ଗରଦପୁର, ୨୬/୧୧/୨୦୨୪ (ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ନୂଆପଡ଼ା ବିଦ୍ୟୁତ ସେକସନ୍ ଅଫିସ ରୁ ଦୁର୍ବୃତମାନେ ୫ ଲକ୍ଷ ଟଙ୍କାର ବିଦ୍ୟୁତ ତାର ଓ କେବୁଲ ଲୁଟି ନେଇଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ମାମଲା ରୁଜୁ ହୋଇଛି । ଘଟଣାସ୍ଥଳକୁ ପୋଲିସ ଅଧିକାରୀମାନେ ଯାଇ ଅନୂସନ୍ଧାନ ଜାରି ରଖିଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ରାତି ପ୍ରାୟ ୨ ଟା ସମୟରେ ୧୦ ରୁ ୧୨ ଜଣ ଦୁର୍ବୃତ ମୁହଁରେ କପଡ଼ା ଗୁଡ଼ାଇ ନୂଆପଡ଼ାସ୍ଥିତ ବିଦ୍ୟୁତ ସେକସନ୍ ଅଫିସ ପରିସରକୁ ପସିଥିଲେ । ଅଫିସ ମଧ୍ୟକୁ ପ୍ରବେଶ କରିବା ପାଇଁ ଥିବା କାଚ ଗେଟ କବାଟକୁ ଦୁର୍ବୃତମାନେ ବାଡ଼େଇ ଭାଙ୍ଗିଥିଲେ । ସେଠାରେ ଥିବା ରାତି୍ରି ଜଗୁଆଳି ବିଶ୍ୱ ପ୍ରକାଶ ଲେଙ୍କା (୩୮) କାଚ କବାଟକୁ ଠେଲି ଧରି ପ୍ରତିବାଦ କରିଥିଲେ । ହେଲେ ଦୁର୍ବୃତମାନେ କବାଟ ଭାଙ୍ଗି ଅଫିସ ରେ ପ୍ରବେଶ କରି ତାଙ୍କୁ ମାଡ଼ ମାରିବା ସହିତ ଭଙ୍ଗା କାଚରେ ବିଶ୍ୱ ପ୍ରକାଶ ଙ୍କ ହାତରେ କ୍ଷତ ସୃଷ୍ଟି ହୋଇଥିଲା । ଏଥି ସହିତ ଦୁର୍ବୃତମାନେ ଅଫିସରେ ଥିବା ଅନ୍ୟ ୨ ଜଣଙ୍କୁ ଗାମୁଛାରେ ବାନ୍ଧି ପକାଇ ସେମାନଙ୍କ ନିକଟରୁ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ । ଅଫିସ ରେ ଥିବା ମୋବାଇଲ ଚାର୍ଜର, ଟର୍ଚ୍ଚ ଲାଇଟ୍, କେବୁଲ ଓ ୩ ଜଣଙ୍କ ପାଖରେ ଥିବା ୬ ହଜାର ଟଙ୍କା ମଧ୍ୟ ଲୁଟି ନେଇଥିଲେ । ଅଫିସ ପରିସର ମଧ୍ୟରେ ଥିବା ବିଦ୍ୟୁତ ତାର ଓ କେବୁଲ କୁ ଦୁର୍ବୃତମାନେ ନେଇଯାଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ରୁ ଅଧିକ୍ ହେବ ବୋଲି ବିଭାଗ ପକ୍ଷରୁ ଲିଖିତ ଅଭିଯୋଗରେ ଦର୍ଶାଯାଇଛି । ଦୁର୍ବୃତମାନେ ଅଫିସ ରେ ଦେଢ଼ ଘଂଟା ପର୍ଯ୍ୟନ୍ତ ରହି ଏହି କାର୍ଯ୍ୟ କରିଥିଲେ । ଦୁର୍ବୃତମାନେ ସେଠାରୁ ଯିବା ପରେ ସେଠାରେ ଥିବା ୩ ଜଣ ବାହାରକୁ ଆସି ଜନୈକ ବ୍ୟକ୍ତିଙ୍କ ମୋବାଇଲ ଫୋନ୍ ରୁ ପାଟକୁରା ଥାନାକୁ ଜଣାଇଥିଲେ । ପାଟକୁରା ପୋଲିସ ଘଟଣାସ୍ଥଳରେ ପହଂଚିଲା ବେଳକୁ ଦୁର୍ବୃତମାନେ ଫେରାର ହୋଇ ଯାଇଥିଲେ । ଆଜି ସକାଳେ ଖବର ପାଇ ମାର୍ଶାଘାଇ ବିଦ୍ୟୁତ ଡ଼ିଭିଜନ୍ ର ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ଦାସ, ସବଡ଼ିଭିଜନ୍ ର ସହକାରୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ପାଣି ନୂଆପଡ଼ା ବିଦ୍ୟୁତ ସେକସନ୍ ଅଫିସ ରେ ପହଂଚି କର୍ମଚାରୀଙ୍କ ଠାରୁ ଘଟଣା ସମ୍ପର୍କରେ ଅବଗତ ହେବା ସହିତ ଚୋରୀ ହୋଇଥିବା ସ୍ଥାନକୁ ବୁଲି ଦେଖିଥିଲେ । ଘଟଣା ସମ୍ପର୍କରେ ନୂଆପଡ଼ା ବିଦ୍ୟୁତ ସେକସନ୍ ର ସହକମାରୀ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପାଟକୁରା ପୋଲିସ ସବ ଇନ୍ସିପେକ୍ଟର ଦୀପ୍ତିମୟୀ ରାଉତ ଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଘଟଣାର ଅନୁସନ୍ଧାନ କରୁଛନ୍ତି । ନୂଆପଡ଼ା ବଜାର ଓ ଅନ୍ୟ କେତେକ ସ୍ଥାନରେ ଲାଗିଥିବା ସିସିଟିଭିକୁ ଯାଂଚ କ୍ରାଯାଉଛି । କେନ୍ଦ୍ରାପଡ଼ା ପୋଲିସ ଏସଡ଼ିପିଓ ଦେବେନ୍ଦ୍ର କୁମାର ମଲିକ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରି ଫେରିଯାଇଛନ୍ତି ।