସିପ ତାଙ୍କୁ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ମିଳିବ । ଏହି ସମୟ ମଧ୍ୟରେ ସେ କଳା ଓ ସଂସ୍କୃତିର ବିକାଶ ନିମନ୍ତେ ଗବେଷଣା କରିବେ । ବର୍ଷ ଶେଷ ବେଳକୁ ଭାରତ ସରକାରଙ୍କୁ ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିବେ । ଭାରତ ସରକାରଙ୍କ ପକ୍ଷରୁ ସିନିୟର ଫେଲୋସିପ ପାଇବାରେ ଶ୍ରୀ ନାୟକ କେନ୍ଦ୍ରାପଡ଼ା ଜିଲାର ପ୍ରଥମ ଚିତ୍ରଶିଳ୍ପୀ । ମାଳତିଲତା ଚାରିଟେବୁଲ ଟ୍ରଷ୍ଟ ଅଧିନରେ ଶ୍ରୀ ନାୟକ କେନ୍ଦ୍ରାପଡ଼ା ସହରର ନସଡ଼ିପୁର ଓ ମହିପାଳ ଠାରେ କୁନ୍ତଳାକୁମାରୀ ଚିତ୍ରକଳା ଶିକ୍ଷାକେନ୍ଦ୍ର ଖୋଲି ଶତାଧିକ ଛାତ୍ରଛାତ୍ରୀଙ୍କୁ କଳା ଶିକ୍ଷା ପ୍ରଦାନ କରି ଆସୁଛନ୍ତି । ସେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପଂଚାୟତର ପେରିଜପୁର ଗ୍ରାମର ସ୍ୱର୍ଗତ କିଶୋର ନାୟକ ଓ ସ୍ନେହଲତା ନାୟକଙ୍କ ଜ୍ୟେଷ୍ଠପୁତ୍ର ଅଟନ୍ତି । ନିକଟରେ ଶ୍ରୀ ନାୟକ ଦୁବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ କରି ଉଚ୍ଚ ପ୍ରଶଂସିତ ହେବା ସହ ଜିଲା ପାଇଁ ଗୌରବ ଆଣିଥିଲେ ।

Leave a Reply

Your email address will not be published. Required fields are marked *