ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ଯାଜପୁର,୨୦/୦୧/୨୦୨୫(ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ଫେବୃଆରୀ ମାସ ୮ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ କୁସୁମା ସମ୍ମୁଖ ପଡିଆଠାରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ପି. ଅନ୍ୱେଷା ରେଡ୍ଡୀ ସୂଚନା ଦେଇଛନ୍ତି। ଆଜି ଅପରାହ୍ନରେ ଗୌତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁରଠାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜିଲ୍ଲା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସୋନାଲି ବେହେରା ସମସ୍ତଙ୍କୁ ସ୍ଵାଗତ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ମହୋତ୍ସବର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଜିଲ୍ଲା ମହୋତ୍ସବ ଓ ପଲିଶ୍ରୀ ମେଳା ତା ୦୮.୦୨.୨୦୨୫ ଠାରୁ ତା ୧୨.୦୨.୨୦୨୫ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ୦୮ ତାରିଖ ସନ୍ଧ୍ୟାରେ ଜିଲ୍ଲା ମହୋତ୍ସବକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ କରାଯିବା ନିମନ୍ତେ ପ୍ରସ୍ତାବ କରାଯାଇଅଛି ବୋଲି ସୂଚନା ଦେଇଥିଲେ।ଜିଲ୍ଲା ମହୋତ୍ସବର ଆୟୋଜନ ପାଇଁ ସବ କମିଟି କରାଯାଇଛି ଏହି ସବ୍ କମିଟି ଗୁଡିକ ସରକାରୀ ପଦାଧିକାରୀ, ଯାଜପୁରର ବୁଦ୍ଧିଜୀବୀ, ଶିକ୍ଷାବିତ୍,ରାଜନୀତିଜ୍ଞ, ସାମ୍ବାଦିକ ମାନଙ୍କୁ ନେଇ ଗଠନ କରାଯାଇଛି ।ଯାଜପୁର ମହୋତ୍ସବକୁ ଆସିଥିବା ସମସ୍ତ ଲୋକମାନେ ପଲ୍ଲୀଶ୍ରୀ ମେଳା, ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ସୁନ୍ଦର ଅଭିଜ୍ଞତା ନେଇ ଘରକୁ ଫେରିବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଜିଲ୍ଲା ମହୋତ୍ସବରେ ବଲିଉଡର ଗାୟକ,ଗାୟିକା, ରାଜ୍ୟର ସୁନାମଧନ୍ୟ ଗାୟକ, ଗାୟିକା, ରାଜ୍ୟ ବାହାର ସୁନାମ ଧନ୍ୟ ସାଂସ୍କୃତିକ ଦଳ ଓ ବିଭିନ୍ନ ଜିଲ୍ଲାର ଶ୍ରେଷ୍ଠ ସାଂସ୍କୃତିକ ଦଳ, ଯାଜପୁର ଜିଲ୍ଲାର ଶ୍ରେଷ୍ଠ ସାଂସ୍କୃତିକ ଦଳ ଗୁଡିକ ମହୋତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।   ଯାଜପୁରରେ ଯେତେ ମହୋତ୍ସବ ଉତ୍ସବ ମାନ ହୋଇଛି ତାହା ସମସ୍ତଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ଏହି ମହୋତ୍ସବକୁ ମଧ୍ୟ ଅନୁରୂପ ଭାବେ ସଫଳ କରିବାକୁ ସମସ୍ତଙ୍କ ସହଯୋଗ ଜିଲ୍ଲାପାଳ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, ଉପ ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ,  ଯୋଗଦେଇ ମହୋତ୍ସବର ରୂପରେଖ ନେଇ ଆଲୋକପାତ କରିଥିଲେ। ପୂର୍ବ ମହୋତ୍ସବ ଭଳି ରାସ୍ତା ଘାଟ ମରାମତି, ମହୋତ୍ସବ ପଡିଆ ପରିଷ୍କାର ପରିଚ୍ଛନ୍ନ, ଆଲୋକ ବ୍ୟବସ୍ଥା, ଆଇନ୍ ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା, ଅଗ୍ନିଶମ ସେବା, କଳାକାରଙ୍କ ସହ ଯୋଗାଯୋଗ, କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ବ୍ୟାନର, ପୋଷ୍ଟର ଇତ୍ୟାଦିର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇ ତ୍ବରିତ ପଦକ୍ଷେପ ନିଆଯିବାକୁ ବିଭାଗ ମାନଙ୍କୁ ପରାମର୍ଶ ଦିଆଯାଇଥିଲା।  ଏଥିରେ ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି, ବରିଷ୍ଠ ନାଗରିକ, ଶିକ୍ଷାବିତ୍, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *