ଭାରତ ରଚିଲା ଇତିହାସ -ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ଖୋଖୋ ଦଳର ଐତିହାସିକ ବିଜୟ

ଉଭୟ ମହିଳା ଓ ପୁରୁଷ ବର୍ଗରେ ନେପାଳର ଖୋଖୋ ଟିମ୍‌କୁ ପରାସ୍ତ କରି ବିଜୟ ହାସଲ କଲା ଟିମ୍ ଭାରତ

ଖୋଖୋ ଆମ ନିଜ ମାଟିର ଖେଳ, ଆମ ଭାରତର ଖେଳ; ଭାରତୀୟ ଜାତୀୟ ଖୋଖୋ ଦଳର ପୃଷ୍ଠପୋଷକ ଭାବେ ଓଡ଼ିଶା ଆଜି ଗର୍ବିତ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ବିଶ୍ୱମଞ୍ଚରେ ଭାରତୀୟ ଖୋଖୋ ଦଳର ଏହି ଐତିହାସିକ ବିଜୟ ଆମ ପାଇଁ ଗର୍ବ ଓ ଗୌରବର ବିଷୟ, ଖୋଖୋ ଦଳର ସମସ୍ତ କ୍ରୀଡ଼ାବିତ୍‌ ଭାରତର ଲକ୍ଷଲକ୍ଷ ଯୁବ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ପ୍ରେରଣାର ଉତ୍ସ : ମନ୍ତ୍ରୀ ଶ୍ରୀ ସୂରଜ

ଭୁବନେଶ୍ୱର, ୧୯/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଇତିହାସ ରଚିଲା ଭାରତ। ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ନେପାଳର ଖୋଖୋ ଦଳକୁ ପରାସ୍ତ କରି ଉଭୟ ମହିଳା ଓ ପୁରୁଷ ବର୍ଗରେ ଭାରତୀୟ ଖୋଖୋ ଦଳ ଐତିହାସିକ ବିଜୟ ହାସଲ କରିଛନ୍ତି।

ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଜାନୁଆରୀ ୧୩ ତାରିଖ ଠାରୁ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଜି ଏହି ବିଶ୍ୱକପ୍ ର ଫାଇନାଲ ମ୍ୟାଚ ଭାରତ ଓ ନେପାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମହିଳା ବର୍ଗରେ ୭୮-୪୦ ଏବଂ ପୁରୁଷ ବର୍ଗରେ ୫୪-୩୬ ସହ ଭାରତୀୟ ଖୋଖୋ ଦଳ ଏହି ବିଜୟ ହାସଲ କରିଛନ୍ତି।

ଆଜିର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଉଥିବା ସମୟରେ ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଉପସ୍ଥିତ ଥିଲେ। ଭାରତୀୟ ଖୋଖୋ ଦଳର ଐତିହାସିକ ବିଜୟ ପରେ ସେ ଉଭୟ ମହିଳା ଓ ପୁରୁଷ ଦଳର କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ନିଜର ପ୍ରତିକ୍ରିୟାରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଖୋଖୋ ହେଉଛି ଆମ ନିଜ ମାଟିର ଖେଳ, ଆମ ଭାରତର ଖେଳ। ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ଖୋଖୋ ଦଳର ଏହି ଐତିହାସିକ ବିଜୟ ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଭାରତୀୟ ଜାତୀୟ ଖୋଖୋ ଦଳର ପୃଷ୍ଠପୋଷକ ଭାବେ ଓଡ଼ିଶା ଆଜି ଗର୍ବିତ। ଆଜିର ଏହି ସ୍ୱର୍ଣ୍ଣିମ ବିଜୟ ଖୋଖୋ ଜଗତରେ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ। ଭାରତୀୟ ଖୋଖୋ ଦଳର ଏହି ବିଜୟ ଲକ୍ଷଲକ୍ଷ ଯୁବ କ୍ରୀଡ଼ାବିତମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ନିଜର ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ,ଭାରତୀୟ ମହିଳା ଖୋଖୋ ଦଳରେ ଓଡ଼ିଶାର କ୍ରୀଡ଼ାବିତ ମଗାଇ ମାଝୀ ଓ ଶୁଭଶ୍ରୀ ସିଂ ଏବଂ ପୁରୁଷ ଖୋଖୋ ଦଳରେ ଓଡ଼ିଶାର କ୍ରୀଡ଼ାବିତ ପବନୀ ଶବର ସାମିଲ ହୋଇଥିଲେ। ଭାରତୀୟ ଜାତୀୟ ଖୋଖୋ ଦଳକୁ ଓଡ଼ିଶା ସରକାର ଜାନୁଆରୀ ୨୦୨୫ ଠାରୁ ଡିସେମ୍ବର ୨୦୨୭ ପର୍ଯ୍ୟନ୍ତ ପୃଷ୍ଠପୋଷକତା (ସ୍ପନସର) ପ୍ରଦାନ କରୁଛନ୍ତି। ଏଥିପାଇଁ ବର୍ଷକୁ ୫ କୋଟି ଓ ସର୍ବମୋଟ ୧୫ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପୃଷ୍ଠପୋଷକ ଭାବରେ ଖୋଖୋ ଓ ଖୋଖୋ କ୍ରୀଡ଼ାବିତମାନଙ୍କର ବିକାଶ ଓ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *