ମୁଖ୍ୟଶାସନସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୨୨/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଗାମୀ ଜାନୁଆରୀ୨୮ତାରିଖରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଜନତା ମୈଦାନ ଠାରେ ଆୟୋଜିତ “ଉତ୍କର୍ଷ ଓଡ଼ିଶା”-ମେକ୍ଇନ୍ ଓଡ଼ିଶା କନକ୍ଲେଭ-୨୦୨୫ ରେ ଯୋଗଦେବାକୁ ଆସିବେ।ଏହି ପରିପ୍ରେକ୍ଷୀରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରିବାକୁ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ଶାସନସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନିର୍ଭିୁଲ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ବୈଠକରେ ଆଲୋଚିତ ସୂଚନା ଅନୁଯାୟୀ, ଆଗାମୀ ଜାନୁଆରୀ୨୮ତାରିଖ ସକାଳ୮.୩୫ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ବାୟୁସେବା ବିମାନ ଯୋଗେ ବାହାରି ପୂର୍ବାହ୍ନ୧୦.୩୫ମିନିଟ୍ ସମୟରେ ଭୁବନେଶ୍ୱର ବିମାନ ବନ୍ଦରଠାରେ ପହଞ୍ଚି ପୂର୍ବାହ୍ନ୧୦.୫୫ରେ ଜନତା ମୈଦାନରେ ପହଞ୍ଚିବେ ଏବଂ୧୧.୦୦ରୁ୧୨.୩୦ପର୍ଯ୍ୟନ୍ତ“ଉତ୍କର୍ଷ ଓଡ଼ିଶା”-ମେକ୍ଇନ୍ ଓଡ଼ିଶା କନ୍କ୍ଲେଭ କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଅପରାହ୍ଣ ୧୨.୫୫ ମିନିଟ୍ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ଉତ୍ତରାଖଣ୍ଡ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମସ୍ଥଳ ଓ ତାଙ୍କର ଯିବା ଆସିବା ପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା ।ସେହିପରି କମିଶନରରେଟ ପୁଲିସ ତରଫରୁ ଭୁବନେଶ୍ୱର ସହରରେ ସୁରକ୍ଷା କଡାକଡି କରାଯିବ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ କାରକେଡ ବ୍ୟବସ୍ଥା ଏବଂ ବିମାନର ସୁରକ୍ଷା ବ୍ୟବସ୍ଥା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ରହିବ।
ବୈଠକରେ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର ତରଫରୁ କାର୍ଯ୍ୟକ୍ରମ ସ୍ଥଳରେ ଡାକ୍ତରୀ ସେବା ଏବଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ରହିବା ସହିତ ମଞ୍ଚ ନିକଟରେ କ୍ରିଟିକାଲ କେୟାର ବାକ୍ସ,ଡାକ୍ତରୀଦଳ ସହ ମୁତୟନ ରହିବେ ।କାର୍ଯ୍ୟକ୍ରମ ସ୍ଥଳରେ ଅଗ୍ନିନିର୍ବାପକ ବ୍ୟବସ୍ଥା ସଂପର୍କରେ ବ୍ୟବସ୍ଥା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ସଂଲଗ୍ନ ରାସ୍ତାର ରକ୍ଷଣାବେକ୍ଷଣ, ଆବଶ୍ୟକ ମରାମତି, ରାସ୍ତା ପରିମଳ ଓ ପରିଚ୍ଛନ୍ନତାକୁ ସୁନିଶ୍ଚିତ କରାଯିବ।ଶକ୍ତିବିଭାଗ ତଥା ଟିପିସିଓଡିଏଲକୁ ଅତିରିକ୍ତ ଜେନେରେଟର ସହ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ନିରବଚ୍ଛିନ୍ନ ପାନୀୟଜଳ ଯୋଗାଣ, ମଞ୍ଚ ପ୍ରସ୍ତୁତି,ଇଣ୍ଟରନେଟ୍ ସୁବିଧା, ଗଣମାଧ୍ୟମ ପରିଚାଳନା ସହ ସମ୍ବାଦ ସରବରାହ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା।ପ୍ରଧାନ ମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ପୂର୍ବଥର ଭଳି ରାଜ୍ୟ ଗୃହ ବିଭାଗ ତରଫରୁ ମଧ୍ୟ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ ।
ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ(ସ୍ୱରାଷ୍ଟ୍ର)ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ, ଅଗ୍ନିଶମ ସେବା ପୁଲିସ ମହା ନିର୍ଦ୍ଦେଶକ ଡଃ.ସୁଧାଂଶୁ ଷଡଙ୍ଗୀଙ୍କ ସମେତ ଶିଳ୍ପ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ତଥା ନଗର ଉନ୍ନୟନ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ଆଦି ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସ ନସଚିବ, କମିଶନର ତଥା ଶାସନ ସଚିବ,ଇଡକୋ ର ପରିଚାଳନା ନିର୍ଦ୍ଦେଶକ,ଜିଲ୍ଲାପାଳ, ଖୋର୍ଦ୍ଧା, ବିଭିନ୍ନ ବିଭାଗ ତଥା ପୁଲିସ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ, ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ହୋଇଥିବା ଏବଂ କରାଯିବାକୁ ଥିବା ଶୃଙ୍ଖଳିତ ବ୍ୟବସ୍ଥା ଏବଂ ପ୍ରସ୍ତୁତି ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
-0-
ପଠାଣି ରାଉତ,ମୁଖ୍ୟଶାସନସଚିବଙ୍କ ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ