ରାଜଭବନ ଲୋକଙ୍କ ନିକଟତର ହେବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର,୧୮/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତବର୍ଷ ଜାନୁଆରୀ ୧୩ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ଜନସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାଯାଇଥିବା ବେଳେ
ଉଦ୍ୟାନ ପରିଦର୍ଶନ ପାଇଁ ହେଉଥିବା ଜନସମାଗମକୁ ଦେଖି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି
ଖୁସି ବ୍ୟକ୍ତ କରିଛନ୍ତି । ଆଜି ଅପରାହ୍ନରେ ରାଜଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ଜନସମାଗମ ଦେଖିଲା ପରେ ରାଜ୍ୟପାଳ ଜନସାଧାରଣଙ୍କ ସହିତ ମିଶି ବାର୍ତାଳାପ କରିଥିଲେ । ଶିଶୁମାନଙ୍କୁ ଦେଖି ରାଜ୍ୟପାଳ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଏବଂ ସେମାନଙ୍କୁ ଚକଲେଟ୍ ଓ କଲମ ପ୍ରଦାନ କରି ଆଶୀର୍ବାଦ ଦେଇଥିଲେ । ଏପରି ସମାଗମ ରାଜଭବନ ଲୋକଙ୍କର ନିକଟତର ହେବାର ଏକ ମାଧ୍ୟମ ବୋଲି କହିବା ସହିତ ରାଜଭବନ ଉଦ୍ୟାନ ବର୍ଷକୁ ଏକାଧିକ ଥର ଖୋଲିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି ।
ଶିଶୁ, ଛୋଟପିଲା, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜନସାଧାରଣ ରାଜଭବନ ଉଦ୍ୟାନ ପରିସରରେ ଥିବା ନାନାପ୍ରକାରର ବୃକ୍ଷରାଜି, ପୁଷ୍ପ ଉଦ୍ୟାନ, ହରିଣ ପାର୍କ, ମୟୁର ପାର୍କ, ଆକ୍ୱାରିୟମ୍, ମୁ୍ୟଜିକାଲ ଫାଉଂଟେନ୍ ଆଦିର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ଯାହାକି ଆନନ୍ଦର କଥା । ଜନସାଧାରଣ ବହୁସଂଖ୍ୟାରେ ରାଜଭବନ ଉଦ୍ୟାନ ପରିଦର୍ଶନ କରିବା ପାଇଁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଅନୁରୋଧ କରିଛନ୍ତି ।

ଉଲ୍ଲେଖଯୋଗ୍ୟଯେ, ଜାନୁଆରୀ ୧୩ ତାରିଖରୁ ୧୮ତାରିଖ ମଧ୍ୟରେ ୩୦ ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ରାଜଭବନ ଉଦ୍ୟାନ ପରିଦର୍ଶନ କରିଛନ୍ତି ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
